ନୂଆପଡ଼ା କଟିଙ୍ଗପାଣି ଅଂଚଳରେ ବାଘ ଆତଙ୍କ: ୬ବର୍ଷର ପୁଅକୁ ମାରିବା ଓ ଗୁହାଳରୁ ଗାଇକୁ ଘୋଷାରି ନେବା ପରେ କୋକୁଆ ଭୟ

446

କନକ ବ୍ୟୁରୋ: ମାତ୍ର ୮ ବର୍ଷର କୁନି ପୁଅକୁ ବାଘ ଟାଣି ନେଇଯିବା ପରେ ନୂଆପଡ଼ା କଟିଙ୍ଗପାଣି ଅଂଚଳରେ ଖେଳିଯାଇଛି କୋକୁଆ ଭୟ । ସ୍ଥିତି ଏମିତି ହୋଇଛି ଯେ, ଲୋକେ ଘରୁ ବାହାରିବାକୁ ଡରୁଛନ୍ତି । ବାଘର ଏହି ଭୟ ଭିତରେ ଆଜି ଗୁହାଳରୁ ଗୋଟିଏ ଗାଇକୁ କଲରାପତିରିଆ ଝାମ୍ପି ନେବାର ଖବର ଆସିଛି । ଏପଟେ ଏହି ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ । କହିଛନ୍ତି- ଲୋକଙ୍କ ଧନ ଜୀବନ ରକ୍ଷାପ୍ରତି ଅଧିକାରୀମାନେ ସଚେତନ ହେବା ଜରୁରୀ ।

ସମୟ ଥିଲା ଅପରାହ୍ନ ୫ଟା । ସାଙ୍ଗ-ସାଥୀଙ୍କ ମେଳରେ ଗାଁ ଅଗଣାରେ ଖେଳୁଥିଲା ଡୋମୁ । ୮ବର୍ଷର ପିଲାଟିଏ । କେହି ଭାବି ବି ନଥିଲେ, ଡୋମୁଙ୍କ ସହ ଏମିତି କିଛି ଘଟିଯିବ । ଅଚାନକ୍୍ ଜଙ୍ଗଲ ଆଡୁ ମାଡ଼ି ଆସିଲା ମଣିଷଖିଆ ବାଘ । ନାବାଳକ ପୁଅକୁ ଝାମ୍ପି ନେଇଗଲା କଲରାପତରିଆ । ହେଇ ନେଇ ଗଲା.. ହେଇ ଟାଣି ନେଲା.. ପାଟି ଗଲା ଭିତରେ ଆଖି ପିଛୁଆକେ ଅଦୃଶ୍ୟ ହୋଇଯାଇଥିଲା ବାଘ । କିଛି ଦୂରରେ ପଥର ଖୋଳରେ କୁନି ପିଲାକୁ କଚାଡି ଦେଇଥିଲା ।

ନାଁ: ଡୋମୁ ଧରୁଆ
ବୟସ: ୮ବର୍ଷ
ନୂଆପଡ଼ା ଜିଲ୍ଲା କଟିଙ୍ଗପାଣି ଗୋଧସପଡ଼ା ଗାଁର ହ୍ୟୁମାନ ଧରୁଆଙ୍କ ପୁଅ । ସବୁ ଦିନ ଭଳି ପିଲାଙ୍କ ମେଳରେ ସନ୍ଧ୍ୟାରେ ଖେଳୁଥିଲା । ହେଲେ ଡୋମୁଙ୍କ କ୍ଷେତ୍ରରେ ଯାହା ଘଟିଲା, ସ୍ଥାନୀୟ ଅଂଚଳରେ କୋକୁଆ ଭୟ ଖେଳାଇ ଦେଇଛି ।କୁନି ପିଲାଟିର ମୃତ୍ୟୁ ପରେ ବାଘକୁ କାବୁ କରି ଚିଡ଼ିଆଖାନାରେ ଛାଡ଼ିବାକୁ ଦାବି କରିଛନ୍ତି ସ୍ଥାନୀୟବାସିନ୍ଦା ।

ଗାଁ ଦାଣ୍ଡରୁ ନାବାଳକ ଶିଶୁଙ୍କୁ କଲରାପତିରଆ ଝାମ୍ପି ନେବା ଘଟଣାକୁ ନେଇ ଲୋକ ଭୟବିତ ଥିବା ବେଳେ ଠିକ୍ ପରଦିନ ଗୁହାଳରୁ ଗୋଟିଏ ଗାଈକୁ ଝାମ୍ପି ନେଇଛି । ଲୋକମାନେ ପାଟିତୁଣ୍ଡ କରିବାରୁ ଗାଈକୁ ରକ୍ତାକ୍ତ ଅବସ୍ଥାରେ ଛାଡ଼ି ଯାଇଛି କଲରାପତରିଆ ବାଘ । ହେଲେ ଏହି ଘଟଣା ବାଘର ଆତଙ୍କକୁ ଆହୁରି ବଢ଼ାଇ ଦେଇଛି ।

ନୂଆପଡ଼ାର ଏହି ଅଘଟଣ ଉପରେ ପ୍ରତିକ୍ରିୟା ରଖିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ । ଅଭୟାରଣ୍ୟ ଅଂଚଳରେ ସାଧାରଣ ଲୋକଙ୍କ ଧନଜୀବନ ରକ୍ଷାପ୍ରତି ବନ ଅଧିକାରୀମାନେ ସମ୍ବେଦନଶୀଳ ହେବା ଜରୁରୀ ବୋଲି କହିଛନ୍ତି ପ୍ରଦୀପ ଅମାତ । ବଡ଼କଥା ହେଉଛି- ବନ୍ୟଯନ୍ତୁଙ୍କ ଆକ୍ରମଣ ଯୋଗୁଁ ଲୋକଙ୍କ ଜୀବନହାନୀ ଭଳି ଘଟଣା ଘଟିବା ପରେ ନୂଆପଡ଼ାର ଗୋଧସ ଅଂଚଳରେ ଭୟର ବାତାବରଣ ଖେଳିଯାଇଛି ।