ବିସିସିଆଇ ଉପରେ ବର୍ଷିଲେ ପୂର୍ବ କ୍ୟାପଟେନ୍ । କହିଲେ, ବିଶ୍ୱର ସବୁଠୁ ଧନୀ କ୍ରିକେଟ୍ ବୋର୍ଡ କଥା କହୁଛେ, ହେଲେ ଆମ ପାଖେ ଆଗାମୀ କ୍ୟାପଟେନ୍ ନାହିଁ ।

1,222

କନକ ବ୍ୟୁରୋ: ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲ ହାରିବା ପରେ, ଏବେ ସମସ୍ତଙ୍କ ଟାର୍ଗେଟରେ ଟିମ୍ ଇଣ୍ଡିଆ । ଜଣକ ପରେ ଜଣେ ବରିଷ୍ଠ କ୍ରିକେଟର ଖେଳାଳିଙ୍କୁ ଟାର୍ଗେଟ କରୁଥିବାବେଳେ, ଆଉ କିଛି କ୍ରିକେଟର ଟିମ୍ ମ୍ୟାନେଜମେଣ୍ଟ ଉପରେ ବର୍ଷିଛନ୍ତି । ସେମାନଙ୍କ କହିବା କଥା, ଦଳରେ କିଛି ପରିବର୍ତ୍ତନ ଆବଶ୍ୟକ ପଡିଲାଣି, ଯାହାକୁ ଦୃଷ୍ଟିରେ ରଖି ମ୍ୟାନେଜମେଣ୍ଟ ଏହି ପରିବର୍ତ୍ତନ କରିବା ନିହାତି ଆବଶ୍ୟକ । ଆଉ ଏହାରି ଟିମ୍ ଇଣ୍ଡିଆର ପୂର୍ବ କ୍ୟାପଟେନ୍ ଦିଲୀପ ଭେଙ୍ଗସରକାର ବିସିସିଆଇକୁ ନେଇ ବଡ କଥା କହିଛନ୍ତି । ସେ କହିଛନ୍ତି ଯେ, ବିସିସିଆଇ ଟଙ୍କା ରୋଜଗାର କରିଦେଲା ସତ, ହେଲେ ଦଳର ଶକ୍ତି କିନ୍ତୁ ବୃଦ୍ଧି କଲାନି । ଆଉ ଦଳର ଆଗାମୀ କ୍ୟାପଟେନ୍ ବାଛିପାରିଲାନି ।

ଜାତୀୟ ଗଣମାଧ୍ୟମରେ ଏକ ଇଣ୍ଟରଭ୍ୟୁ ଦେଇ ଭେଙ୍ଗସରକାର କହିଛନ୍ତି, ଗତ ୬-୭ ବର୍ଷ ଭିତରେ ଚୟନକର୍ତ୍ତାମାନେ ଭବିଷ୍ୟତର ଟିମ ବନେଇବା ପାଇଁ କିଛି ବି କରିନାହାଁନ୍ତି । ଏହି ସମୟ ଭିତରେ କୌଣସି ବି ଲକ୍ଷ୍ୟ ରଖାଯାଇନଥିଲା । ଖାଲି ସେତିକି ନୁହେଁ, ବିସିସିଆଇ ଦଳର ଆଗାମୀ କ୍ୟାପଟେନ୍ ବାଛିବା ନେଇ ମଧ୍ୟ କିଛି ବି କରିନିି । ଆମେ ବିଶ୍ୱର ସବୁଠୁ ଧନୀ ବୋର୍ଡ କଥା କହୁଛେ, ହେଲେ ଆମର ଅତିରିକ୍ତ ଖେଳାଳିଙ୍କ ସଂଖ୍ୟା କିନ୍ତୁ ଅନ୍ୟ ଦେଶର ତୁଳନାରେ କମ୍ ବୋଲି ସେ କହିଛନ୍ତି ।

ଅସଲରେ ଦେଖିବାକୁ ଗଲେ, ଦିଲୀପ ଭେଙ୍ଗସରକାରଙ୍କ କଥା ସତ ଅଟେ । ରୋହିତ ଶର୍ମାଙ୍କ ପରେ ଦଳର ମଙ୍ଗ କିଏ ଧରିବ, ତାହା ଏବେ ବି ବଡ ପ୍ରଶ୍ନ । ଟି-୨୦ରେ ହାର୍ଦ୍ଦିକ ପାଣ୍ଡ୍ୟା ରୋହିତଙ୍କ ଉତ୍ତରାଧିକାରୀ ହେଇପାରନ୍ତି ସତ, ହେଲେ ଦିନିକିଆ ଏବଂ ଟେଷ୍ଟରେ ଦଳକୁ କିଏ ସମ୍ଭାଳିବ ତାହା ଏବେ ବି ସ୍ପଷ୍ଟ ନୁହେଁ ।