ଜିଲ୍ଲା ପରିଷଦ ସଭ୍ୟଙ୍କ ଆତ୍ମହତ୍ୟା ଘଟଣା : ଆସିଲା ଧର୍ମେନ୍ଦ୍ର ସାହୁଙ୍କ ପୋଷ୍ଟମର୍ଟମ ରିପୋର୍ଟ

152

କନକ ବ୍ୟୁରୋ : ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁ ଘଟଣା । ଆସିଲା ପୋଷ୍ଟମର୍ଟମ ରିପୋର୍ଟ । ପୋଷ୍ଟମର୍ଟମ ରିପୋର୍ଟରେ ଶ୍ୱାସରୁଦ୍ଧ ହୋଇ ଧର୍ମେନ୍ଦ୍ରଙ୍କର ମୃତ୍ୟୁ ହୋଇଥିବା ସ୍ପଷ୍ଟ କରାଯାଇଛି । ଧର୍ମେନ୍ଦ୍ରଙ୍କ ମୃତ ଶରୀରରେ କୌଣସି କ୍ଷତ ଚିହ୍ନ ନଥିବା ରିପୋର୍ଟରେ ଉଲ୍ଲେଖ ରହିଛି । ଶନିବାର ଧମେନ୍ଦ୍ରଙ୍କ ମୃତ ଦେହ ଝୁଲନ୍ତା ଅବସ୍ଥାରେ ବାଲକୋନୀରୁ ଉଦ୍ଧାର କରାଯାଇଥିଲା । ଜିଲ୍ଲା ପରିଷଦ ସଭ୍ୟଙ୍କ ମୃତ୍ୟୁ ନେଇ ପୋଲିସ ପକ୍ଷରୁ ଜୋରଦାର ତଦନ୍ତ ଜାରି ରହିଥିବା ବେଳେ ଆଜି ଏହି ପୋଷ୍ଟମର୍ଟମ ରିପୋର୍ଟ ମିଳିଛି ।

ମୃତ୍ୟୁ ନେଇ ଡିସିପିଙ୍କ ଅଧିନରେ ଏକ ୫ଜଣିଆ ଟିମ୍ ତଦନ୍ତ କରୁଛି । ଟିମରେ ଅଛନ୍ତି ଧଉଳି ଥାନା ଅଧିକାରୀ ଓ ୩ ଜଣିଆ ମହିଳା ଟିମ୍ ।  ଗତକାଲି ରବିବାର ରାତିରେ ପୋଲିସ ଧର୍ମେନ୍ଦ୍ରଙ୍କ ଘରକୁ ଯାଇ ତଦନ୍ତ କରିବା ସହ ପତ୍ନୀ, ପରିବାର ଓ ରୋଷେୟାଙ୍କୁ ପଚରାଉଚରା କରିଛି । ଆଜି ପୁଣି ଥରେ ପୋଲିସର ଏହି ଟିମ୍ ଧର୍ମେନ୍ଦ୍ର ସାହୁଙ୍କ ଘରକୁ ଯାଇ ତଦନ୍ତ କରିବ ବୋଲି ଜଣାପଡ଼ିଛି । ସେହିଭଳି ଗତକାଲି ଜବତ ହୋଇଥିବା ଧର୍ମେନ୍ଦ୍ରଙ୍କ ଦୁଇଟି ମୋବାଇଲକୁ ଫରେନସିକ୍ ଲ୍ୟାବକୁ ପଠାଇଛି ପୋଲିସ ।

ପୂର୍ବରୁ ମଧ୍ୟ ପୋଲିସ ଟିମ୍ ଧର୍ମେନ୍ଦ୍ରଙ୍କ ଘରେ ପହଞ୍ଚି ପତ୍ନୀ କସ୍ତୁରିବାଳା, ପୁଅ ଓ ରୋଷେୟା, ତାଙ୍କ ସହ ରହୁଥିବା ସଂପର୍କୀୟ ଓ ଅନ୍ୟ କର୍ମଚାରୀଙ୍କୁ ପଚରାଉରା କରିଥିଲେ । ତାଙ୍କ ମାନସିକ ଅଶାନ୍ତିର କାରଣ କ’ଣ ଥିଲା ? କେତେ ଦିନ ହେଲା ସେ ବିବ୍ରତ ଥିଲେ ? ମୋବାଇଲ ଫୋନରେ ଥିବା ରହସ୍ୟ ସଂପର୍କରେ ପରିବାର ଲୋକଙ୍କୁ ସେ ସୂଚନା ଦେଇଥିଲେ କି ନାହିଁ ? ରାଜନୈତିକ ବ୍ୟକ୍ତିଙ୍କ ସଂପୃକ୍ତି ସହ ଘଟଣା ଦିନ ରାତିରେ ଘରେ କିଏ କିଏ ଥିଲେ ଆଦି ପ୍ରସଙ୍ଗ ଉପରେ ପଚରାଉଚରା କରିଥିଲା ପୁଲିସ ।