ବିଜେଡି ଟିକେଟକୁ ନେଇ ବାଲେଶ୍ୱରରେ ଦିନତମାମ ହଲଚଲ । ସୁବାସିନୀ ଜେନାଙ୍କ ସମର୍ଥକ କହିଲେ ସ୍ୱାଧୀନ ଭାବେ ଲଢ଼ନ୍ତୁ, ଜିତାଇବା ଦାୟିତ୍ୱ ଆମର । ନିର୍ବାଚନ ଦାୟିତ୍ୱରେ ଥିବା ନେତାଙ୍କ ହସ୍ତକ୍ଷେପ ପରେ ହେଲା ସମାଧାନ । ସ୍ୱରୂପ ରହିବେ ପ୍ରାର୍ଥୀ, ସମର୍ଥନ ଦେବେ ରବୀନ୍ଦ୍ର ।

870

କନକ ବ୍ୟୁରୋ : ବାଲେଶ୍ୱର ଉପନିର୍ବାଚନ ପାଇଁ ଦଳୀୟ ପ୍ରାର୍ଥୀ ଘୋଷଣା ହେବା ପରେ ବାଲେଶ୍ୱର ବିଜେଡିରେ ଅସନ୍ତୋଷର ସ୍ୱର ଉଠିଥିଲା । ସୁବାସିନୀଙ୍କ ସମର୍ଥକ କହିବାକୁ ପଛାଇଲେ ନାହିଁ ଯେ, ଆବଶ୍ୟକ ପଡିଲେ ସ୍ୱାଧୀନ ପ୍ରାର୍ଥୀ ଭାବେ ଠିଆ ହେବେ । ଏହାପରେ ଆରମ୍ଭ ହୋଇଗଲା ବିଜେଡିର ଅପରେସନ । ବରିଷ୍ଠ ନେତା ଅସନ୍ତୁଷ୍ଟଙ୍କୁ ମନାଇବା ପାଇଁ ଆରମ୍ଭ କରିଦେଲେ ତୁହାକୁ ତୁହା ବୈଠକ । ଶେଷରେ ସ୍ୱରୂପ ଦାସଙ୍କ ନାଁରେ ସବୁ ଗୋଷ୍ଠୀର ସହମତିର ମୋହର ବାଜିଛି ।

ତିର୍ତୋଲ ଉପନିର୍ବାଚନକୁ ଆଉ କିଛି ଦିନ ବାକି ଥିବା ବେଳେ ଏବେ ସରଗରମ ହୋଇଛି ତିର୍ତୋଲ ରାଜନୀତି । ବିଜେପି ଜୋରଦାର ପ୍ରଚାର ଆରମ୍ଭ କରିଦେଇଛି । ବିଜେପି ପ୍ରାର୍ଥୀ ରାଜକିଶୋର ବେହେରା ଆଜି ବିରିଡିରୁ ପ୍ରଚାର କରିଛନ୍ତି । ଦୁଇ ଦୁଇ ଥର ହାରିଥିବାରୁ ଏଥର ଜିତାଇବା ପାଇଁ ଜନତାଙ୍କୁ ନିବେଦନ କରିଛନ୍ତି ।

ସେପଟେ କଂଗ୍ରେସ ମଧ୍ୟ ବିରିଡିରୁ ପ୍ରଚାରକୁ ଜୋରଦାର କରିଛି । କଂଗ୍ରେସ ପ୍ରାର୍ଥୀ ହିମାଂଶୁ ମଲ୍ଲିକ କହିଛନ୍ତି ୬୧ ଦିନରେ ୬୧ ପଂଚାୟତ ମଧ୍ୟରୁ ଅଧିକାଂଶ ସ୍ଥାନରେ ପହଂଚିସାରିଛନ୍ତି । ଆଉ ଏଠାରେ ଯାହା ବି ବିକାଶ ହୋଇଛି କଂଗ୍ରେସ ଅମଳରେ ହୋଇଛି । ତେଣୁ ଲୋକେ କଂଗ୍ରେସକୁ ବାଛିବେ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ।

ଅନ୍ୟପକ୍ଷରେ ବିଜେଡି ପ୍ରାର୍ଥୀ ପ୍ରଚାର କରିନଥିଲେ ମଧ୍ୟ ମନ୍ତ୍ରୀ ଅରୁଣ ସାହୁ, ବିଜେଡି ନେତା ସଂଜୟ ଦାସ ବର୍ମା ଆଜି କର୍ମୀ ସମ୍ମିଳନୀରେ ଯୋଗଦେଇ ଉପ-ନିର୍ବାଚନ ପ୍ରସଙ୍ଗରେ ଆଲୋଚନା କରି ପରବର୍ତି ରଣନୀତି ପ୍ରସ୍ତୁତ କରିଛନ୍ତି । ଯାହାକୁ ନେଇ ଏବେ ସରଗରମ ହୋଇଛି ଉପ-ନିର୍ବାଚନ ରାଜନୀତି ।