୯୨ଲକ୍ଷ ଟଙ୍କା ଠକେଇ ମାମଲା : ବଡ ଖବର ସମ୍ପାଦକ ଅର୍ଦ୍ଧେନ୍ଦୁ ଦାଶଙ୍କ ଘରେ ଇଓଡବ୍ଲୁ ରେଡ୍

482

କନକ ବ୍ୟୁରୋ :  ବଡ ଖବର ସମ୍ପାଦକ ଅର୍ଦ୍ଧେନ୍ଦୁ ଦାଶଙ୍କ ଘରେ ଇଓଡବ୍ଲୁ ରେଡ୍ । ୯୨ଲକ୍ଷ ଟଙ୍କା ଠକେଇ ମାମଲାରେ ଇଓଡବ୍ଲୁ ରେଡ କରିଛି । ସୂଚନାନୁସାରେ, ଗତକାଲି ରାତିରେ ଅର୍ଥନୈତିକ ଅପରାଧ ଶାଖା ଚଢାଉ କରିଛି । ଅର୍ଦ୍ଧେନ୍ଦୁଙ୍କୁ ଖୋଜୁଥିବା ନେଇ ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି ।

ଦିଲ୍ଲୀର ସଲ୍ୟୁସନ୍ ବ୍ରଡ୍‌କାଷ୍ଟ୍‌ର ପ୍ରୋପାଇଟର୍ ଗଗନଦୀପ ସିଂହ ଚାବଲା କ୍ରାଇମବ୍ରାଞ୍ଚ୍‌ର ଅର୍ଥନୈତିକ ଅପରାଧ ଶାଖାରେ ଅଭିଯୋଗ କରିଛନ୍ତି । ଅଭିଯୋଗକୁ ଆଧାର କରି ଇଓଡବ୍ଲୁ ଗତ ୨୩ ତାରିଖ‌ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଅଭିଯୋଗ ମୁତାବକ, ବଡ଼ଗଡ଼ ଟଙ୍କପାଣିଠାରେ ଏକ ଓଡ଼ିଆ ଟିଭି ଚାନେଲ୍ ପ୍ରତିଷ୍ଠା କରିବା ପାଇଁ ୨୦୨୦ ମସିହାରେ ତାଙ୍କ ସହ ଅର୍ଦ୍ଧେନ୍ଦୁ ଯୋଗାଯୋଗ କରିଥିଲେ ।

ଆଲୋଚନା ପରେ ଗଗନଦୀପ ସିଂହ ଚାବଲା ବୈଦ୍ୟୁତିକ ଯନ୍ତ୍ରାଂଶ ଯୋଗାଇଦେବା ପାଇଁ କୋଟିଏ ୪୭ହଜାର ୭୦ଟଙ୍କାର ଚୁକ୍ତି ହୋଇଥିଲା । ଏଥିପାଇଁ ଅଗ୍ରୀମ ବାବଦକୁ ଅର୍ଦ୍ଧେନ୍ଦୁ ତାଙ୍କୁ ୧୦ଲକ୍ଷ ଟଙ୍କା ମଧ୍ୟ ଦେଇଥିଲେ । ଯୋଜନା ମୁତାବକ, ୨୦୨୦ ଅକ୍ଟୋବର ୨୧ ପରଠାରୁ ଗଗନଦୀପ ସିଂହ ଚାବଲାଙ୍କ ସଂସ୍ଥା ଭିଏଲ୍ କାର୍ଗୋ ଜରିଆରେ ନିର୍ଧାରିତ ଟଙ୍କାର ବୈଦ୍ୟୁତିକ ଯନ୍ତ୍ରାଂଶ ପଠାଇଥିଲା । ବଡ଼ ଖବର ପକ୍ଷରୁ କୀର୍ତ୍ତିକ ଚନ୍ଦନ ରାୟ ଏହାକୁ ଗ୍ରହଣ କରିଥିଲେ । ୬ମାସ ମଧ୍ୟରେ ବାକି ଥିବା ୯୨ଲକ୍ଷ ୪୭ହଜାର ୭୦ଟଙ୍କା ପୈଠ କରିବାକୁ ନିଷ୍ପତ୍ତି ହୋଇଥିଲା । କିନ୍ତୁ ଯନ୍ତ୍ରାଂଶ ଲାଗିଯିବା ପରେ ଅର୍ଦ୍ଧେନ୍ଦୁ ଆଉ ଟଙ୍କା ଦେଇନଥିଲେ ।

ସେପଟେ, ସଂପାଦକ ଅର୍ଦ୍ଧେନ୍ଦୁ ଦାଶଙ୍କ କହିବାନୁସାରେ, ଅଭିଯୋଗରେ କୌଣସି ସତ୍ୟତା ନାହିଁ । ଏକ ବିବୃତି ଦେଇ ସେ କହିଛନ୍ତି, ଚାନେଲ ଆରମ୍ଭ ବେଳେ ଦିଲ୍ଲୀର ସଲ୍ୟୁସନ ବ୍ରଡକାଷ୍ଟର ପ୍ରୋପାଇଟର ଗଗନଦୀପ ସିଂ ସବୁ ସାମଗ୍ରୀ କୋରିୟରରେ ଦିଲ୍ଲୀରୁ ପଠାଇଥିଲେ। କିନ୍ତୁ ଅନେକ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ପ୍ରସାରଣ ସମ୍ଭବ ହୋଇପାରିନଥିଲା । ଗଗନଦୀପ ନିଜେ ସ୍ୱୀକାର କରିଥିଲେ ଯେ ଏଗୁଡିକ ପୁରୁଣା ଓ ଖରାପ କ୍ୱାଲିଟିର ।

ଏହା ସ୍ୱୀକାର କରି ଏକ କୋଟି ୨୦ ଲକ୍ଷ ଟଙ୍କା ବଦଳରେ ସେ ୭୦ ଲକ୍ଷ ଟଙ୍କାର ସାନି ବିଲ ଦେଇଥିଲେ। ତେବେ ଏହି ରେଟରେ ଆମେ ସନ୍ତୁଷ୍ଟ ହେଲୁନାହିଁ । ଉଭୟ ପକ୍ଷରୁ ନିରପେକ୍ଷ ଲୋକଙ୍କୁ ଡାକି ଉଚିତ୍ ମୂଲ୍ୟ ନିର୍ଦ୍ଧାରଣ ପାଇଁ ଦାବିକଲୁ । ଏହା ମଧ୍ୟରେ ସେ ବହୁତ ଦାମୀ ହାର୍ଡଓ୍ବାର ଓ ସଫ୍ଟଓ୍ବାର ଫେରସ୍ତ ନେଇଗଲେ। ଫେରସ୍ତ ନେଇଥିବା ଜିନିଷର ରସିଦ ମଧ୍ୟ ଆମକୁ ଦେଇଛନ୍ତି । ଆମ ଅଫିସରେ ତାଙ୍କର ଆଉ ବେଶି କିଛି ସାମଗ୍ରୀ ନାହିଁ ।