କୋହଲି ଖେଳିଲେ ବିରାଟ ଇନିଂସ, ସାବାସୀ ଦେଲେ ଅଧିନାୟକ ରୋହିତ । ବିଜୟ ପରେ ପରସ୍ପରକୁ ଆଲିଙ୍ଗନ ସହ କଲେ ସେଲିବ୍ରେସନ ।

311

କନକ ବ୍ୟୁରୋ : ଟି-୨୦ ବିଶ୍ୱକପ ପୂର୍ବରୁ ଅଷ୍ଟ୍ରେଲିଆକୁ ମାତ୍ ଦେଇ ମହାବିଜୟ ହାସଲ କରିଛି ଟିମ୍ ଇଣ୍ଡିଆ । ୩ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜକୁ କବଜା କରିଛି ମେନ୍ ଇନ୍ ବ୍ଲୁ । ରୋମାଞ୍ଚକର ମ୍ୟାଚରେ କଙ୍ଗାରୁ ଦଳକୁ ୬ ୱିକେଟରେ ପରାଜିତ କରି ଟି-୨୦ ବିଶ୍ୱକପ୍ ପୂର୍ବରୁ ମନୋବଳ ଦୃଢ କରିଛି ଭାରତୀୟ ଟିମ୍ । ତୃତୀୟ ତଥା ନିର୍ଣ୍ଣାୟକ ମ୍ୟାଚରେ ଭାରତର ବିଜୟ ପଛର ନାୟକ ସାଜିଥିଲେ ଅଭିଜ୍ଞ ବିରାଟ କୋହଲି ଓ ବିସ୍ଫୋରକ ସୂର୍ଯ୍ୟକୁମାର ଯାଦବ । ତେବେ ଶେଷ ଓଭର ପର୍ଯ୍ୟନ୍ତ କ୍ରିଜରେ ରହି ଭାରତର ବିଜୟକୁ ସହଜ କରିଥିଲେ ପୂର୍ବତନ ଭାରତୀୟ ଅଧିନାୟକ ବିରାଟ କୋହଲି । ଶେଷ ଓଭରରେ ଆଉଟ ହୋଇ ପ୍ୟାଭିଲିୟନ ଫେରୁଥିବା ବେଳେ ଭିନ୍ନ ଏକ ଦୃଶ୍ୟ ଦେଖିବାକୁ ମିଳିଥିଲା । ଯାହାକୁ ବେଶ ପସନ୍ଦ କରିଛନ୍ତି ଭାରତୀୟ କ୍ରିକେଟପ୍ରେମୀ ।

ତୃତୀୟ ମ୍ୟାଚରେ ବିରାଟଙ୍କୁ ସଙ୍କଟମୋଚକ ଭୂମିକାରେ ଦେଖିବାକୁ ମିଳିଥିଲା । ଆବଶ୍ୟକ ବେଳେ ବଡ ସଟ ଖେଳୁଥିଲେ ଏବଂ ୱିକେଟ ପତନ ହେଲେ ସର୍ତକତାର ସହ ବ୍ୟାଟିଂ କରୁଥିଲେ । କିଛି ଏଭଳି ଢଙ୍ଗରେ ୪୮ ବଲରେ ୬୩ ରନର ଇନିଂସ ଖେଳି ଭାରତର ବିଜୟ ପଥ ପରିଷ୍କାର କରିଥିଲେ କୋହଲି । ଶେଷ ଓଭରରେ ୧୧ ରନ ଆବଶ୍ୟକ ଥିବା ବେଳେ ପ୍ରଥମ ବଲରେ ଛକା ମାରି ଅଷ୍ଟ୍ରେଲିଆ ଉପରେ ଚାପ ପକାଇଥିଲେ । ପରବର୍ତ୍ତୀ ବଲରେ ବଡ ସଟ୍ ଖେଳିବାକୁ ଯାଇ କୋହଲି କ୍ୟାଚ୍ ଆଉଟ ହୋଇ ପ୍ୟାଭିଲିୟନ ଫେରିଥିଲେ । ତେବେ ପ୍ୟାଭିଲିୟନ ଫେରିବା ସମୟରେ ଟିମର ସମସ୍ତ ସଦସ୍ୟ ଏଭଳି ଧୈର୍ଯ୍ୟପୂର୍ଣ୍ଣ ଇନିଂସ ପାଇଁ ଛିଡା ହୋଇ ତାଳି ମାରିଥିଲେ । ଆଉ ଏହି ଇନିଂସ ପାଇଁ ଅଧିନାୟକ ରୋହିତ ଶର୍ମା କୋହଲିଙ୍କୁ ସାବାସି ଦେଇଥିଲେ । ଡ୍ରେସିଂ ରୁମ ପାଖରେ ଛିଡା ହୋଇ କୋହଲିଙ୍କ ପିଠି ଥାପୁଡାଇଥିଲେ ରୋହିତ । ହାର୍ଦ୍ଦିକ ପାଣ୍ଡ୍ୟା ବିଜୟ ସୂଚକ ଚୌକା ମାରିବା କ୍ଷଣି ଖୁସିରେ ଝୁମି ଉଠିଥିଲା ଟିମ୍ ଇଣ୍ଡିଆ କ୍ୟାମ୍ପ । ଆଉ ଏହି ବିଜୟକୁ ନିଆରା ଢଙ୍ଗରେ ସେଲିବ୍ରେସନ କରିଥିଲେ ଉଭୟ କୋହଲି ଓ ରୋହିତ । ପରସ୍ପରକୁ ଆଲିଙ୍ଗନ କରିଥିଲେ ଟିମ୍ ଇଣ୍ଡିଆର ଏହି ଦୁଇ ସୁପରଷ୍ଟାର । ଏହି ବିଜୟରେ ବିରାଟ ଅଧିକ ଉତ୍ସାହିତ ହେବା ସହ ରୋହିତଙ୍କ ପିଠି ଥାପୁଡାଇଥିଲେ । ଯାହାର ଫଟୋ ଓ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ।

ଅନ୍ୟପଟେ ମ୍ୟାଚ୍ ପରେ କୋହଲି କହିଛନ୍ତି, ୨ଟି ୱିକେଟ ପତନ ପରେ ସୂର୍ଯ୍ୟ ଓ ମୁଁ ସର୍ତକତାର ସହ ବ୍ୟାଟିଂ କରିଥିଲୁ । କିନ୍ତୁ ସୂର୍ଯ୍ୟ ଥରେ ସେଟ୍ ହେବା କ୍ଷଣି ଅଷ୍ଟ୍ରେଲିଆ ବୋଲରଙ୍କୁ ନିର୍ଦ୍ଧୁମ ଛେଚିଥିଲେ । ସୂର୍ଯ୍ୟ ଭିନ୍ନ ଭିନ୍ନ ଅନ୍ଦାଜରେ ସଟ୍ ମାରିବା କ୍ଷଣି ଟିମ୍ କ୍ୟାମ୍ପ ଆଡକୁ ଚାହିଁଥିଲି । ଆଉ ସେତେବେଳେ ଅଧିନାୟକ ରୋହିତ ଓ କୋଚ୍ ରାହୁଲ କହିଥିଲେ କେବଳ ବ୍ୟାଟିଂ ଉପରେ ଫୋକସ କର ଓ ଶେଷ ପର୍ଯ୍ୟନ୍ତ ଅପରାଜିତ ରୁହ । ଯେଉଁଥିପାଇଁ ବେଶ ଧୈର୍ଯ୍ୟର ସହ ଖେଳୁଥିଲି । କିନ୍ତୁ ସୂର୍ଯ୍ୟ ଆଉଟ ହେବା ପରେ ବଡ ସଟ୍ ଖେଳିବାକୁ ପ୍ରୟାସ କରି ସଫଳ ମଧ୍ୟ ହେଲି । ଏଭଳି ଭାବେ ପୁଣିଥରେ କ୍ରିଜରେ ସେଟ୍ ହେବାକୁ ବେଶି ସମୟ ଲାଗିନଥିଲା । ଶେଷ ପର୍ଯ୍ୟନ୍ତ ୱିକେଟ ବଞ୍ଚାଇବା ହିଁ ଅଷ୍ଟ୍ରେଲିଆ ବୋଲରଙ୍କ ଉପରେ ଚାପ ପକାଇଥିଲା । ଯାହା ଟିମ୍ ଇଣ୍ଡିଆକୁ ଶେଷ ଆଡକୁ ଫ୍ରଣ୍ଟଫୁଟରେ ରଖିଥିଲା । ବିଶ୍ୱକପ ପୂର୍ବରୁ ଏହି ବିଜୟ ଟିମ୍ ଇଣ୍ଡିଆର ଆତ୍ମବିଶ୍ୱାସ ବଢାଇଛି । ଏହାଛଡା ଟି-୨୦ ବିଶ୍ୱକପ ପୂର୍ବରୁ ଆସନ୍ତା ୨୮ ତାରିଖରୁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟି-୨୦ ସିରିଜ ଖେଳିବ ଟିମ୍ ଇଣ୍ଡିଆ । ଯାହା ଟିମ୍ ଇଣ୍ଡିଆର ବିଶ୍ୱକପ ପ୍ରସ୍ତୁତିକୁ ବଳ ଯୋଗାଇବ ।