ଗୁଳି ଖାଇ ଜଙ୍ଗଲରେ ପଡିରହିଛି ଆହତ ଦନ୍ତା । ଦେହରେ ଲାଗିଛି ୫ଟି ଗୁଳି । ବନବିଭାଗ ଓ ଡାକ୍ତରୀ ଟିମର ଚିକିତ୍ସା ଜାରି

99

କନକ ବ୍ୟୁରୋ: ଗୁଳିମାଡରେ ଛଟପଟ ହେଉଛି ହାତୀ । କଟକ ନରସିଂହପୁରରେ ୧୫ ଦିନ ହେବ ଗୁଳି ଖାଇ ବୁଲିବା ପରେ ବନବିଭାଗ ଆକ୍ସନକୁ ଆସିଛି । ହାତୀକୁ ଔଷଧ ଓ ସାଲାଇନ ଦିଆଯାଇ ସୁସ୍ଥ କରିବାକୁ ଉଦ୍ୟମ ହେଉଛି । ହାତୀ ଦେହରେ ୫ ଗୁଳି ବାଜିଛି । ବଡ ପ୍ରଶ୍ନ ହେଉଛି, ହାତୀକୁ ଗୁଳି ମାରିଲା କିଏ? ନିିକଟରେ ମାଟି ତଳୁ ଦୁଇଟି ହାତୀ କଙ୍କାଳ ଉଦ୍ଧାର ହେବା ପରେ ସନ୍ଦେହ ଘେରକୁ ଆସିଛନ୍ତି ବନ ବିଭାଗର କର୍ମଚାରୀ । ଏବେ ପୁଣି ଏକ ହାତୀକୁ ଗୁଳିମାଡ ହେବା ବନ ବିଭାଗର ଅପାରଗତାକୁ ପଦାରେ ପକାଇଛି । ବଡ ପ୍ରଶ୍ନ ହେଉଛି, ବନ ବିଭାଗ ଆଉ ଶିକାରୀଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ନାହିଁ ତ ?

କଟକ ଜିଲ୍ଲା ନରସିଂହପୁର ଅଞ୍ଚଳରେ ୮-୧୦ ବର୍ଷର ହାତୀକୁ ହୋଇଛି ଗୁଳିମାଡ । ପାଖାପାଖି ୧୫ ଦିନ ହେବ ଗୁଳି ଖାଇ ବୁଲିବା ପରେ ଏବେ ବନ ବିଭାଗ ଆରମ୍ଭ କରିଛି ହାତୀର ଚିକିତ୍ସା । ନନ୍ଦନକାନନ ଓ ସାତକୋଶିଆର ଦୁଇଟି ଡାକ୍ତରୀ ଦଳ ହାତୀର ଚିକିତ୍ସା କରୁଛନ୍ତି । ହାତୀକୁ ଔଷଧ ଓ ସାଲାଇନ ଦେଇ ସୁସ୍ଥ କରିବାକୁ ଉଦ୍ୟମ କରୁଛନ୍ତି । ହାତୀ ଦେହରେ ୫ଟି ଗୁଳି ବାଜିଥିଲେ ମଧ୍ୟ ଗୁଳି ଗୁଡିକ ଶରୀର ଭେଦ କରି ଚାଲିଯାଇଥିବା କହିଛନ୍ତି ଡାକ୍ତର । ହାତୀଟି ଶୀଘ୍ର ସୁସ୍ଥ ହୋଇଯିବ ବୋଲି ଆଶା କରୁଛି ବନ ବିଭାଗ ।

ଶିକାରୀଙ୍କ ଚରାଭୂଇଁ ପାଲଟିଛି ଆଠଗଡ ଓ ନରସିଂହପୁର ଜଙ୍ଗଲ । ନିକଟରେ ମାଟି ତଳୁ ଦୁଇଟି ହାତୀ କଙ୍କାଳ ଉଦ୍ଧାର ହେବା ପରେ ସନ୍ଦେହ ଘେରକୁ ଆସିଛନ୍ତି ବନ ବିଭାଗର କର୍ମଚାରୀ । ଏବେ ପୁଣି ଏକ ହାତୀକୁ ଗୁଳିମାଡ ହେବା ବନ ବିଭାଗର ଅପାରଗତାକୁ ପଦାରେ ପକାଇଛି । ସ୍ଥାନୀୟ ବିଧାୟକ ମଧ୍ୟ ଏହି ଘଟଣାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି । ଏବେ ପ୍ରଶ୍ନ ଉଠୁଛି ହାତୀଙ୍କ ଗତିବିଧି ଉପରେ ବନ ବିଭାଗ ଦିନ ରାତି ନଜର ରଖୁଥିବା ବେଳେ ଶିକାରି କିପରି ଆକ୍ରମଣ କରୁଛି ? ବନ ବିଭାଗ ଆଉ ଶିକାରୀଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ନାହିଁ ତ ? ହାତୀ ମାରି ପୋତିଦେବା ପଛରେ ବନ ବିଭାଗର ଉଦ୍ଦେଶ୍ୟ କ’ଣ? କେବଳ ହାତୀ ଦାନ୍ତ, ବାଘ ଛାଲ ଜବତ କରାଯାଉଛି କିନ୍ତୁ ଶିକାରୀର ଟେର ପାଉ ନାହାନ୍ତି କାହିଁକି ?