ପୁଣି ବଢିଲା ସଂକ୍ରମଣ । ଗତ ୨୪ ଘଂଟାରେ ଦେଶରେ ୪୮ହଜାର ୪୧୫ ଆକ୍ରାନ୍ତ, ମୃତ୍ୟୁ ସଂଖ୍ୟା ହଜାରେ ଉପରେ । ଡାକ୍ତରଙ୍କ ମତ ଗାଇଡଲାଇନ୍ ମାନିଲେ, ରୋକିହେବ ତୃତୀୟ ଲହର ।

360

କନକ ବ୍ୟୁରୋ : ୪୦ ହଜାର ତଳକୁ ଦୈନିକ ସଂକ୍ରମଣ ଖସିବା ପରେ ପୁଣି ବୃଦ୍ଧି ପାଉଛି ଆକ୍ରାନ୍ତଙ୍କ ସଂଖ୍ୟା । ଲଗାତାର ୨ ଦିନ ଧରି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିଚାଲିଛି । ଗତ ୨୪ ଘଣ୍ଟାରେ ଦେଶରେ ୪୮ହଜାର ୪୧୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ମୃତକଙ୍କ ସଂଖ୍ୟା ମଧ୍ୟ ସାମାନ୍ୟ ବୃଦ୍ଧି ପାଇଛି ।

ଲଗାତାର ଭାବେ ହ୍ରାସ ପାଉଥିବା କରୋନା ସଂକ୍ରମଣ ଗତ ୨ ଦିନ ହେବ ବଢୁଥିବା ଦେଖିବାକୁ ମିଳୁଛି । ଦେଶରେ ଗତ ୨୪ ଘଂଟାରେ ୪୮,୪୧୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ମଙ୍ଗଳବାର ତୁଳନାରେ ବୁଧବାର ମୃତକଙ୍କ ସଂଖ୍ୟା ମଧ୍ୟ ବୃଦ୍ଧିପାଇଛି । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟର ରିପୋର୍ଟ ଅନୁସାରେ ଗତ ୨୪ ଘଂଟାରେ ଦେଶରେ,

– ୪୮,୪୧୫ ଆକ୍ରାନ୍ତ
– ୧,୦୦୫ ଜଣଙ୍କ ମୃତ୍ୟୁ
– ୬୧,୪୯୪ ଜଣ ସୁସ୍ଥ
– ମୋଟ ଆକ୍ରାନ୍ତ ସଂଖ୍ୟା ୩,୦୪,୧୧,୬୩୪
– ମୋଟ ସୁସ୍ଥ ସଂଖ୍ୟା ୨.୯୪ କୋଟିରୁ ଅଧିକ
– ମୋଟ ମୃତ୍ୟୁ ସଂଖ୍ୟା ୩,୯୯,୪୫୯
– ସକ୍ରିୟ ରୋଗୀ ସଂଖ୍ୟା ୫.୧୭ଲକ୍ଷ

ଦେଶରେ କରୋନା ମହାମାରୀର ଦ୍ୱିତୀୟ ଲହର ଫିକା ପଡିବାରେ ଲାଗିଛି । ମାତ୍ର କେରଳରେ ଏବେବି ପରିସ୍ଥିତି ଜଟିଳ ରହିଛି । କେରଳରେ ଗତ ୨ ଦିନ ଧରି ନୂତନ ଆକ୍ରାନ୍ତଙ୍କ ସଂଖ୍ୟା ୧୩ହଜାର ଉପରେ ରହୁଛି । ସେହିପରି ମହାରାଷ୍ଟ୍ରରେ ମଧ୍ୟ କରୋନା ସଂକ୍ରମଣ ଧିରେ ଧିରେ କମ ହେଉଛି । ବର୍ତମାନ ଦେଶରେ ସୁସ୍ଥହାର ବୃଦ୍ଧି ପାଇ ୯୬.୯୭ ପ୍ରତିଶତରେ ପହଁଚିଲାଣି । ଆଉ ଦୈନିକ ସଂକ୍ରମଣ ହାର ହ୍ରାସ ପାଇ ୨.୩୪ ପ୍ରତିଶତ ରେକର୍ଡ ହୋଇଛି ।

ଦେଶରେ କରୋନା ସଂକ୍ରମଣ ହାର କମ୍ ହେବା ସହ ଟୀକାକରଣ ପ୍ରକ୍ରିୟା ଜୋର ସୋରରେ ଆଗେଇ ଚାଲିଛି । ଟିକା ନେବା ପରେ ବି ମାସ୍କ ପିନ୍ଧିବା ଏବଂ ସାମାଜିକ ଦୂରତା ବଜାୟ ରଖିବାକୁ ସରକାର ବାରମ୍ବାର କହି ଆସୁଛନ୍ତି । ସେପଟେ ଏମ୍ସ ନିର୍ଦ୍ଦେଶକ ଡାକ୍ତର ରଣଦୀପ ଗୁଲେରିଆ କହିଛନ୍ତି କୋଭିଡ୍ ଗାଇଡ୍ ଲାଇନ୍ ସଠିକ ଭାବେ ପାଳନ କଲେ ହୁଏତ ଦେଶରେ କରୋନାର ତୃତୀୟ ଲହର ଆସି ନପାରେ ।