କ୍ୟାନସର୍ ରୋଗୀଙ୍କ ପାଇଁ ଆଶ୍ୱସ୍ତିକର ଖବର । ଔଷଧରେ ଭଲ ହୋଇପାରିବ ମାରାତ୍ମକ କ୍ୟାନସର ରୋଗ ।

285

କନକ ବ୍ୟୁରୋ: କର୍କଟ ରୋଗ ନାଁ ଶୁଣିଲେ ମନ ଭିତରେ ଏକ ଅଜବ ଭୟ ଆସିଥାଏ । ଏହି ରୋଗ ଥରେ ଚିହ୍ନଟ ହେବା ମାତ୍ରକେ ଜୀବନ ଚାଲିଯିବାର ଆଶଙ୍କା ଦେଖା ଦେଇଥାଏ । କିନ୍ତୁ ଏବେ ମେଡିସିନ ଦ୍ୱାରା ଏହି ମାରାତ୍ମକ ରୋଗ ଭଲ ହୋଇପାରିବ । ଆଉ ଏହା ପ୍ରମାଣିତ ମଧ୍ୟ ହୋଇଛି । କଥାଟି ବିଶ୍ୱାସ ହେଉନଥିଲେ ସତ । ମେଡିସିନ୍ ଦ୍ୱାରା ‘ରେକ୍ଟାଲ କ୍ୟାନସର୍’ ରୋଗର ଚିକିତ୍ସା ସଫଳତା ପୂର୍ବକ କରାଯାଇଛି । ଏହି ଔଷଧର ଟ୍ରାଏଲରେ ସାମିଲ ଥିବା ସମସ୍ତ ୧୮ ଜଣ ରୋଗୀ କ୍ୟାନସରରୁ ମୁକ୍ତି ପାଇଥିବା ରିପୋର୍ଟ ପ୍ରକାଶ ପାଇଛି ।

ନ୍ୟୁୟର୍କ ଟାଇମ୍ସ ରିପୋର୍ଟ ଅନୁଯାୟୀ, ୬ ମାସ ପରେ ସମସ୍ତ ରୋଗୀଙ୍କ ଏଣ୍ଡୋସ୍କୋପି, ପିଇଟି ସ୍କାନ ଓ ଏମଆଇଆର ସ୍କାନ କରାଯାଇଥିଲା । କିନ୍ତୁ କୌଣସି ପରୀକ୍ଷାରୁ ରୋଗୀଙ୍କ ଶରୀରରୁ କର୍କଟ ରୋଗର ଚିହ୍ନବର୍ଣ୍ଣ ମିଳି ନାହିଁ । ମଣିଷ ଶରୀରରେ ବିକଳ୍ପ ଆଣ୍ଟିବଡି ଭାବେ କାମ କରୁଥିବା ଗବେଷଣାଗାର ପ୍ରସ୍ତୁତ ଏକ ମୋଲିକ୍ୟୁଲ୍ ଏହି ଔଷଧରେ ରହିଛି । ପରୀକ୍ଷା ବେଳେ ସମସ୍ତ ରୋଗୀଙ୍କୁ ସମାନ ଔଷଧ ଦିଆଯାଇଥିଲା । ନ୍ୟୁୟର୍କର ମେମୋରିଆଲ ସ୍ଲୋଅନ କେଟ୍ଟେରିଙ୍ଗ କ୍ୟାନସର ସେଂଟରର ଡାକ୍ତର ଲୁଇସ ଏ ଡିଆଜ ଜେ କହିଛନ୍ତି, ସମ୍ଭବତଃ କ୍ୟାନସର ଚିକିତ୍ସା ଇତିହାସରେ ଏହା ହେଉଛି ପ୍ରଥମ ଘଟଣା ।

ଔଷଧର ସମୀକ୍ଷା କରୁଥିବା କ୍ୟାନସର୍ ବିଶେଷଜ୍ଞଙ୍କ କହିବା ଅନୁସାରେ, ଚିକିତ୍ସା ଆଶାଜନକ ରହିଛି, କିନ୍ତୁ ଏଭଳି ଟ୍ରାଏଲକୁ ଅଧିକ କରିବା ଦରକାର । ଯାହାଦ୍ୱାରା କ୍ୟାନସର୍ ଭଳି ରୋଗ ବାସ୍ତବରେ ଭଲ ହେଉଛି କି ନାହିଁ, ତାହା ଜଣାପଡ଼ିବ ।