ଘଣା ତେଲ ପ୍ରସ୍ତୁତ କରୁଛନ୍ତି ଗ୍ରାଜୁଏଟ୍ ପ୍ରିୟଦର୍ଶିନୀ, ନିଜେ ଘଣା ମେସିନ ପକାଇ ପ୍ରସ୍ତୁତ କରୁଛନ୍ତି ବିଭିନ୍ନ ପ୍ରକାର ତେଲ

246

କନକ ବ୍ୟୁରୋ : କଟକରେ ଗୃହିଣୀଙ୍କ ଘଣା ତେଲ ଉଦ୍ୟୋଗ । ଖୁବ୍ କମ୍ ଅର୍ଥ ବ୍ୟୟ କରି ଆରମ୍ଭ ହୋଇଥିବା ଏହି ଉଦ୍ୟୋଗ ଏବେ ଅନ୍ୟମାନଙ୍କର ଆବଶ୍ୟକତା ପୁରଣ କରିପାରୁଛି । ଏଭଳି ଏକ ଉଦ୍ୟୋଗ ପ୍ରତିଷ୍ଠା କରିବାର କାରଣ ହେଲା, ପ୍ରିୟଦର୍ଶିନୀଙ୍କ ସ୍ୱାମୀଙ୍କୁ ହୃଦରୋଗ ହୋଇଥିବାରୁ ଡାକ୍ତର ତାଙ୍କୁ ଅସଲି ତେଲ ଖାଇବାକୁ ପରାମର୍ଶ ଦେଇଥିଲେ । ଏହି ତେଲ ଯୋଗାଡ଼ କରିବା ପାଇଁ ତାଙ୍କୁ ବେଳେ ବେଳେ ଭୁବନେଶ୍ୱର ମଧ୍ୟ ଆସିବାକୁ ପଡ଼ୁଥିଲା । ତେଣୁ ସେ ଏକ ଘଣା ତେଲ ମେସିନ କିଣିବା ପାଇଁ ଯୋଜନା କରି ଏହି ଉଦ୍ୟୋଗ ପ୍ରତିଷ୍ଠା କଲେ । ଏବେ କଟକ ଶେଖ ବଜାର ଅଂଚଳରେ ପ୍ରିୟଦର୍ଶିନୀ ପୃଷ୍ଟି ଘଣା ମେସିନ୍ ଆଣି ବିଶୁଦ୍ଧ ତେଲ ପ୍ରସ୍ତୁତ କରୁଛନ୍ତି । ଗ୍ରାଜୁଏଟ୍ ହୋଇ ମଧ୍ୟ ସେ ଏଭଳି ଏକ ଭିନ୍ନ ପେସାରେ ନିଜକୁ ସ୍ୱାବଲମ୍ବୀ କରିପାରିଛନ୍ତି ।

ଏବେ ଏହି କ୍ଷୁଦ୍ର ଉଦ୍ୟୋଗଟି ବେଶ ଭଲରେ ଚାଲିଥିବା ବେଳେ ଘର କାମ ପରେ ସ୍ୱାମୀ ଓ ସ୍ତ୍ରୀ ମିଶି ଏଠାରେ କାମ କରୁଛନ୍ତି । ମେସିନରେ ରାଶି, ସୋରିସ, ବାଦାମ, ନଡ଼ିଆ ଓ ଜଡ଼ା ପେଡ଼ିବା ପରେ ଏହି ତେଲକୁ ଷ୍ଟିକରିଂ କରି ବିକ୍ରି କରୁଛନ୍ତି । ଏହା ସହିତ ହାତ ତିଆରି ସାମଗ୍ରୀ ବଡ଼ି, ପାମ୍ପଡ଼ ଓ ମସଲା ମଧ୍ୟ ରଖୁଛନ୍ତି । ବଜାରରେ ମିଳୁଥିବା ପ୍ୟାକେଟ ତେଲ ଠାରୁ କିଛି ଟଙ୍କା ଅଧିକ ରହିଥିଲେ ମଧ୍ୟ ଏହା ସମ୍ପୂର୍ଣ୍ଣ ଦେଶୀ ଓ ବିଶୁଦ୍ଧ ହୋଇଥିବାରୁ ଗ୍ରାହକ ଆଗ୍ରହର ସହ କିଣି ନେଉଛନ୍ତି ।

ଅର୍ଡର ମୁତାବିକ ଘଣା ତେଲ ପ୍ରସ୍ତୁତି କରୁଛନ୍ତି ପ୍ରିୟଦର୍ଶିନୀ । ଘଣାରୁ ବାହାରୁଥିବା ପିଡ଼ିଆ ମଧ୍ୟ ବିକ୍ରି ଉପଯୋଗୀ ହୋଇପାରୁଛି । ପାନବରଜ, ନର୍ସରୀ ଓ ଗୋପାଳକ ମାନେ ଆବଶ୍ୟକତା ମୁତାବିକ ଏହାକୁ କିଣିନେଉଛନ୍ତି । ତେବେ ଅପମିଶ୍ରିତ ବଜାରରେ ନୂଆ ଆଶା ଆଣିଦେଇଛି ପ୍ରିୟଦର୍ଶିନୀଙ୍କ ଏହି ଉଦ୍ୟୋଗ ।