ଆମ ଓଡ଼ିଶା, ନବୀନ ଓଡ଼ିଶା ଯୋଜନା ଆରମ୍ଭ, ପ୍ରତି ପଞ୍ଚାୟତକୁ ମିଳିବ ୫୦ ଲକ୍ଷ । 

4,147

କନକ ବ୍ୟୁରୋ :  ପ୍ରତି ପଞ୍ଚାୟତକୁ ମିଳିବ ୫୦ ଲକ୍ଷ । ଗତକାଲି ହୋଇଥିବା କ୍ୟାବିନେଟ୍ ବୈଠକରେ ଏଭଳି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଗ୍ରାମାଂଚଳର ବିକାଶ ପାଇଁ ହାତ ଖୋଲା କରିଦେଇଛନ୍ତି ସରକାର । ଏକ ନୂଆ ଯୋଜନା ‘ଆମ ଓଡ଼ିଶା ନବୀନ ଓଡ଼ିଶା’ ଘୋଷଣା କରାଯାଇଛି । ଏହି ଯୋଜନାରେ ଚଳିତ ଆର୍ଥିକ ବର୍ଷରେ ୪ ହଜାର କୋଟି ଟଙ୍କାର ବ୍ୟୟବରାଦ ହୋଇଛି । ଯେଉଁଥିରେ ପ୍ରତି ପଂଚାୟତକୁ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅନୁଦାନ ମିଳିବ ।

ଅନୁଦାନ ଅର୍ଥରୁ ଜଗନ୍ନାଥ ସଂସ୍କୃତି ଓ ପରମ୍ପରାର ପ୍ରୋତ୍ସାହନ, ସଂରକ୍ଷଣ କରାଯିବ । ଅଧିକ ସଂଖ୍ୟାରେ ତୀର୍ଥ ଯାତ୍ରୀଙ୍କର ସମାଗମ ହେଉଥିବା ଉପାସନା ସ୍ଥଳୀଗୁଡ଼ିକରେ ତୀର୍ଥଯାତ୍ରୀଙ୍କ ସୁବିଧା ପାଇଁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରାଯାଇପାରିବ । ସେହିଭଳି ଓଡ଼ିଶାର ଐତିହ୍ୟ, ସାଂସ୍କୃତିକ ଭିତ୍ତିଭୂମି ବିକାଶ, ପ୍ରାଥମିକ ଶିକ୍ଷଶ ଉନ୍ନତିକରଣ, ମହିଳା  ଓ ଯୁବ ସଶକ୍ତିକରଣ ହାସଲ କରିବା ନିମନ୍ତେ ଭିତ୍ତିଭୂମିର ବିକାଶ, ଯୁବପୀଢିଙ୍କ ପାଇଁ କ୍ରୀଡା ସୁବିଧା, ବ୍ୟାଙ୍କିଙ୍ଗ ସେବା ତଥା ଡିଜିଟାଲ ସେବା ନିମନ୍ତେ ଆବଶ୍ୟକୀୟ ଭିତ୍ତିଭୂମିର ଉନ୍ନତିକରଣ ପାଇଁ ଏହି ଯୋଜନାରେ ପ୍ରସ୍ତାବ ଗ୍ରହଣ କରାଯିବ । ପଂଚାୟତୱାରୀ ପ୍ରକଳ୍ପ ତାଲିକା ବ୍ଲକ ସ୍ତରରୁ ପ୍ରସ୍ତାବିତ ହୋଇ ଜିଲ୍ଲାପାଳ ଓ ଜିଲ୍ଲା ପରିଷଦ ସଭାପତିଙ୍କ ଦସ୍ତଖତ ସହିତ ସରକାରଙ୍କ ଅନୁମୋଦନ ପାଇଁ ପଂଚାୟତିରାଜ ଓ ପାନୀୟ ଜଳ ଯୋଗାଣ ବିଭାଗକୁ ପଠାଯିବ ।