ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ପାଇଁ ନଛୋଡ଼ ବନ୍ଧା ଡ୍ରାଇଭର ସଂଘ । କହିଲେ, ହିଟ୍ ଆଣ୍ଡ ରନ୍ ମାମଲାରେ କେନ୍ଦ୍ରର ନୂଆ ଆଇନ୍ ବିରୋଧରେ ଜାରି ରହିବ ଆନ୍ଦୋଳନ

859

କନକ ବ୍ୟୁରୋ : ଡ୍ରାଇଭରଙ୍କ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ଆଉ କେତେ ଦିନ ଚାଲିବ ତାହା କେନ୍ଦ୍ର ସରକାରଙ୍କ ନିଷ୍ପତି ଉପରେ ନିର୍ଭର କରେ । ଓଡ଼ିଶାର ଡ୍ରାଇଭରମାନେ କେନ୍ଦ୍ର ସରକାରଙ୍କ ନୂଆ ଆଇନ ହିଟ୍ ଆଣ୍ଡ ରନ୍ ଓ ରାଜ୍ୟ ସରକାରଙ୍କ ନିକଟରେ ପୂର୍ବରୁ ରଖିଥିବା ଦାବିକୁ ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଯାହାର ପ୍ରଭାବ ଆଜି ରାସ୍ତା ଘାଟରେ ଦେଖିବାକୁ ମିଳିଛି ରାଜ୍ୟ ଡ୍ରାଇଭର ସଂଘ ସହ ପରିବହନ କମିଶନର ଅମିତାଭ ଠାକୁର ବୈଠକ କରିଥିଲେ । ଯେଉଁଥିରେ ଓଡ଼ିଶା ଡ୍ରାଇଭର ଏକତା ମହାମଂଚର ସଦସ୍ୟ ଉପସ୍ଥିତ ଥିଲେ । ମିଳିଥିବା ସୂଚନା ଅନୁସାରେ ରାଜ୍ୟରେ ଯେଉଁସବୁ ଦାବି ରହିଥିଲା ସେ ବାବଦରେ ସକରାତ୍ମକ ଭାବେ ଆଲୋଚନା ହୋଇଛି । ତେଣୁ ବୈଠକ ପରେ ଆନ୍ଦୋଳନକୁ ସ୍ଥଗିତ ରଖିବା ପାଇଁ ଡ୍ରାଇଭର ସଂଘ ରାଜି ହୋଇଥିବା କଥା କହିଛନ୍ତି ପରିବହନ କମିଶନର । କିନ୍ତୁ ହିଟ୍ ଆଣ୍ଡ ରନ୍ ମାମଲାରେ ଏପର୍ଯ୍ୟନ୍ତ କୌଣସି ନିଷ୍କର୍ସ ବାହାରି ପାରିନାହିଁ । ତେଣୁ ଡ୍ରାଇଭର ସଂଘ ଆନ୍ଦୋଳନ ଜାରି ରଖିବ ବୋଲି କହିଛି । ସାରା ଦେଶରେ ଡ୍ରାଇଭରମାନେ ଆନ୍ଦୋଳନ କରୁଥିବାରୁ ବିଭିନ୍ନ ସ୍ଥାନରେ ଅତ୍ୟାବଶ୍ୟକ ସାମଗ୍ରୀର ଅଭାବ ଦେଖିବାକୁ ମିଳିଛି । ଯଦି ଏହି ଆନ୍ଦୋଳନର ସ୍ଥଗିତ ନହୁଏ ଦରଦାମ ବଢ଼ିବାର ଆଶଙ୍କା ରହିଛି ।

ବଲାଙ୍ଗୀରରେ ମଧ୍ୟ ଶାନ୍ତି ପୂର୍ଣ୍ଣ ଆନ୍ଦୋଳନ କରୁଛନ୍ତି ଡ୍ରାଇଭର । ବଲାଙ୍ଗିର କଚେରୀ ଛକରେ ଜିଲ୍ଲାର ସମସ୍ତ ଡ୍ରାଇଭର ଧାରଣାରେ ବସି କେନ୍ଦ୍ର ସରକାରଙ୍କ ଉଦ୍ଦେଶ୍ୟରେ ନିଜ ଦାବି ଉପସ୍ଥାପନ କରୁଛନ୍ତି ।