ବଣୁଆ ହତୀଙ୍କ ଉପଦ୍ରବରେ ଅତିଷ୍ଠ ବଡଚଣା ଚାଷୀ : କ୍ଷତି ପୂରଣ ନଦେଲେ ଆନ୍ଦୋଳନ ଧମକ

64

କନକ ବ୍ୟୁରୋ : ଯାଜପୁର ଜିଲ୍ଳା ପଶ୍ଚିମାଂଚଳରେ ବଣୁଆ ହତୀଙ୍କ ଉପଦ୍ରବ । ୩୦ରୁ ୪୦ ହାତୀ ନଷ୍ଟ କରୁଛନ୍ତି କଂଚା ଓ ପାଚିଲା ଧାନ କ୍ଷେତ । ଚିନ୍ତାରେ ଚାଷୀ । ତିନି ବର୍ଷ ହେଲାଣି ହାତୀ ଯୋଗୁଁ ଚାଷୀ କ୍ଷତି ସହୁଥିଲେ ବି ଏଯାଏଁ ମିଳିନି କ୍ଷତିପୂରଣ । ଏଥର କିନ୍ତୁ କ୍ଷତିପୂରଣ ନମିଳିରେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚାଷୀମାନେ ଚେତାବନୀ ଦେଇଛନ୍ତି ।

ସନ୍ଧ୍ୟା ପରେ ଆରମ୍ଭ ହେଉଛି ହାତୀଙ୍କ ଉତ୍ପାତ । ଦିନରେ ଜଙ୍ଗଲରେ ରହୁଥିବା ହାତୀପଲ ରାତିରେ ଧାନ ବିଲରେ ଉତ୍ପାତ କରୁଛନ୍ତି । ହାତୀଙ୍କ କବଳରୁ ବାଦ ପଡୁନି କଂଚା ହେଉ କି ପାଚିଲା ଧାନ । ବଡଚଣା ବ୍ଲକର ସିହା, ସମିଆ, ପାରିଆ, କାଇମାଟିଆ, ଦର୍ପଣୀ ପଂଚାୟତର ଚାଷ ଜମି ନିକଟରେ ଘଂଚ ଜଙ୍ଗଲ ଓ ପାହାଡ ରହିଥିବାରୁ ହାତୀପଲ ଦିନରେ ଜଙ୍ଗଲରେ ଲୁଚି ରହୁଥିବା ବେଳେ ରାତି ଧାନ ଖାଇବାକୁ ଚାଲିଆସନ୍ତି । ପ୍ରତିବର୍ଷ ହାତୀପଲ ବ୍ୟାପକ ଧାନ ଫସଲ ନଷ୍ଟ କରୁଥିବା ବେଳେ କ୍ଷତିପୂରଣ ମିଳୁନଥିବାରୁ ଚଳିତବର୍ଷ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଧମକ ଦେଇଛନ୍ତି ଚାଷୀ ।

ସେପଟେ ହାତୀପଲଙ୍କ ଗତିବିଧି ଉପରେ ନଜର ରଖାଯିବା ସହ ଚାଷ ଜମି ଉପରେ ମଧ୍ୟ ଦୃଷ୍ଟି ଦିଆଯାଉଛି ବୋଲି କହିଛନ୍ତି ଚଣ୍ଡିଖୋଲ ଫରେଷ୍ଟର । ଗୋଟିଏ ପଟେ ରାଜ୍ୟ ସରକାର ବନ୍ୟପ୍ରାଣୀ ସୁରକ୍ଷା ଉପରେ ଗୁରୁତ୍ୱ ଦେଉଥିବା ବେଳେ ଅନ୍ୟପଟେ ହାତୀ ଉପଦ୍ରବର ଶିକାର ଚାଷୀର ଫସଲ ସୁରକ୍ଷା ପାଇଁ ବନ ବିଭାଗ କି ପଦକ୍ଷେପ ନେଉଛି ତାହା ସମୟ କହିବ ।