ଗଭୀର ଅବପାତ ଯୋଗୁଁ ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା । ଆସନ୍ତା ୨୪ ଘଂଟା ପର୍ଯ୍ୟନ୍ତ ୧୦ଟି ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କା । ସେପଟେ ଗଜପତିରେ ଧସିଲା ମାଟି ଅତଡା, ଉପୁଡି ପଡିଲା ବିଦ୍ୟୁତ୍ ଖୁଣ୍ଟ, ଗଂଜାମର ତଳି ଅଂଚଳରେ ପସିଲା ପାଣି ।

275

କନକ ବ୍ୟୁରୋ : ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ତୀବ୍ର ଅବପାତ ଅବସ୍ଥାରେ ଆଜି ସକାଳ ୭ଟାରେ ଉତ୍ତର ଆନ୍ଧ୍ରପ୍ରଦେଶର କାକିନଡ଼ାରେ ସ୍ଥଳଭାଗ ଅତିକ୍ରମ କରିିଛି । ଏହା ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ହୋଇଛି । ଆସନ୍ତା ୨୪ ଘଂଟା ଭିତରେ ଦକ୍ଷିଣ ଉପକୂଳ ଓଡିଶାର ଜିଲ୍ଲା ଗୁଡିକରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ୧୦ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

ଗଜପତି, ଗଂଜାମ, ରାୟଗଡା, ଖୋର୍ଦ୍ଧା, ପୁରୀ, ମାଲକାନଗିରି, କୋରାପୁଟ, କଳାହାଣ୍ଡି, ନବରଙ୍ଗପୁର, କନ୍ଧମାଳ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା ନେଇ ଆକଳନ କରିଛି ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ତେବେ ଗତ ୨୪ଘଂଟାରେ ଗଜପତି ଜିଲ୍ଲାରେ ସର୍ବାଧିକ ବର୍ଷା ରେକର୍ଡ ହୋଇଛି । ମୋହନା ଅଂଚଳରେ ୧୪୨.୦୪ ମିଲିମିଟର ବର୍ଷା ରେକର୍ଡ ହୋଇଥିବା ବେଳେ ପାରଳାଖେମୁଣ୍ଡିରେ ୧୧୭ ମିଲିମିଟର ବର୍ଷା ହୋଇଛି ।

ମୁଖ୍ୟତଃ ଦକ୍ଷିଣ ଓଡିଶାର ୩ ଜିଲ୍ଲା ଗଜପତି, ଗଂଜାମ ଏବଂ ରାୟଗଡାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି । ଗଜପତିରେ ବର୍ଷା ଯୋଗୁଁ ପାହାଡରୁ ମାଟ ଅତଡା ଧସି ଯାଇଛି, ଘର ଭାଙ୍ଗି ଯାଇଛି । କେତେକ ସ୍ଥାନରେ ବିଦ୍ୟୁତ ଖୁଂଟ ଉପୁଡି ପଡିଛି । ଜିଲ୍ଲାର ଅସୁରକ୍ଷିତ ସ୍ଥାନରୁ ପ୍ରାୟ ୫ଶହ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ଗଂଜାମ ଜିଲ୍ଲାର ଦିଗପହଣ୍ଡି, ସାନଖେମୁଣ୍ଡି, ଆସ୍କା, ପାତ୍ରପୁର ବ୍ଲକରେ ମଧ୍ୟ ବର୍ଷା ବିତ୍ପାତ ଦେଖିବାକୁ ମିଳିଛି । ପାହାଡିଆ ଅଂଚଳରେ ବର୍ଷ ପାଣିର ସ୍ରୋତକୁ ଦେଖି ଲୋକେ ଭୟଭିତ ହୋଇ ଯାଇଛନ୍ତି ।