ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲା । ମନିଷ, ସଂଜୟ ପରେ ଏବେ କେଜ୍ରିୱାଲଙ୍କ ପାଳି, ଜେରା ପାଇଁ ମିଳିଲା ଇଡିର ସମନ

148

କନକ ବ୍ୟୁରୋ : ଆମ ଆଦମୀ ପାର୍ଟି ଯେଉଁ ଆଶଙ୍କା କରିଥିଲା ଠିକ୍ ସେମିତି କିଛି ହୋଇଛି । ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ, ସାଂସଦ ସଂଜୟ ସି ଇଡି ଜାଲରେ ଫଶିସାରିଛନ୍ତି । ଏବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ସମନ ଜାରି କରିଛି ପ୍ରବର୍ତନ ନିର୍ଦ୍ଦେଶାଳୟ । ନଭେମ୍ବର ୨ରେ କେଜରିୱାଲଙ୍କୁ ହାଜର ହେବାକୁ କୁହାଯାଇଛି । ଏହି ମାମଲାରେ ଏପ୍ରିଲରେ ସିବିଆଇ ଅରବିନ୍ଦ କେଜରିୱାଲଙ୍କୁ ପଚରାଉଚରା କରିଥିଲା । ଜେରା ପୂର୍ବରୁ କେଜ୍ରିୱାଲଙ୍କୁ ଗିରଫ କରାଯିବା ନେଇ ଆଶଙ୍କା ପ୍ରକାଶ କରିଛନ୍ତି ଦିଲ୍ଲୀ କ୍ୟାବିନେଟମନ୍ତ୍ରୀ ଅତସୀ ମାରଲେନା । କେନ୍ଦ୍ର ସରକାର ଦିଲ୍ଲୀରେ ଆମ ଆଦମୀ ପାର୍ଟିକୁ ଶେଷ କରିଦେବାକୁ ଚାହୁଁଥିବା କହିଛି ଦଳ ।

ଘଟଣାକୁ ସହଜରେ ଗ୍ରହଣ କରିପାରିନାହାଁନ୍ତି ବିରୋଧୀ । ବିରୋଧୀ ଦଳ ନେତା କହିଛନ୍ତି ନିର୍ବାଚନ ସମୟ ଆସିଲେ ବିରୋଧୀଙ୍କୁ ଭୟଭୀତ କରିବା ପାଇଁ ବିଜେପି ସରକାର ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରେ । କାହାକୁ ଇଡି, କାହାକୁ ସିବିଆଇ ଡର ଦେଖାଇ ମିଛ ମାମଲାରେ ଫଶାଯାଏ । ଆଗକୁ ଲୋକସଭା ଓ ୫ରାଜ୍ୟରେ ବିଧାନସଭା ନିର୍ବାଚନ । ବିଜେପି ଯାହାକୁ ଟାର୍ଗେଟ କରେ ତାକୁ ଏଭଳି ହଇରାଣ କରେ ।

ସେପଟେ ବିଜେପି ଅଭିଯୋଗର ପାଲଟା ଜବାବ ରଖିଛି । ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ କେବଳ ଆମ ଆଦମୀ ପାର୍ଟି ମନ୍ତ୍ରୀ, ନେତା ନୁହଁନ୍ତି ନିଜେ କେଜ୍ରିୱାଲ ମଧ୍ୟ ସମ୍ପୃକ୍ତ ଥିବା କହିଛି ବିଜେପି । ପ୍ରମାଣ ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଥିବା ଦଳ କହିଛି ।

କେଜ୍ରିୱାଲ ଇଡି ସମନ
-୨୦୨୦, ୧୭ ନଭେମ୍ବରରେ ଦିଲ୍ଲୀରେ ନୂଆ ଅବକାରୀ ନୀତି ଲାଗୁ
-ମଦ ମାଫିଆଙ୍କୁ ଅହେତୁକ ଅନୁକମ୍ପା ଦେଖାଇବା ପାଇଁ ଆଇନର ଉଲ୍ଲଙ୍ଘନ ହୋଇଥିବା ଅଭିଯୋଗ
-ଦିଲ୍ଲୀ ମୁଖ୍ୟ ସଚିବଙ୍କ ଏକ ରିପୋର୍ଟ ଆଧାରରେ ୨୨ ଜୁଲାଇ ୨୦୨୨ରେ ତତକାଳୀନ ଉପରାଜ୍ୟପାଳ ମାମଲାର ସିବିଆଇ ତଦନ୍ତ ପାଇଁ ସୁପାରିଶ କରିଥିଲେ ।
-୨୦୨୨ ଅଗଷ୍ଟ ୧୯ରେ ଦିଲ୍ଲୀର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ମନୀଷ ଶିଶୋଦିଆଙ୍କ ସମେତ କିଛି ଆପ ନେତାଙ୍କ ଘରେ ଚଢାଉ
-ମାମଲାରେ ଚଳିତବର୍ଷ ୨୭ ଫେବୃଆରୀରେ ମନୀଷ ଶିଶୋଦିଆଙ୍କୁ ଗିରଫ
-ଅକ୍ଟୋବର ୪ରେ ଆପ ସାଂସଦ ସଂଜୟ ସିଂଙ୍କ ଘରେ ଇଡି ଚଢ଼ାଉ
-ଅକ୍ଟୋବର ୫ ତାରିଖରେ ସଂଜୟ ସିଂ ଗିରଫ
-ଅକ୍ଟୋବର ୩୦ ସୁପ୍ରିମକୋର୍ଟରେ ମନୀଷ ସିସୋଦିଆଙ୍କୁ ଜାମିନ ଆବେଦନ ଖାରଜ
-ସୁପ୍ରିମକୋର୍ଟରେ ୩୩୮କୋଟି ଟଙ୍କା ହେରଫେରରେ ପ୍ରମାଣ ଦେଇଛି ଇଡି

ଆମ ଆଦମୀ ପାର୍ଟିର ଜଣଙ୍କ ପରେ ହେଭିୱେଟ ନେତାଙ୍କ ତଦନ୍ତକାରୀ ସଂସ୍ଥାରେ ଫଶୁଛନ୍ତି । ଏବେ କେଜ୍ରିୱାଲଙ୍କୁ ଇଡି ନୋଟିସ ମିଳିବା ଘଟଣା ଜାତୀୟ ରାଜନୀତିରେ ହଟଚମଟ ସୃଷ୍ଟି କରିଛି । ଦୁର୍ନୀତି ମାମଲାରେ ମୋଡ଼ ଆଗକୁ କେଉଁ ଦିଗକୁ ଯିବ ଏହା ଉପରେ ନଜର ରହିଛି ।