ଧରାପୃଷ୍ଠକୁ ଓହ୍ଲାଇ ଆସିଲେ ମା’ ଦୁର୍ଗତିନାଶିନୀ : ଆଜି ମଣ୍ଡପରେ ମହାମାୟାଙ୍କ ମହାଷ୍ଟମୀ; ସୁନା, ରୁପା ମେଢ଼ରେ ଝଟକୁଛନ୍ତି ମା’ ଜଗଦଜନନୀ

107

କନକ ବ୍ୟୁରୋ : ଧରାପୃଷ୍ଠକୁ ଓହ୍ଲାଇ ଆସିଲେ ମା’ ଦୁର୍ଗତିନାଶିନୀ । ଆଜି ମଣ୍ଡପରେ ମହାମାୟାଙ୍କ ମହାଷ୍ଟମୀ ପୂଜା ଅନୁଷ୍ଠିତ ହେବ । ସୁନା, ରୁପା ମେଢ଼ରେ ଝଟକୁଛନ୍ତି ମା’ ଜଗଦଜନନୀ । ମେଢ ଓ ସୁଦୃଶ ତୋରଣ ଦେଖିବା ସହ ମା’ଙ୍କ ଆଶୀର୍ବାଦ ନେବାକୁ ଜମୁଛି ଶ୍ରଦ୍ଧାଳୁଙ୍କ ଭିଡ଼ । ବିଳମ୍ବିତ ରାତି ପର୍ଯ୍ୟନ୍ତ ଭକ୍ତଙ୍କ ଗହଳି ଚହଳି ଲାଗି ରହୁଛି । ରଙ୍ଗୀନ ଆଲୋକମାଳାରେ ଝଲସୁଛି ପୂଜା ବଜାର ।

କରୋନାର ପ୍ରକୋପ ଥମିବା ପରେ ଚଳିତ ବର୍ଷ ରାଜଧାନୀରେ ଧୁମଧାମରେ ମହାମାୟାଙ୍କୁ ସ୍ୱାଗତ କରାଯାଉଛି । ୨ ବର୍ଷ ପରେ ଆଜି ରାଜଧାନୀରେ ପୂଜାର ମାହୋଲ ଦେଖିବାକୁ ମିଳିଛି । ଲୋକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳୁଛି । ରାଜଧାନୀର ବିଭିନ୍ନ ସ୍ଥାନରେ ଆକର୍ଷଣୀୟ ତୋରଣ ହୋଇଛି । ଏଥର ଆକର୍ଷଣରେ ରହିଛି ସହିଦନଗର ଦୁର୍ଗାପୂଜା ମଣ୍ଡପ । ଅଯୋଧ୍ୟା ରାମ ମନ୍ଦିରର ଅବିକଳ ତୋରଣ ହୋଇଛି । ଏଥିସହ ମଣ୍ଡପ ଭିତର ଦୃଶ୍ୟ ମଧ୍ୟ ବେଶ୍‌ ଆକର୍ଷଣୀୟ ହୋଇଛି। ଏହି ପୂଜା କମିଟି ଏଥର ଶୃଙ୍ଖଳିତ ଦର୍ଶନ ଉପରେ ଅଧିକ ଗୁରୁତ୍ବ ଦେଇଛି । ଯେଉଁଥିରେ ପୁରୁଷ, ମହିଳା ଓ ବରିଷ୍ଠ ନାଗରିକଙ୍କ ପାଇଁ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କରାଯାଇଛି । ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକଙ୍କ ପାଇଁ ହ୍ବିଇଲ୍‌ ଚେୟାରର ବ୍ୟବସ୍ଥା କରାଯାଇଛି। ଖାଲି ସେତିକି ନୁହେଁ ୧୦୦ରୁ ଅଧିକ ସ୍ବେଚ୍ଛାସେବୀଙ୍କୁ ନିୟୋଜିତ କରାଯାଇଛି। ମହିଳା ସ୍ବେଚ୍ଛାସେବୀଙ୍କୁ ମଧ୍ୟ ନିୟୋଜିତ କରାଯାଇଛି ।

ଆଖି ପାଉନଥିବା ରାଜପୁତ୍‌ଙ୍କ ରାଜପ୍ରାସାଦକୁ ଦେଖିବାକୁ ଆଉ ଭଜନ ଶୁଣିବାକୁ ବରମୁଣ୍ଡା ପଡ଼ିଆରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି । ଏଥର ତୋରଣ ବେଣାରେ ତିଆରି ହୋଇଥିବାରୁ ତୋରଣର ନିଖୁଣ କାମ ଦେଖିବାକୁ ବାଟୋଇ ଟିକିଏ ନ ଅଟକି ରହିପାରୁନାହାନ୍ତି । ତୋରଣ ଦେଇ ଭିତରକୁ ଗଲା ବେଳକୁ ମା’ଙ୍କର ବିଭିନ୍ନ ଚିତ୍ର ଓ ଉପରେ ଲାଗିଥିବା ସୁନ୍ଦର ଆଲୋକସଜ୍ଜା ଆକର୍ଷଣୀୟ ହୋଇଛି । ବରମୁଣ୍ଡା ସର୍ଭିସ ରୋଡର ଉଭୟ ପାର୍ଶ୍ବରେ ଲାଇଟ୍‌ମାଳର ସାଜସଜାରେ ଭକ୍ତଙ୍କ ମନ ଉଲ୍ଲସିତ ହେଉଛି ।  ସେପଟେ ଆଜି ଶକ୍ତିପୀଠରେ ମା’ ମହାନବମୀ ପୂଜା ଅନୁଷ୍ଠିତ ହେବ ।