ଯାତ୍ରୀ ନ ମିଳିବାରୁ ଅଯୋଦ୍ଧା ରାମନଗରୀରୁ ୪ ସହରକୁ ବିମାନ ସେବା ବନ୍ଦ । ଜୟପୁର, ପାଟନା ସହ ଏସବୁ ସହର ସାମିଲ

533

କନକ ବ୍ୟୁରୋ : ମହର୍ଷି ବାଲ୍ମୀକି ବିମାନବନ୍ଦରରୁ ଏକମାସ ହେବ ୪ ସହରକୁ ବିମାନ ସେବା ବନ୍ଦ କରାଯାଇଛି । ଏହା ମଧ୍ୟରୁ ଏମିତି କିଛି ବିମାନ ଅଛି ଯାହା ଆରମ୍ଭ ହେବାର ଗୋଟିଏ ସପ୍ତାହ ମଧ୍ୟରେ ଉଡାଣ ବନ୍ଦ କରିଦେଇଛି । ଫଳରେ ଏବେ କନେକଟିଂ ବିମାନ ସହାୟତାରେ ଯାତ୍ରୀମାନେ ବିମାନଯାତ୍ରା କରିବାକୁ ବାଧ୍ୟ ହେଉଛନ୍ତି ।

ଫେବୃଆରୀ ୯ ତାରିଖରେ ରାମନଗରୀରୁ ସ୍ପାଇସଜେଟ୍ ତରଫରୁ ଜୟପୁର, ଦରଭଙ୍ଗା ଓ ପାଟନା ସମେତ ୬ ସହରକୁ ସିଧାସଳଖ ବିମାନ ସେବା ଆରମ୍ଭ କରିଥିଲା । ଡିସେମ୍ବର ୩୦ ତାରିଖରେ ବିମାନବନ୍ଦରର ଲୋକାର୍ପଣ ପରେ ଗୋଟିଏ ମାସରେ ଏକାସାଂଗରେ ଅନେକ ସହରକୁ ବିମାନ ସେବା ଆରମ୍ଭ ହେବାରୁ ରାମନଗରୀକୁ ବିମାନ ସେବା ବେସ୍ ସଦୃଢ ହୋଇପାରିଥିଲା । ହେଲେ ଧିରେ ଧିରେ ଯାତ୍ରୀ କମିବାରୁ ଏୟାରଲାଇନ କମ୍ପାନୀମାନେ ବିମାନ ସେବା ବନ୍ଦ କରିବାକୁ ବାଧ୍ୟ ହୋଇଛନ୍ତି ।

ସମାନ ଅବସ୍ଥା ଡେରାଡୁନ ରୁ ରାମନଗରୀକୁ ସେବା ଯୋଗାଉଥିବା ବିମାନଗୁଡିକର ମଧ୍ୟ ହୋଇଛି । ମାର୍ଚ୍ଚ ୬ ତାରିଖରେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ ପତାକା ଦେଖାଇ ଡେରାଡୁନରୁ ଅଯୋଦ୍ଧା ପାଇଁ ଏଲାୟନ୍ସ ଏୟାର ବିମାନ ଉଡାଣର ଉଦଘାଟନ କରିଥିଲେ । ଏହି ବିମାନ ସୋମବାର, ବୁଧବାର ଓ ଶୁକ୍ରବାର ଦିନ ଅଯୋଦ୍ଧା ଆସୁଥିଲା । ହେଲେ ଆରମ୍ଭର ଗୋଟିଏ ସପ୍ତାହ ପରେ ଏହି ବିମାନ ଉଡାଣ ଯାତ୍ରୀ ଅଭାବରୁ ବନ୍ଦ କରିଦିଆଯାଇଛି ।