ସରିଲା ଶୀର୍ଷ ସମବାୟ ନିର୍ବାଚନ: ଭୋଟ ଦେଲେ ଅନୁବନ୍ଧିତ ପ୍ରାଥମିକ ଓ କେନ୍ଦ୍ରୀୟ ସମବାୟ ସମିତିର ପରିଚାଳନା ପରିଷଦର ନିର୍ବାଚିତ ସଦସ୍ୟ

83

କନକ ବ୍ୟୁରୋ: ଶେଷ ହୋଇଛି ଶୀର୍ଷ ସମବାୟ ସମିତି ଗୁଡିକର ପରିଚାଳନା ପରିଷଦ ଗଠନ ପାଇଁ ନିର୍ବାଚନ । ୧୬ଟି ଶୀର୍ଷ ସମବାୟ ସମିତି ମଧ୍ୟରୁ, ୪ଟିର ପରିଚାନା ପରିଷଦର ସଦସ୍ୟ/ ସଦସ୍ୟାମାନେ ବିନା ପ୍ରତିଦ୍ୱନ୍ଦିତାରେ ନିର୍ବାଚିତ ହୋଇଥିବା, ୧୨ଟି ପାଇଁ ହୋଇଛି ଭୋଟ ଗ୍ରହଣ ।

ମାର୍କଫେଡ, ହାଉସିଂ ବୋର୍ଡ ଓ ଓଏସସିବି ସମେତ ୧୨ଟି ଶୀର୍ଷ ସମବାୟ ସମିତି ପରିଚାଳନା ପରିଷଦ ପାଇଁ ମତଦାନ କରିଛନ୍ତି, ଅନୁବନ୍ଧିତ ପ୍ରାଥମିକ ଓ କେନ୍ଦ୍ରୀୟ ସମବାୟ ସମିତିର ପରିଚାଳନା ପରିଷଦର ନିର୍ବାଚିତ ସଦସ୍ୟ/ ସଦସ୍ୟା । ପ୍ରିଜାଇଡିଙ୍ଗ ଅଫିସର, ପୋଲିଂ ଅଫିସର ଏବଂ ପୋଲିସ ଅଧିକାରୀଙ୍କ ଉପସ୍ଥିତିରେ ହୋଇଛି ଭୋଟ ଗ୍ରହଣ । ଅର୍ଥାତ ଶୀର୍ଷ ସମବାୟ ସମିତିିର ପରିଚାଳନା ପରିଷଦର ମେମ୍ବର ବାଛିଛନ୍ତି ଅନୁବନ୍ଧିତ ପ୍ରାଥମିକ ଓ କେନ୍ଦ୍ରୀୟ ସମବାୟ ସମିତିର ପରିଚାଳନା ପରିଷଦର ନିର୍ବାଚିତ ସଦସ୍ୟ/ ସଦସ୍ୟା ।

୩୦ଟି ଜିଲ୍ଲାର ୨୧ଟି ଜୋନ ରହିଥିବାବେଳେ ବିଭିନ୍ନ ଜିଲ୍ଲାରୁ ସଦସ୍ୟମାନେ ଆସି ମତଦାନ କରିଛନ୍ତି । ଓଡିଶା ରାଜ୍ୟ ସମବାୟ ନିର୍ବାଚନ ଆୟୋଗଙ୍କ ବିଜ୍ଞପ୍ତି ଅନୁସାରେ, ଓଡିଶା ଫେଡେରେସନ ଅଫ୍ ଅର୍ବାନ କୋଅପରେଟିଭ୍ ବ୍ୟାଙ୍କ ଆଣ୍ଡ କ୍ରେଡିଟ୍ କୋଅପରେଟିଭ୍ ସୋସାଇଟି, ଓଡି଼ଶା କୋଅପରେଟିଭ୍ ହାଣ୍ଡିକ୍ରାଫ୍ଟସ କର୍ପୋରେସନ ଲିମିଟେଡ୍ (ଉକ୍ରଳିକା), ଓଡି଼ଶା ଷ୍ଟେଟ୍ ପୋଲଟ୍ରି ପ୍ରଡକ୍ଟ କୋଅପରେଟିଭ୍ ମାର୍କେଟିଂ ଫେଡେରେସନ ଲିମିଟେଡ( ଅପଲୋଫେଡ୍) ଓଡି଼ଶା ରାଜ୍ୟ ସମବାୟ ବ୍ୟାଙ୍କ ଲିମିଟେଡ୍(ଓଏସସିବି), ଓଡି଼ଶା ସମବାୟ ଗୃହନିର୍ମାଣ ନିଗମ ଲିମିଟେଡ୍, ବୟନିକା, ସେରିଫେଡ୍, ଫିସଫେଡ୍ ଓମଫେଡ୍, ପ୍ରମୁଖ ଶୀର୍ଷ ୧୨ଟି ଶୀର୍ଷ ସମବାୟ ସମିତି ପରିଚାଳନା ପରିଷଦ ପାଇଁ ନିର୍ବାଚନ ହୋଇଛି । ଖୁବ୍ ଶୀଘ୍ର ସଭାପତି ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ । ତାପରେ ନିର୍ବାଚନ ହେବ ।

ଶୀର୍ଷ ସମବାୟ ସମିତି ଗୁଡିକର ପରିଚାଳନା ପରିଷଦ ନିର୍ବାଚନରେ ସିଧାସଳଖ କୌଣସି ରାଜନୈତିକ ଦଳ ପ୍ରାର୍ଥୀ ଦେଇନଥାନ୍ତି । କିନ୍ତୁ ଏହାକୁ ଦଖଲ କରିବା ପାଇଁ ଶାସକ ଓ ବିରୋଧୀ ଦଳ ଭିତରେ ଭିତରେ ଜୋରଦାର ଛକାପଂଝା ହୋଇଥାଏ । ସମ୍ମୁଖକୁ ନଆସି ପ୍ରାର୍ଥୀ ମାନଙ୍କୁ ପଛରୁ ରହି ସମର୍ଥନ ଦେଇଥାନ୍ତି ରାଜନୈତିକ ଦଳ । ସମବାୟ ସମିତିରେ ଯେଉଁ ଦଳର ସମର୍ଥିତ ପରିଚାଳନା ପରିଷଦ ଗଠନ କରନ୍ତି, ପରବର୍ତି ସମୟରେ ସେଠି ସେହି ଦଳର ଦବଦବା ଚାଲେ ବୋଲି କୁହାଯାଏ ।