୧୨ରୁ ୧୮ ବର୍ଷ ପିଲାଙ୍କ ଟୀକାକରଣ ପାଇଁ ଆବେଦନ କଲା ଜାଇଡସ୍ କାର୍ଡିଲା । ତୃତୀୟ ପର୍ଯ୍ୟାୟ ଟ୍ରାଏଲରୁ ମିଳିଛି ଭଲ ଫଳାଫଳ, ଡିସିଜିଆଇର ଅନୁମତି ପରେ ଖୁବଶୀଘ୍ର ଆରମ୍ଭ ହେବ ବିନା ଇଞ୍ଜେକସନରେ ଟୀକାକରଣ ।

122

କନକ ବ୍ୟୁରୋ : କିଶୋରଙ୍କୁ ମିଳିବ ଭ୍ୟାକସିନ୍ । ତୃତୀୟ ଟ୍ରାଏଲ ପରେ ଜାଇଡସ୍ କାଡିଲା କମ୍ପାନି, ଟିକାର ଜରୁରୀକାଳିନ ବ୍ୟବହାର ପାଇଁ ଡିସିଜିଆଇକୁ ଆବେଦନ କରିଛି । ବାର ବର୍ଷ ଓ ଅଧିକ ବୟସ୍କ ଲୋକଙ୍କୁ ଏହି ଟିକା ଦିଆଯାଇପାରିବ । ଏହା ଏକ ଡିଏନଏ ଭ୍ୟାକସିନ୍ । ଜରୁରୀକାଳୀନ ବ୍ୟବହାର ପାଇଁ ଭାରତ ସରକାରଙ୍କୁ ଅନୁମତି ମାଗିଛି ଏହି କମ୍ପାନୀ । ୨୮ହଜାର ଲୋକଙ୍କ ଠାରେ ଏହାର ପରୀକ୍ଷଣ କରାଯାଇଥିବା ସୂଚନା ମିଳିଛି ।

ଗୁଜରାଟର ଏହି କମ୍ପାନି କରୋନାର ଦ୍ୱିତୀୟ ଲହର ସମୟରେ ଏହି ପରୀକ୍ଷଣ କରିଥିଲା । ଡେଲଟା ପ୍ଲସ ଭ୍ୟାରିଆଂଟକୁ ଏହି ଟିକା ପ୍ରତିହତ କରିପାରିବ ବୋଲି କମ୍ପାନି ଦାବି କରିଛି । ଏହି କମ୍ପାନିକୁ ଅନୁମତି ମିଳିଲେ ଏହା ଡିସିଜିଆଇ ଦ୍ୱାରା ଅନୁମତି ପ୍ରାପ୍ତ ପଂଚମ ଟିକା ହେବ । ଲକ୍ଷଣ ଥିବା ଆକ୍ରାନ୍ତଙ୍କ ବିରୋଧରେ ଏହାର ସଫଳତା ହାର ୬୬ ଦଶମିକ୍ ୬ ପ୍ରତିଶତ ବୋଲି କମ୍ପାନୀ ଦାବି କରିଛି । କିନ୍ତୁ ମଧ୍ୟମ ଧରଣର ଆକ୍ରାନ୍ତ ଥିବା ରୋଗ ବିରୋଧରେ ଏହା ୧୦୦ ପ୍ରତିଶତ କାମ କରିବ ବୋଲି ଦାବି କରାଯାଇଛି । ୧୨ରୁ ୧୮ ବର୍ଷ ପିଲାଙ୍କ ପାଇଁ ଏହା ସମ୍ପୁର୍ଣ୍ଣ ସୁରକ୍ଷିତ ବୋଲି କମ୍ପାନୀ ଦାବି କରିଛି । ଏହାର ତିନୋଟି ଡ଼ୋଜ ନେବାକୁ ପଡ଼ିବ ।