ଏକ୍ସିଟ ପୋଲର ଆକଳନ: ଦିଲ୍ଲୀ ଏମସିଡି ନିର୍ବାଚନରେ ପଦ୍ମ ଓ ହାତକୁ ସଫା କରିପାରେ ଝାଡୁ

253

କନକ ବ୍ୟୁରୋ: ଗୁଜରାଟରେ କିଏ ସରକାର ଗଠନ କରିବ ଓ କାହାକୁ ଆଗାମୀ ୫ବର୍ଷ ପାଇଁ ଅପେକ୍ଷା କରିବାକୁ ପଡିବ ତାହା ଡିସେମ୍ବର ୮ ତାରିଖର ଭୋଟ ଗଣତିରେ ସ୍ପଷ୍ଟ ହେବ । କିନ୍ତୁ ଏହା ପୂର୍ବରୁ ଏକ୍ସିଟ୍ ପୋଲ ସାମ୍ନାକୁ ଆସିଛି । ବିଭିନ୍ନ ଏକ୍ସିଟ ପୋଲ ସମାନ କଥା କହୁଛି ଯେ ଲଗାତାର ୭ଥର ପାଇଁ ବିଜେପି ଗୁଜରାଟରେ ସରକାର ଗଠନ କରିବ । ୨୭ବର୍ଷ ଧରି ଗୁଜରାଟର ଶାସନ ଡୋରି ଧରିଥିବା ବିଜେପି ପୁଣି ଥରେ କମାଲ କରିବ ଓ ରାଜ୍ୟରେ ମୋଦି ମ୍ୟାଜିକ ଜାରି ରହିବ ବୋଲି କହୁଛି ଏକ୍ସିଟ ପୋଲ । ବିଜେପି ଗୁଜରାଟରେ ସପ୍ତମ ଥର ପାଇଁ କ୍ଷମତା ଦଖଲ କରିବାକୁ ଲକ୍ଷ୍ୟ ରଖିଛି । ଆଉ ଯଦି ବିଜେପି ନିଜ ଲକ୍ଷ୍ୟ ପୂରଣ କରିବ ତାହେଲେ ସିପିଏମର ପୁରୁଣା ଭାଙ୍ଗିବ । କାରଣ ସରକାର ଗଢିଲେ ଦୀର୍ଘ ୩୨ ବର୍ଷ ସରକାର ଗଢିଥିବା ଦଳରେ ସାମିଲ ହେବ ଭାରତୀୟ ଜନତା ପାର୍ଟି । କିନ୍ତୁ ଏହା ପୂର୍ବରୁ ପଶ୍ଚିମବଙ୍ଗରେ ୩୪ ବର୍ଷ ଧରି ଲଗାତର କ୍ଷମତାରେ ଥିଲା ସିପିଏମ୍ ।

ତ୍ରିମୁଖୀ ଲଢେଇ ସହ ଶେଷ ହୋଇଛି ଗୁଜରାଟ ନିର୍ବାଚନ । ବିଜେପି, କଂଗ୍ରେସ ଓ ଆମ ଆଦମୀ ପାର୍ଟିରେ ହୋଇଥିଲା ଏହି ଜୋରଦାର ଲଢେଇ । ଗୋଟେ ପଟେ ବିଜେପିର ଏଠି ଯେତିକି ଦବଦବା ଥିଲା, ସେହି ତୁଳନାରେ ଆମ ଆଦମୀ ପାର୍ଟି କିଛି କମାଲ କରିବ ବୋଲି ଆଶା କରାଯାଉଥିଲା । ପଂଜାବରେ ଆମ ଆଦମୀ ପାର୍ଟି ଯେଉଁ ମ୍ୟାଜିକ କରିଥିଲା ସେଭଳି କିଛି ଗୁଜରାଟରେ ହେବା ନେଇ ଆଶା ଥିଲା । କିନ୍ତୁ କେଜ୍ରିୱାଲଙ୍କ ଝାଡୁର କ୍ରେଜ ଗୁଜରାଟରେ ବିଶେଷ କିଛି ଦୃଷ୍ଟି ଆକର୍ଷଣ କରିପାରିନଥିବା କହୁଛି ଏକ୍ସିଟ ପୋଲ । ଗୁଜୁରାଟରେ ପୁଣି ଥରେ ବିଜେପି ସରକାର ଗଠନ କରୁଥିବା ସମ୍ଭାବନା ଦେଖାଦେଇଛି ।

ଗୁଜରାଟରେ କଂଗ୍ରେସର ସ୍ଥିତି କିଛି ଭଲ ନଥିବା କହୁଛି ଏକ୍ସିଟ ପୋଲ । କିନ୍ତୁ ହିମାଚଳ ପ୍ରଦେଶରେ ବଦଳିପାରେ ଦଳର ଭାଗ୍ୟ । ହିମାଚଳ ଇତିହାସ କହୁଛି ପ୍ରତିଥର ନିର୍ବାଚନରେ ଏଠାରେ ସରକାର ପରିବର୍ତନ ହୁଏ । ୩୭ବର୍ଷ ଧରି ଗୋଟିଏ ଥର ବିଜେପିରେ ପାଳିପଡିଲେ ପର ପାଳି କଂଗ୍ରେସ ହାତକୁ ଯାଏ । ଆଉ ଏଥରକ ମଧ୍ୟ ସେମିତି କିଛି ହେବା ସମ୍ଭାବନା ରହିଛି । ଏଥରକ ଏହି ରେକର୍ଡ ଭାଙ୍ଗି ୨ୟ ଥର ପାଇଁ ବିଜେପି ସରକାର ଗଠନ କରିବ ବୋଲି କୁହାଯାଉଛି । କିନ୍ତୁ ଏକ୍ସିଟ ପୋଲ କହୁଛି ବିଜେପି ଓ କଂଗ୍ରେସ ମଧ୍ୟରେ ହୋଇପାରେ କଡ଼ା ଟକ୍କର । କିନ୍ତୁ ସ୍ପଷ୍ଟ ଚିତ୍ର କଣ ସେକଥା ୮ ତାରିଖରେ ଜଣାପଡିବ ।ସେପଟେ ରାଜ୍ୟରେ ଆମ ଆଦମୀ ପାର୍ଟି ଖାତା ଖୋଲିବନି ବୋଲି ଏକ୍ସିଟ ପୋଲର ଆକଳନ ରହିଛି ।

ଗୁଜରାଟ ଓ ହିମାଚଳ ବିଧାନସଭା ନିର୍ବାଚନରେ ଆମ ଆଦମୀ ପାର୍ଟି ନିରାଶ ହୋଇଛି କିନ୍ତୁ ଦିଲ୍ଲୀ ଏମସିଡିରେ ‘ଆପ୍’ର ଦବଦବା ଦେଖିବାକୁ ମିଳିଛି । ଏକଜିଟ ପୋଲ ଅନୁସାରେ, ବିଜେପି ହାତରୁ ଖସିବାକୁ ଯାଉଛି ଦିଲ୍ଲୀ । ଅଧିକାଂଶ ଏକଜିଟ ପୋଲ କହୁଛି, ଏଠାରେ ମୋଟ ୨୫୦ ୱାର୍ଡ ମଧ୍ୟରୁ ଅଧିକାଂଶ ୱାର୍ଡରେ ଆପ ଜିତିପାରେ । ଏମସିଡିରେ ବହୁମତ ପାଇଁ ୧୨୬ ୱାର୍ଡ ଆବଶ୍ୟକ ଥିବାବେଳେ ଅଧିକାଂଶ ଏକଜିଟ ପୋଲ ଆପ୍କୁ ବହୁମତ ଦେଇଛନ୍ତି । ଏଭଳି ହେଲେ ଦୀର୍ଘ ୧୫ ବର୍ଷ ପରେ ବିଜେପି ହାତକୁ ଦିଲ୍ଲୀ ମହାନଗର ନିଗମ ଚାଲିଯିବ । ଆଉ ଆପ୍ ପ୍ରଥମ ଥର ଲାଗି କ୍ଷମତା ଦଖଲ କରିବ ।

ଡିସେମ୍ବର ୮ରେ ଗୁଜରାଟ, ହିମାଚଳ ବିଧାନସଭା ଓ ଦିଲ୍ଲୀ ଏମସିଡି ନିର୍ବାଚନର ଭୋଟ ଗଣତି ହେବ । ସେହିଦିନ ସ୍ପଷ୍ଟ ଚିତ୍ର । କିନ୍ତୁ ଏହା ପୂର୍ବରୁ ବିଭିନ୍ନ ସଂସ୍ଥା ଦ୍ୱାରା କରାଯାଇଥିବା ଏକ୍ସିଟ ପୋଲ ଫଳାଫଳକୁ ଦେଖିଲେ ଗୁଜରାଟରେ ବିଜେପି, ହିମାଚଳରେ ବିଜେପି ଓ କଂଗ୍ରେସ ମଧ୍ୟରେ କଡ଼ା ଟକ୍କର ଓ ଦିଲ୍ଲୀ ଏମସିଡିରେ ଆପକୁ ସଫଳତା ମିଳୁଥିବା ଦେଖିବାକୁ ମିଳୁଛି ।