ସରିବ ପ୍ରତୀକ୍ଷା, ଆଜି ବାଜିବ ନିର୍ବାଚନୀ ବିଗୁଲ । ଅପରାହ୍ନ ୩ଟାରେ ସାମ୍ବାଦିକ ସମ୍ମିଳନୀ କରି ତାରିଖ ଘୋଷଣା କରିବେ ମୁଖ୍ୟ ନିର୍ବାଚନ କମିସନର ।

95

କନକ ବ୍ୟୁରୋ: ସରିଲା ପ୍ରତୀକ୍ଷା । ଆଜି ବାଜିବ ନିର୍ବାଚନୀ ବିଗୁଲ । ଆଜି ଅପରାହ୍ନ ୩ଟା ବେଳେ ସାଧାରଣ ନିର୍ବାଚନ ପାଇଁ ତାରିଖ ଘୋଷଣା କରିବେ ଭାରତୀୟ ନିର୍ବାଚନ ଆୟୋଗ । ଲୋକସଭା ସହ ଓଡ଼ିଶା, ସିକ୍କିମ, ଅରୁଣାଚଳ ପ୍ରଦେଶ ଓ ଆନ୍ଧ୍ର ପ୍ରଦେଶରେ ହେବାକୁଥିବା ବିଧାନସଭା ନିର୍ବାଚନ ପାଇଁ ମଧ୍ୟ ତାରିଖ ଘୋଷଣା କରିବେ ନିର୍ବାଚନ କମିସନ । ଏହାସହ ପୂରା ଦେଶରେ ଆଦର୍ଶ ଆଚରଣ ବିଧି ଲାଗୁ ହେବ ।

ସୂଚନା ଅନୁସାରେ, ଲୋକସଭା ନିର୍ବାଚନ ୭ରୁ ୮ଟି ପର୍ଯ୍ୟାୟରେ ହୋଇପାରେ । ମୁଖ୍ୟ ନିର୍ବାଚନ କମିସନର ରାଜୀବ କୁମାର, ନବନିର୍ବାଚିତ ନିର୍ବାଚନ କମିଶନର ଜ୍ଞାନେଶ କୁମାର ଓ ସୁଖବୀର ସିଂ ସାନ୍ଧୁଙ୍କ ସହ ନିର୍ବାଚନ ତାରିଖ ଘୋଷଣା କରିବେ । ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ଓ ବିହାରରେ ୬ରୁ ୭ଟି ପର୍ଯ୍ୟାୟରେ ଲୋକସଭା ନିର୍ବାଚନ ହୋଇପାରେ । ସେହିପରି ମହାରାଷ୍ଟ୍ରରେ ଲୋକସଭା ନିର୍ବାଚନ ହେବାର ସମ୍ଭାବନା ରହିଛି । ଏହିକ୍ରମରେ ମଧ୍ୟପ୍ରଦେଶ, ଆସାମରେ ଦୁଇରୁ ତିନି ପର୍ଯ୍ୟାୟରେ ନିର୍ବାଚନ ହେବାର ସମ୍ଭାବନା ରହିଛି । ଅନ୍ୟପକ୍ଷରେ ତାମିଲନାଡୁ, କେରଳ, ଗୁଜରାଟ, ହରିୟାଣା, ଆନ୍ଧ୍ର ପ୍ରଦେଶ, ତେଲେଙ୍ଗାନା ଏବଂ କେନ୍ଦ୍ରଶାସିତ ରାଜ୍ୟ ଗୁଡ଼ିକରେ ଗୋଟିଏ ପର୍ଯ୍ୟାୟରେ ନିର୍ବାଚନ ହୋଇପାରେ । ୧୭ତମ ଲୋକସଭା କାର୍ଯ୍ୟାଳୟ ଜୁନ ୧୬ ତାରିଖରେ ଶେଷ ହେବ । ଏହା ପୂର୍ବରୁ ୧୮ତମ ଲୋକସଭା ଗଠନ ହେବ ।

୨୦୧୯ରେ ନିର୍ବାଚନ କମିସନ୍ ୧୭ତମ ଲୋକସଭା ନିର୍ବାଚନ ବିଗୁଲ ମାର୍ଚ୍ଚ ୧୦ରେ ବାଜିଥିଲା । ଏବଂ ଏପ୍ରିଲ ୧୧ରୁ ଆରମ୍ଭ ହୋଇଥିବା ନିର୍ବାଚନ ୭ଟି ପର୍ଯ୍ୟାୟରେ ହୋଇଥିଲା । ମେ’ ୨୩ ତାରିଖରେ ଗଣନା ହୋଇଥିଲେ । ତେଣୁ ପୂର୍ବ ନିର୍ବାଚନ ଅନୁସାରେ, ଏଥର ମଧ୍ୟ ୭ଟି ପର୍ଯ୍ୟାୟରେ ନିର୍ବାଚନ କରାଯାଇପାରେ ବୋଲି ପୂର୍ବାନୁମାନ କରାଯାଉଛି ।