ଶ୍ରୀକୃଷ୍ଣ ଜନ୍ମଭୂମି ମଥୁରାରେ ଅଶାନ୍ତ ମାହୋଲ। ସ୍ଥିତିକୁ ସମ୍ଭାଳିବା ପାଇଁ ସାରା ସହରରେ ୧୪୪ ଧାରା ଜାରି।

286

କନକ ବ୍ୟୁରୋ: କଡ଼ା ସୁରକ୍ଷା ବଳୟ ଭିତରେ ଶ୍ରୀକୃଷ୍ଣ ଜନ୍ମଭୂମି ମଥୁରା । ଶାହି ଇଦଗାହରେ ହନୁମାନ ଚାଳିଶା ପାଠ କରିବା ପାଇଁ ଭାରତ ହିନ୍ଦୁ ମହାସଭା ଘୋଷଣା କରିବା ପରେ ଏଠାରେ ସୁରକ୍ଷା ଛାଉଣୀ କରାଯାଇଛି । ମଥୁରାରେ ଅନ୍ୟ ସହରରୁ ଆସୁଥିବା ଯାନବାହାନ ଉପରେ କଡ଼ା ନଜର ରଖାଯାଇଛି । ସ୍ଥାନେ ସ୍ଥାନେ ବ୍ୟାରିକେଡ ଲଗାଯାଇଛି । ସାମ୍ପ୍ରଦାୟିକ ହିଂସା ସୃୃଷ୍ଟି ଆଶଙ୍କା ପ୍ରକାଶ ପାଇବା ପରେ ଆଲର୍ଟରେ ସ୍ଥାନୀୟ ପ୍ରଶାସନ ରହିଛି । କିଛି ଦିନ ପୂର୍ବରୁ ଅଖିଳ ଭାରତୀୟ ହିନ୍ଦୁ ମହାସଭା ମଥୁରାର ଶାହି ଇଦଗାହ ପରିସରରେ ହନୁମାନ ଚାଳିସା ପାଠ କରିବା ପାଇଁ ସ୍ଥାନୀୟ ପ୍ରଶାସନଠୁ ଅନୁମତି ମାଗିଥିଲା ।

ସଂଗଠନର ଦାବି କି ପ୍ରାଚୀନ ଶ୍ରୀକୃଷ୍ଣ ମନ୍ଦିରର ଗର୍ଭଗୃହ ଏହି ସ୍ଥାନରେ ରହିଛି । ଏଥିସହ ବାବ୍ରୀ ମସଜିଦ ଧ୍ୱଂସକୁ ୩୦ବର୍ଷ ପୂର୍ତି ଅବସରରେ ଏହି କାର୍ଯ୍ୟକ୍ରମର ଆୟୋଜନ କରିଥିଲା ସଂଗଠନ । ତେବେ ପ୍ରଶାସନ ପକ୍ଷରୁ ଏନେଇ ଅନୁମତି ମିଳିନି । ସ୍ଥିତିକୁ ଦେଖି ମଥୁରା ପ୍ରଶାସନ ରାଜନୈତିକ, ସାମଜିକ, ଧାର୍ମିକ ସଂଗଠନଙ୍କ ଦ୍ୱାରା ଆୟୋଜିତ ସବୁ ପ୍ରକାର କାର୍ଯ୍ୟକ୍ରମ ରୋକ ଲଗାଇଛନ୍ତି । ଜାନୁଆରୀ ୨୮ ତାରିଖ ପର୍ଯ୍ୟନ୍ତ ଏହି ଆଦେଶ ବଳବତ୍ତର ରହିବ । ତେବେ ଏବେ ସୁଦ୍ଧା ୧୨ଜଣଙ୍କୁ ହାଜତକୁ ନିଆଯାଇଛି ଓ ସ୍ଥାନୀୟ ଅଞ୍ଚଳରେ ୧୪୪ ଧାରା ଲାଗୁ କରାଯାଇଛି।