ଆଇଫୋନକୁ ଆସିଲା ଆଲର୍ଟ ମେସେଜ । ବିଜେପି ସରକାର ଫୋନ୍ ଏବଂ ଇମେଲ ହ୍ୟାକ କରୁଥିବା ବିରୋଧୀଙ୍କ ଅଭିଯୋଗ, ତଦନ୍ତ ନିର୍ଦ୍ଦେଶ ଦେଲେ କେନ୍ଦ୍ର ସରକାର

161

କନକ ବ୍ୟୁରୋ : ନେତାଙ୍କ ଫୋନ୍କୁ ଆସିଲା ଆଇ-ଫୋନ୍ର ଆଲର୍ଟ ମ୍ୟାସେଜ । କେସ୍ ଫର କ୍ୱେରି ପାଇଁ ଗତ କିଛି ଦିନ ହେଲା ବିବାଦରେ ଥିବା ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମୋଇତ୍ରାଙ୍କ ଠାରୁ ଆରମ୍ଭ କରି, ଶିବସେନା ୟୁବିଟି ନେତ୍ରୀ ପ୍ରିୟଙ୍କା ଚର୍ତୁବେଦୀ, କଂଗ୍ରେସ ନେତା ପବନ ଖେରା, ଶଶି ଥରୁର ଓ ଆପ୍ ସାଂସଦ ରାଘବ ଚଢ଼ାଙ୍କ ପାଖକୁ ଆସିଛି ଏପରି ମ୍ୟାସେଜ । ଏହି ମ୍ୟାସେଜ୍ରେ ଲେଖାଅଛି, ଷ୍ଟେଟ ସ୍ପନସର୍ଡ ଆଟାକର୍ସ ମେ ବି ଟାଗେର୍ଟିଂ ୟୋର ଆଇ-ଫୋନ୍ ଅର୍ଥାତ ସରକାର ପ୍ରୟୋଜିତ ଆକ୍ରମଣକାରୀ ଆପଣଙ୍କ ଫୋନକୁ ଆକ୍ରମଣ କରିପାରନ୍ତି । ଏମିତି ମ୍ୟାସେଜ୍ ପରେ ଜୋର ଧରିଛି ରାଜନୀତି । କେନ୍ଦ୍ର ସରକାର ଇଣ୍ଡିଆ ମେଂଟର ନେତାଙ୍କ ଫୋନ୍ ହ୍ୟାକ କରୁଥିବା ଅଭିଯୋଗ ଆଣିଛନ୍ତି ବିରୋଧୀ ।

ଟିଏମସି ନେତ୍ରୀ ମହୁଆ ମୋଇତ୍ରା ଟ୍ୱିଟ୍ କରି ଲେଖିଛନ୍ତି, ଆପଲ୍ ପକ୍ଷରୁ ଟେକ୍ସଟ୍ ମ୍ୟାସେଜ ଓ ଇମେଲ ଜରିଆରେ ମତେ ସତର୍କ କରାଯାଇଛି ଯେ ସରକାର ପ୍ରାୟୋଜିତ ଆକ୍ରମଣକାରୀ ମୋ ଫୋନ୍ ଓ ଇମେଲକୁ ହ୍ୟାକ୍ କରିବାକୁ ପ୍ରୟାସ କରୁଛନ୍ତି । ଅଖିଳେଶ ଯାଦବ, ରାଘବ ଚଢ଼ା, ଶଶି ଥରୁର, ପ୍ରିୟଙ୍କା ଚର୍ତୁବେଦୀ, ସୀତାରାମ ୟେଚୁରୀ ଓ ପବନ ଖେରାଙ୍କ ଫୋନ୍ ମଧ୍ୟ ହ୍ୟାକ୍ କରିବାକୁ ଚାହୁଁଛନ୍ତି ଗୃହ ମନ୍ତ୍ରାଳୟ ।

ପ୍ରିୟଙ୍କା ଚତୁର୍ବେଦୀଙ୍କ ପରି ରାଘବ ଚଢ଼ା, ଶଶି ଥରୁର, ପ୍ରିୟଙ୍କା ଚର୍ତୁବେଦୀ, ସୀତାରାମ ୟେଚୁରୀ ଓ ପବନ ଖେରା ମଧ୍ୟ ଟ୍ୱିଟ୍ କରି ସମାନ ଅଭିଯୋଗ ଆଣିଛନ୍ତି । ଏହି ନେତା ମାନେ ମଧ୍ୟ ସୋସିଆଲ ମିଡିଆରେ ସ୍କ୍ରିନସଟ୍ ସେୟାର କରି କେନ୍ଦ୍ର ସରକାର ବିରୋଧରେ ଅଭିଯୋଗ ବାଢ଼ିଛନ୍ତି । ଫୋନ୍ କୁ ଆସିଥିବା ଏହି ଆଲର୍ଟ ମ୍ୟାସେଜ୍ରେ କୁହାଯାଇଛି, ଯଦି ଆପଣଙ୍କ ଡିଭାଇସ ସହ କୌଣସି ସରକାର ପ୍ରାୟୋଜିତ ଆକ୍ରମଣକାରୀଙ୍କ ଦ୍ୱାରା ହ୍ୟାକ୍ କରାଯାଇଛି, ତେବେ ସେମାନେ ହୁଏତ ଆପଣଙ୍କ ଫୋନରୁ ସମ୍ବେଦନଶୀଳ ତଥ୍ୟ, ଯୋଗାଯୋଗ ଓ କ୍ୟାମେରା ଏବଂ ମାଇକ୍ରୋଫୋନକୁ ବ୍ୟବହାର କରିପାରନ୍ତି ।

ଆପଲ କମ୍ପାନୀ ନିଜେ ଏହି ମ୍ୟାସେଜ୍ ପଠାଇ ଫୋନ୍ ହ୍ୟାକ୍ କରିବାକୁ ଉଦ୍ୟମ କରାଯାଉଥିବା ନେଇ ସୂଚନା ଦେଇଛି ବୋଲି ଏହି ନେତାମାନେ ଦାବି କରୁଛନ୍ତି । କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ କାର୍ଯ୍ୟାଳୟର ୩ଜଣଙ୍କୁ ମଧ୍ୟ ଏପରି ମ୍ୟାସେଜ୍ ଆସିଥିବା ସୂଚନା ମିଳିଛି । ଏହି ଘଟଣାକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି ରାହୁଲ ଗାନ୍ଧୀ । ସେପଟେ ବିଭାଗୀୟ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ୧୫୦ ଦେଶକୁ ଏପରି ଆଲର୍ଟ ମ୍ୟାସେଜ ପଠାଇଛି ଆପଲ୍ । ତେବେ ବିରୋଧୀ ନେତା କରିଥିବା ଏପରି ଅଭିଯୋଗର ଯାଂଚ କରିବେ ସରକାର ।

ସେପଟେ ଏହି ସମ୍ପୂର୍ଣ୍ଣ ପ୍ରସଙ୍ଗରେ ସ୍ପଷ୍ଟୀକରଣ ରଖିଛି ଆପଲ୍ । କମ୍ପାନୀ ପକ୍ଷରୁ କୁହାଯାଇଛି ଯେ, କମ୍ପାନୀ ସରକାର ପ୍ରାୟୋଜିତ ସାମ୍ଭାବ୍ୟ ହ୍ୟାକ୍ କରିବାର ଉଦ୍ୟମର ଏମିତି କୌଣସି ଆଲର୍ଟ କେବେ ଦିଏନାହିଁ । ଆପଲ୍ ପକ୍ଷରୁ ଦିଆଯାଇଥିବା ଏମିତି କିଛି ଆଲର୍ଟ ଭୁଲ୍ ମଧ୍ୟ ହୋଇଥାଇପାରେ । ଏବଂ କିଛି ସ୍ଥାନରେ ଏମିତି ହ୍ୟାକ୍ କିଏ କରୁଛି ତାହା ଜାଣିବା ବି କଷ୍ଟକର ।

ଇଣ୍ଡିଆ ମେଂଟର ନେତାଙ୍କ ଏପରି ଅଭିଯୋଗ ପରେ ତେଜିବାରେ ଲାଗିଛି ରାଜନୀତି । ଫୋନ୍ ଟେପିଂ ଅଭିଯୋଗକୁ ନେଇ ଉଠୁଛି ପଡ଼ୁଛି ରାଜନୀତି ।