ଜାତୀୟ ଡାକ୍ତର ଦିବସରେ ଡାକ୍ତରଙ୍କୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ । କହିଲେ କରୋନା ସହିତ ଲଢ଼େଇ କରୁଛି ଦେଶ, ସେନାପତି ସାଜିଛନ୍ତି ଡାକ୍ତର, ବଞ୍ଚାଉଛନ୍ତି ଲକ୍ଷ ଲକ୍ଷ ଜୀବନ ।

167

କନକ ବ୍ୟୁରୋ : ଡାକ୍ତରମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଜାତୀୟ ଡାକ୍ତର ଦିବସ ଅବସରରେ ଡାକ୍ତରମାନଙ୍କୁ ସମ୍ବୋଧିତ କରିଛନ୍ତି । ସେ ଡାକ୍ତରମାନଙ୍କୁ ପ୍ରଶଂସା କରିବା ଅବସରରେ କହିଛନ୍ତି ଯେ, ଡାକ୍ତରମାନଙ୍କୁ ଭଗବାନଙ୍କ ଅନ୍ୟ ରୂପ କୁହାଯାଏ । କରୋନା ସ୍ଥିତି ବେଳେ ସେମାନଙ୍କ ଚିକିତ୍ସା ଓ ଅବଦାନ ପାଇଁ ୧୩୦ କୋଟି ଭାରତୀୟଙ୍କ ତରଫରୁ ଡାକ୍ତରଙ୍କୁ କୃତଜ୍ଞତା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ।

କରୋନା ମହାମାରୀ ସହ ମୁକାବିଲା ପାଇଁ ସବୁଠୁ ଆଗରେ ଠିଆ ହୋଇଛନ୍ତି ଡାକ୍ତର । ନିଜ ଜୀବନକୁ ବାଜି ଲଗାଇ ଅଗଣିତ ଲୋକଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଆସୁଛନ୍ତି ଡାକ୍ତର । କରୋନା ଭଳି ଏକ ଅଦୃଶ୍ୟ ଶତୃ ସହ ଲଢେଇ କରିବାବେଳେ ଡାକ୍ତର ହିଁ ସାଜିଛନ୍ତି ଆଗଧାଡିର ଯୋଦ୍ଧା । ତାଙ୍କର ଏହି ଅବଦାନକୁ ମନେପକାଇ ନ୍ୟାସନାଲ୍ ଡକ୍ଟର୍ସ ଡେ ରେ ଦେଶର ସମସ୍ତ ଡାକ୍ତରଙ୍କୁ କୃତଜ୍ଞତା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।

କରୋନା ଭଳି ମହାମାରୀ ସମୟରେ ଯୋଦ୍ଧା ଭାବେ ଅବିରତ କାର୍ଯ୍ୟ କରିଛନ୍ତି ଡାକ୍ତରମାନେ । ନିଜ କର୍ତବ୍ୟ ବେଳେ ଅନେକ ଡାକ୍ତର ପ୍ରାଣ ମଧ୍ୟ ହରାଇଛନ୍ତି । ପ୍ରଧାନମନ୍ତ୍ରୀ ସେମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ତାଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି । ଏହା ସହ ମୋଦୀ କହିଛନ୍ତି ଦେଶ କରୋନା ବିରୋଧରେ ଏତେ ବଡ଼ ଯୁଦ୍ଧ କରୁଛି, ଡାକ୍ତରମାନେ ଦିନରାତି ପରିଶ୍ରମ କରି ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ରକ୍ଷା କରିଛନ୍ତି । ଜାତୀୟ ଡାକ୍ତର ଦିବସରେ ଦେଶର ସମସ୍ତ ଡାକ୍ତରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ରିଜିନାଲ ହେଡ୍ । ଡାକ୍ତରଙ୍କ ଅବଦାନ, ଦେଶରେ ଧିରେ ଧିରେ ସଂକ୍ରମିତଙ୍କ ସଂଖ୍ୟା କମି କମି ଆସୁଛି ଓ ସୁସ୍ଥ ହାର ବଢି ଚାଲିଛି ।