ଉଦ୍ଧାର ଦନ୍ତାର ୨ ଗୋଡ଼ରେ ପଡ଼ିଛି ବେଡ଼ି : ଟ୍ରାଙ୍କୁଲାଇଜ ପରେ କୁମାରଖୁଣ୍ଟି ପ୍ରାଣୀ ଉଦ୍ଧାର କେନ୍ଦ୍ରରେ ବନ୍ଦୀ; ଗୋଡ଼ରୁ କେବେ ଖୋଲିବ ବେଡି ଉଠିଲା ପ୍ରଶ୍ନ

70

କନକ ବ୍ୟୁରୋ : ଭୁବନେଶ୍ୱରରୁ ଉଦ୍ଧାର ହୋଇଥିବା ଦନ୍ତା ହାତୀ ଗୋଡ଼ରେ ପଡ଼ିଛି ବେଡ଼ି । ପ୍ରାଣୀ ଉଦ୍ଧାର କେନ୍ଦ୍ରରେ ୩ଦିନ ହେଲା ବନ୍ଧା ପଡ଼ିଛି ଜଙ୍ଗଲୀ ହାତୀ । ବାଟବଣା ହୋଇଥିବା ଜଙ୍ଗଲୀ ହାତୀକୁ ବୁଧବାର ଟ୍ରାଙ୍କୁଲାଇଜ କରାଯିବା ପରେ ଚନ୍ଦକା ଅଭୟାରଣ୍ୟର କୁମାରଖୁଣ୍ଟି ପ୍ରାଣୀ ଉଦ୍ଧାର କେନ୍ଦ୍ରରେ ବନ୍ଦି ଅବସ୍ଥାରେ ରଖାଯାଇଛି । ଦନ୍ତା ହାତୀ ଗୋଡ଼ରୁ ଏବେବି ବେଡ଼ି ଖୋଲାଯାଇନାହିଁ । ନନ୍ଦନକାନନର ପ୍ରାଣୀ ଚିକିତ୍ସକ ମାନେ ହାତୀର ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ କରୁଛନ୍ତି । ଜଙ୍ଗଲୀ ହାତୀଟିକୁ ବନ୍ଦୀ ଅବସ୍ଥାରେ ବରଡ଼ାଳ ଓ କଦଳୀ ଖାଇବାକୁ ଦିଆଯାଇଛି ।

ତେବେ ତିନି ଦିନ ଧରି ହାତୀକୁ ବନ୍ଦୀ ଅବସ୍ଥାରେ ରଖାଯିବାକୁ ନାପସନ୍ଦ କରାଯାଇଛି । ଏବଂ ତାର ସ୍ୱାସ୍ଥ୍ୟବସ୍ଥା ନେଇ ପ୍ରଶ୍ନ ଉଠିଛି । ବାରମ୍ବାର ଟ୍ରାଙ୍କୁଲାଇଜ କରାଯିବାରୁ ତାର ଅବସ୍ଥା ଭଲ ନଥିବା କୁହାଯାଉଛି । ଗୋଡ଼ ବନ୍ଧା ଯାଇଥିବାରୁ ବିରକ୍ତ ଭାବ ପ୍ରକାଶ କରିବା ସହ ଶୁଣ୍ଢରେ ମାହୁନ୍ତଙ୍କୁ ଆକ୍ରମଣ କରିବାକୁ ଉଦ୍ୟତ ହେଉଥିଲା ଦନ୍ତା । ତେବେ ବନ୍ଦୀ ହେବାର ୩ଦିନ ପର୍ଯ୍ୟନ୍ତ ତାକୁ ମୁକ୍ତ କରାଯାଇନଥିବାରୁ ହାତୀ ବିଶେଷଜ୍ଞମାନେ ଚିନ୍ତା ପ୍ରକଟ କରିଛନ୍ତି ।

ବାଟବଣା ହୋଇଥିବା ଦନ୍ତା ହାତୀକୁ ଟ୍ରାଙ୍କୁଲାଇଜ କରାଯିବା ପରେ ହାଇୱାରେ ପ୍ରାୟ ୨ ଶହ କିଲୋମଟିର ବୁଲାଯିବା ପରେ ଶେଷରେ ଚନ୍ଦକା ନିଆଯାଇଥିଲା । ପାତ୍ରପଡାରେ ଟ୍ରାଙ୍କୁଲାଇଜ ପରେ ହାତୀକୁ ଧରି ବନବିଭାଗ କର୍ମଚାରୀମାନେ ଏ ଜଙ୍ଗଲରୁ ସେ ଜଙ୍ଗଲକୁ ବୁଲିଥିଲେ । ଆଉ ଟ୍ରାଙ୍କୁଲାଇଜ ହୋଇଥିବା ହାତୀ ଦିନସାରା ହାଇୱା ଉପରେ ଠିଆ ହୋଇଥିଲା । ଗୋଡରେ ଲୁହା ଶିକୁଳି ଓ ପ୍ଲାଷ୍ଟିକ ରଶି ବନ୍ଧାଯାଇଥିଲା । ଯାହା ଏବେବି ଖୋଲାଯାଇନାହିଁ ।