ଧୋକାଦେଉଛି ମୌସୁମୀ, ସାରା ରାଜ୍ୟରେ ଅସହ୍ୟ ତାତି । ଓଡ଼ିଶାକୁ ବିଳମ୍ବ ହୋଇପାରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁପ୍ରବାହ ।

850

କନକ ବ୍ୟୁରୋ: ଆକାଶରୁ ଯେଭଳି ନିଆଁ ବର୍ଷା ହେଉଛି, ତାକୁ ଦେଖିଲେ ସ୍ପଷ୍ଟ ଜଣାପଡୁଛି ଯେ, ମୌସୁମୀ ଆସିବାକୁ ଆହୁରି ସମୟ ବାକିଅଛି । ଏଥର ମୌସୁମୀ ଆଗୁଆ ଆସିବ ଏବଂ ପ୍ରାକ ମୌସୁମୀ ବର୍ଷାରେ ଓଡିଶା ଭିଜିବ ବୋଲି ପାଣିପାଗ ବିଭାଗ ଯେଉଁ ଆକଳନ କରିଥିଲା ତାହା ବର୍ତମାନ ସୁଦ୍ଧା ଭୁଲ ପ୍ରମାଣିତ ହୋଇଛି । ବାୟୁମଣ୍ଡଳରେ ଏମିତି ପରିସ୍ଥିତି ସୃଷ୍ଟି ହୋଇଛି ଯେ, ମୌସୁମୀ ଓଡିଶା ଛୁଇଁବା ତ ଦୂରର କଥା ପ୍ରାକ ମୌସୁମୀ ବର୍ଷାର ବି ଦେଖାନାହିଁ ।

ଚଳିତବର୍ଷ ୩ ଦିନ ଆଗରୁ କେରଳରେ ପହଞ୍ଚିଥିଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ସାଧାରଣତଃ କେରଳରେ ମୌସୁମୀ ଛୁଇଁବାର ୨ ସପ୍ତାହେ ଭିତରେ ଓଡିଶାକୁ ଆସୁଥିବାରୁ ଜୁନ ୧୦ରୁ ୧୨ ମଧ୍ୟରେ ମୌସୁମୀ ବର୍ଷା ଆରମ୍ଭ ହେବାକଥା । ଏହା ପୂର୍ବରୁ ପ୍ରାକ ମୌସୁମୀ ବର୍ଷାରେ ଭିଜିବା କଥା ରାଜ୍ୟର ଅଧିକାଂଶ ସ୍ଥାନ । କିନ୍ତୁ ଏଯାଏ ସେଭଳି କିଛି ସଂକେତ ଦେଖାଯାଉ ନାହିଁ । ତେବେ କାହିଁକି ଓଡିଶାକୁ ମୌସୁମୀ ଆସିବାରେ ବିଳମ୍ବ ହେଉଛି ସେନେଇ କିଛି ଗୁରୁତ୍ୱପୂର୍ଣ୍ଣ ଦିଗ ଉପରେ ଆଲୋକପାତ କରିଛନ୍ତି ପାଣିପାଗ ବିଜ୍ଞାନୀ ।

କାହିଁକି ବିଳମ୍ବ ହେଉଛି ମୌସୁମୀ?

  • ଉତ୍ତର ଓ ପଶ୍ଚିମରେ ଶୁଷ୍କ ଓ ଉତ୍ତପ୍ତ ବାୟୁ ପ୍ରବାହିତ ହେଉଛି
  • ଫଳରେ ଗୁଜରାଟ, ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଦିଲ୍ଲୀରେ ପ୍ରବଳ ଗ୍ରୀଷ୍ମପ୍ରବାହ ଅନୁଭୂତ ହେଉଛି
  • ଭାରତ ମହାସାଗରରେ ପଶ୍ଚିମରୁ ପୂର୍ବକୁ ପବନର ଗତି ବାଧାପ୍ରାପ୍ତ ହେଉଛି
  • ସେହିପରି ମେଘ ଖଣ୍ଡଗୁଡିକର ଉତ୍ତରାୟଣ ଗତିରେ ମଧ୍ୟ ବାଧା ସୃଷ୍ଟି ହେଉଛି
  • ତେଣୁ ମୌସୁମୀ ଅଗ୍ରସର ହେବାରେ ବାଧା ଉପୁଜିବା ସହ ଆକାଶରେ ବାଦଲଖଣ୍ଡ ସୃଷ୍ଟି ହୋଇପାରୁନି

ରାଜ୍ୟରେ ପାରମ୍ପରିକ ଭାବେ ଅକ୍ଷୟ ତୃତୀୟାରେ ଚାଷ କାମ ଆରମ୍ଭ ହୋଇଥିବାବେଳେ ବର୍ଷା ଅଭାବରୁ ଧାନ ଗଛସବୁ ନଷ୍ଟ ହେବାକୁ ବସିଲାଣି । କାରଣ ଜୁନ ପ୍ରଥମ ସପ୍ତାହରେ ୭୩ ପ୍ରତିଶତ ନିଅଣ୍ଟିଆ ବର୍ଷା ହୋଇଛି ।

ବର୍ଷା ନାହିଁ, ନଷ୍ଟ ହୋଇଯିବ ଧାନ ଗଛ

  • ଚଳିତବର୍ଷ ମାର୍ଚ୍ଚରୁ ମେ‘ ମଧ୍ୟରେ ୨୯% କମ୍ ବର୍ଷା ରେକର୍ଡ କରାଯାଇଥିଲା
  • ଜୁନରେ ସ୍ୱାଭାବିକଠାରୁ ଅଧିକ ବର୍ଷା ହେବ ବୋଲି ଆକଳନ ହୋଇଥିଲା
  • ହେଲେ ଜୁନ୍ ପ୍ରଥମ ସପ୍ତାହରେ ୭୩% ନିଅଣ୍ଟିଆ ବର୍ଷା ରେକର୍ଡ କରାଯାଇଛି
  • ୪ ଜିଲ୍ଲା ବରଗଡ, ସୋନପୁର, ମାଲକାନଗିରି ଓ ନୂଆପଡାରେ ଆଦୌ ବର୍ଷା ହୋଇନାହିଁ
  • ଓଡିଶାର ଭାତହାଣ୍ଡି କୁହାଯାଉଥିବା ବରଗଡ ଜିଲ୍ଲାରେ ବର୍ଷାର ୧୦୦% ନିଅଂଟିଆ ସ୍ଥିତି ରହିଛି
  • ୧୮ଟି ଜିଲ୍ଲାରେ ନିଅଣ୍ଟିଆ ବର୍ଷାର ପରିମାଣ ଯଥେଷ୍ଟ ଅଧିକ ରହିଛି