ଟ୍ୱିଟର ପରେ ଫେସବୁକରେ ଆରମ୍ଭ ହେଲା କି ଛଟେଇ ? ଇସ୍ତଫା ଦେଲେ ଭାରତ ମୁଖ୍ୟ

265

କନକ ବ୍ୟୁରୋ : ଗୋଟିଏ ପଟେ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ୱିଟରରେ କର୍ମଚାରୀ ଛଟେଇ ଚାଲିଥିବା ବେଳେ ଆଜି ଫେସବୁକର ଭାରତ ମୁଖ୍ୟ ଅଜିତ ମୋହନ ନିଜ ପଦରୁ ଇସ୍ତଫା ଦେଇଛନ୍ତି  । ଅଜିତ ଦୀର୍ଘ ୪ ବର୍ଷ ଧରି ଏହି ପଦରେ ରହିବା ପରେ ଆଜି ଇସ୍ତଫା ଦେଇଛନ୍ତି । କମ୍ପାନୀ ତରଫରୁ ଏକ ଗଣମାଧ୍ୟମ ସହାୟତାରେ ଏହି ସୂଚନା ଦିଆଯାଇଛି । ଫେସବୁକ ଇଣ୍ଡିଆର ନିର୍ଦ୍ଦେଶକ ପ୍ରମୁଖ ମନୀଷ ଚୋପଡା ଅନ୍ତରୀଣ ଆଧାରରେ ଏବେ ଏହି ପଦରେ ଅବସ୍ଥାପିତ ହୋଇଛନ୍ତି ।

ସେପଟେ ଅଜିତ ମୋହନ ତାଙ୍କ ଲିଙ୍କଡଇନ ପୋଷ୍ଟରେ ଉଲ୍ଲେଖ କରିଛନ୍ତି ଯେ ସୋସିଆଲ ମିଡିଆ ପ୍ଲାଟଫର୍ମ ସ୍କ୍ରେପ ପାଇଁ କାମ କରିବାକୁ ଯାଉଛନ୍ତି । ସେ ସ୍କ୍ରେପର ଏକଜ୍ୟୁକଟିଭ ଟିମରେ ଭାଗ ନେବେ । ଏହାସହ ତାଙ୍କୁ ଭାରତ ଭଳି ଏକ ମହତ୍ୱପୂର୍ଣ୍ଣ ଦେଶରେ ଫେସବୁକ୍ ଯେଉଁ ସୁଯୋଗ ଦେଇଥିଲା ତାହା ପାଇଁ ସେ କମ୍ପାନୀକୁ ଧନ୍ୟବାଦ ଜଣାଇଛନ୍ତି ।

ସୂଚନା ଥାଉକି ୨୦୧୯ ଜାନୁଆରୀ ମାସରେ ଅଜିତ ଫେସବୁକ୍ ଇଣ୍ଡିଆରେ ପରିଚାଳନା ନିର୍ଦ୍ଦେଶକ ଭାବେ ଯୋଗ ଦେଇଥିଲେ । ସେ ତାଙ୍କ କାର୍ଯ୍ୟକାଳରେ ଭାରତରେ ପ୍ରଡକ୍ଟ, ହ୍ୱାଟସଆପ୍ ଓ ଇନଷ୍ଟାଗ୍ରାମରେ ୨୦୦ ମିଲିୟନରୁ ଅଧିକ ୟୁଜର୍ସ ଯୋଡିଥିଲେ । ସେ ପୂର୍ବରୁ ଷ୍ଟାର ଇଣ୍ଡିଆର ଭିଡିଓ ଷ୍ଟ୍ରିମିଂ ସର୍ଭିସ ହଟଷ୍ଟାରର ମୁଖ୍ୟ ପରିଚାଳକ ଭାବେ କାମ କରିଛନ୍ତି ।