ଶେଷ ହେବ ମୋବାଇଲ୍ କମ୍ପାନୀଙ୍କ ମନମାନି । ସବୁ ସ୍ମାର୍ଟଫୋନ୍ ପାଇଁ କେବଳ ଗୋଟିଏ ଚାର୍ଜର । EU ପାର୍ଲିଆମେଣ୍ଟରେ ପାସ୍ ହେଲା ନୂଆ ନିୟମ

177

କନକ ବ୍ୟୁରୋ: ଚାର୍ଜରକୁ ନେଇ ମୋବାଇଲ୍ କମ୍ପାନୀମାନଙ୍କର ମନମାନି ଶେଷ ହେବାକୁ ଯାଉଛି । ୟୁରୋପରେ ଏବେ ମୋବାଇଲ୍ କମ୍ପାନୀମାନଙ୍କ ପାଇଁ ସିଙ୍ଗଲ୍ ଚାର୍ଜର ରୁଲ୍ ମାନିବା ବାଧ୍ୟତାମୂଳକ କରାଯାଇଛି । ନୂଆ ନିୟମ ଅନୁସାରେ, ଏଣିକି ସବୁ ମୋବାଇଲରେ କେବଳ ଟାଇପ-ସି ଚାର୍ଜର ରହିବ । ତେବେ ଖୁବଶୀଘ୍ର ଏହି ନିୟମ ଭାରତରେ ମଧ୍ୟ ଲାଗୁ ହୋଇପାରେ ।

ବର୍ତ୍ତମାନ ଆମ ଦେଶରେ ଏକାଧିକ ମୋବାଇଲ୍ କମ୍ପାନୀ ରହିଥିବାବେଳେ, ଅନେକ କମ୍ପାନୀର ଚାର୍ଜର ମଧ୍ୟ ଭିନ୍ନ ଭିନ୍ନ । ଏଥିପାଇଁ ଲୋକଙ୍କୁ ମଧ୍ୟ ଅନେକ ଅସୁବିଧାର ସାମ୍ନା କରିବାକୁ ପଡୁଛି । ତେବେ ୨୦୨୪ ବେଳକୁ ଆମ ଦେଶରେ ମଧ୍ୟ ଏହି ସିଙ୍ଗଲ୍ ଚାର୍ଜିଂ ନିୟମ ଲାଗୁ ହୋଇପାରେ ବୋଲି କୁହାଯାଉଛି । ବର୍ତ୍ତମାନ ପାଇଁ ୟୁରୋପୀୟ ୟୁନିୟନ ପାର୍ଲିଆମେଣ୍ଟରେ ଏହି ରୁଲକୁ ପାସ୍ କରିଦିଆଯାଇଛି ।

ଏହି ସିଙ୍ଗଲ୍ ଚାର୍ଜର ନିୟମ ଲାଗୁ ହେବା ପରେ ଆପଲ୍ କମ୍ପାନୀ ଉପରେ ଏହାର ପ୍ରଭାବ ଅଧିକ ପଡିପାରେ । ଆପଲ୍ କମ୍ପାନୀ ଏହି କମନ୍ ଚାର୍ଜର ନିୟମକୁ ବରୋଧ କରିଆସୁଛି । ତେଣୁ ଏହି ନିୟମ ଲାଗୁ ହେଲେ କମ୍ପାନୀ ଅଧିକ କ୍ଷତି ସହିପାରେ ।ତେବେ ଭାରତରେ ଏହି ନିୟମକୁ କିପରି ଶୀଘ୍ର ଲାଗୁ କରାଯାଇପାରିବ ସେନେଇ କଥାବାର୍ତ୍ତା ଚାଲିଛି । କୁହାଯାଉଛି ଭାରତରେ ଏହି ନିୟମ ସାମାନ୍ୟ ପରିବର୍ତ୍ତନ ହୋଇପାରେ । ଭାରତରେ ପ୍ରଥମେ ଦୁଇ ପ୍ରକାର ଚାର୍ଜର ବାଧ୍ୟତାମୂଳକ ହୋଇପାରେ । ଅର୍ଥାତ ମୋବାଇଲ୍ ନିର୍ମାତା କମ୍ପାନୀମାନେ ନିଜ ମୋବାଇଲରେ କେବଳ ଦୁଇ ପ୍ରକାର ଚାର୍ଜର ହିଁ ରଖିପାରିବେ । ତେବେ ଏହି ଖବର ନେଇ କୌଣସି ସ୍ପଷ୍ଟତା ଆସିନି । ହେଲେ ଖୁବଶୀଘ୍ର ସାରା ଦେଶରେ ଏହି କମନ୍ ଚାର୍ଜର ନିୟମ ଲାଗୁ ହୋଇପାରେ ।