ହଟିଲା କଟକଣା, ହେଲେ ବଢ଼ିଲା ଭକ୍ତଙ୍କ ଦୁର୍ଦ୍ଦଶା। ଦୋଳପୂର୍ଣ୍ଣିମାରେ ଦଳଚକଟା ସ୍ଥିତି ପରେ ବି ଚେତିଲାନି ପ୍ରଶାସନ

68

କନକ ବ୍ୟୁରୋ: କରୋନା କଟକଣା ହଟିବା ପରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିରରେ ଭକ୍ତଙ୍କ ଭିଡ ବଢ଼ିବାରେ ଲାଗିଛି । କିନ୍ତୁ କଟକଣା ହଟିଥିଲେ ବି ଅବ୍ୟବସ୍ଥା ଯୋଗୁଁ ଟାଣଖରାରେ ବଡ ଦାଣ୍ଡରେ ଡହଳବିକଳ ହୋଇଛନ୍ତି ଶ୍ରଦ୍ଧାଳୁ । ଦୋଳପୂର୍ଣ୍ଣିମା ଦିନର ଦଳାଚକଟା ସ୍ଥିତି ପରେ ବି ଚେତିନାହାଁନ୍ତି ପ୍ରଶାସନ । ସେପଟେ ଏହି ମାମଲା ଏବେ ଜାତୀୟ ମାନବାଧିକାର କମିଶନକୁ ଯାଇଛି । ଏପଟେ ଜିଲ୍ଲାପାଳ କହିଛନ୍ତି, ସାମିଆନା ପକାଇବା ପରେ ସାମାନ୍ୟ ଆଶ୍ୱସ୍ତି ଆସିଛି କିନ୍ତୁ କାହିଁକି ଏଭଳି ଅବ୍ୟବସ୍ଥା ସୃଷ୍ଟି ହୋଇଛି ଏବଂ ବଡଦାଣ୍ଡରେ ଭକ୍ତଙ୍କୁ ଡହଳବିକଳ ଅବସ୍ଥାରେ ଛାଡିଦିଆଯାଉଛି ତାର ଜବାବ କାହାରି ପାଖରେ ନାହିଁ ।

ଦୋଳପୂର୍ଣ୍ଣିମା ଦିନ ପୁରୀ ବଡ଼ଦାଣ୍ଡରେ ସୃଷ୍ଟି ହୋଇଥିଲା ଦଳାଚକଟା ସ୍ଥିତି । ଖରାରେ ଦୀର୍ଘ ସମୟ ଧରି ହଜାର ହଜାର ଭକ୍ତ ଛିଡ଼ା ହେବା ପରେ ଏପରି ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା । ହେଲେ ରବିବାର ଦିନ ପୁଣି ଦର୍ଶନ କଟକଣା ହଟିବା ପରେ ଡହ ଡହ ଖରାରେ ଭକ୍ତଙ୍କ ଲମ୍ବାଲାଇନ ଦେଖିବାକୁ ମିଳିଛି । ମହାପ୍ରଭୁଙ୍କ ସ୍ୱତନ୍ତ୍ର ନୀତି ଚାଲୁଥିବା ବେଳେ ଦର୍ଶନ ବନ୍ଦ ହେବା ଯୋଗୁଁ ଖରାରେ ଠିଆ ହୋଇ ଅସୁବିଧାର ସମୁଖୀନ ହୋଇଛନ୍ତି ଭକ୍ତ ।

ତେବେ ଗୋଟିଏ ଦ୍ୱାର ଦେଇ ଶ୍ରୀମନ୍ଦିର ଭିତରକୁ ଭକ୍ତ ଯାଉଥିବାରୁ ଏପରି ସମସ୍ୟାର ସମୁଖୀନ ହେଉଥିବା ଅଭିଯୋଗ ହୋଇଛି । ଭକ୍ତଙ୍କ ଅବାଧ ଓ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥାରେ ପ୍ରଶାସନ ଫେଲ ମାରିଥିବା ଅଭିଯୋଗ କରି ପୁରୀ ବିକାଶ ପରିଷଦ ପକ୍ଷରୁ ଜାତୀୟ ମାନବାଧିକାର କମିସନଙ୍କ ନିକଟରେ ମାମଲା ରୁଜୁ କରାଯାଇଛି । ସେପଟେ ଅସ୍ଥାୟୀ ସାମିଆନା ଯୋଗୁଁ ଭକ୍ତମାନଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିଛି ବୋଲି କହିଛନ୍ତି ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା  ।

ଦୋଳପୂର୍ଣ୍ଣିମା ଦିନ ସିଂହଦ୍ୱାର ନିକଟରେ ଦଳାଚକଟା ଭଳି ପରିସ୍ଥିତି ଉପୁଜିବାରୁ ଏହାକୁ ଦୃଷ୍ଟିରେ ରଖି ବ୍ୟାରିକେଡକୁ ସଂପ୍ରସାରିତ କରାଯାଇଛି ଏବଂ ଅସ୍ଥାୟୀ ସାମିଆନା ବ୍ୟବସ୍ଥା କରିଛି ପ୍ରଶାସନ । ତେବେ ୪ ଦ୍ୱାର ମଧ୍ୟରୁ ଏବେ ଗୋଟିଏ ଦ୍ୱାରରେ ଭକ୍ତ ପ୍ରବେଶ କରୁଥିବାରୁ ଭିଡ଼ ନିୟନ୍ତ୍ରଣ କରିବାରେ ସମସ୍ୟା ସୃଷ୍ଟି ହେଉଛି । ଏପଟେ ସ୍ୱତନ୍ତ୍ର ନୀତିକାନ୍ତି ବେଳେ ଦର୍ଶନ ବ୍ୟବସ୍ଥା ବନ୍ଦ ରହୁଥିବାରୁ ଭକ୍ତଙ୍କୁ ଅନେକ ସମୟ ଧରି ଛିଡ଼ା ହେବାକୁ ପଡ଼ୁଛି । ଖରାଦିନ ହୋଇଥିବାରୁ ନାହିଁ ନଥିବା ସମସ୍ୟାର ସମୁଖୀନ ହେଉଛନ୍ତି ଶ୍ରଦ୍ଧାଳୁ । ତେଣୁ ଚାରିଟି ଯାକ ଦ୍ୱାର ଖୋଲାଗଲେ ଦର୍ଶନ ବ୍ୟବସ୍ଥାରେ ସୁଧାର ଆସିବ ବୋଲି କହିଛନ୍ତି ଶ୍ରଦ୍ଧାଳୁ ।

ବିଧିବଦ୍ଧ ଭାବେ ଜଗା ଦର୍ଶନ ପାଇଁ ସମସ୍ତ କଟକଣା ହଟିଛି । ତେଣୁ ଆଗକୁ ଆହୁରି ଭକ୍ତଙ୍କ ସମାଗମ ହେବ ବୋଲି ଆଶା କରାଯାଉଛି । ତେଣୁ ଭିଡ଼ ନିୟନ୍ତ୍ରଣ ଓ ଶୃଙ୍ଖଳିତ ଦର୍ଶନ ପାଇଁ ତୁରନ୍ତ ଶ୍ରୀମନ୍ଦିରର ୪ ଦୁଆର ଖୋଲିବାକୁ ଦାବି ହୋଇଛି ।