ଧାମନଗର ଉପନିର୍ବାଚନ ପାଇଁ ବାଜିଲା ବିଗୁଲ । ଅଣ୍ଟା ଭିଡିଲେ ତିନି ପ୍ରମୁଖ ରାଜନୈତିକ ଦଳ । କେଉଁ ଦଳ କାହାକୁ ପ୍ରାର୍ଥୀ କରିବେ, ଚାଲିଛି ଅଙ୍କକଷା

102

କନକ ବ୍ୟୁରୋ: ଧାମନଗର ଉପନିର୍ବାଚନ ବିଗୁଲ ବାଜି ସାରିଛି । ନିର୍ବାଚନ ପାଇଁ ଅଣ୍ଟା ଭିଡ଼ିଲେଣି ତିନି ପ୍ରମୁଖ ରାଜନୈତିକ ଦଳ । ନିର୍ବାଚନରେ କେଉଁ ଦଳରୁ କିଏ ପ୍ରାର୍ଥୀ ହେବେ, ସେନେଇ ସସପେନ୍ସ ବଢ଼ିବାରେ ଲାଗିଛି । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ତିହିଡି ଗସ୍ତ ପରେ ଦଳର କର୍ମୀମାନଙ୍କ ମନରେ ଉତ୍ସାହ ଦେଖିବାକୁ ମିଳିଛି । ସେପଟେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ଦମରେ ବିଜେଡି ଧାମନଗର ଗଡ଼ ଜିତିବାକୁ ଲକ୍ଷ୍ୟ ରଖିଛି ।

ସେହିପରି କଂଗ୍ରେସ କାହାକୁ ପ୍ରାର୍ଥୀ କରିବ, ସେନେଇ ଅଙ୍କ ଛିଡୁନଥିବା ଜଣାପଡ଼ିଛି । ୨୦୧୯ ସାଧାରଣ ନିର୍ବାଚନରେ ବିଜେପି ବିଷ୍ଣୁ ସେଠୀଙ୍କୁ ପ୍ରାର୍ଥୀ କରି ଧାମନଗରରେ ପଦ୍ମ ଫୁଟାଇଥିଲା । ୨୦୧୪ ନିର୍ବାଚନରେ ବିଜେଡି ଏହି ଆସନରେ ବିଜୟୀ ହୋଇଥିଲା କିନ୍ତୁ ଗୋଷ୍ଠୀକନ୍ଦଳ ଯୋଗୁଁ ୨୦୧୯ ନିର୍ବାଚନରେ ବିଜେଡି ପ୍ରାର୍ଥୀ ରାଜୁ ଦାସ ପରାଜିତ ହୋଇଥିଲେ । ଅନ୍ୟପକ୍ଷରେ କଂଗ୍ରେସକୁ ତୃତୀୟ ସ୍ଥାନରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା । ଏଥର ବିଜେଡି ସମସ୍ତ ଗୋଷ୍ଠୀ କନ୍ଦଳ ଭୁଲି ଉପନିର୍ବାଚନରେ ଜିତିବା ପାଇଁ ପ୍ରସ୍ତୁତି ଜୋରଦାର କରିଦେଇଛି । ଧାମନଗର ଉପନିର୍ବାଚନ ପାଇଁ ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳଙ୍କ ଉପରେ ଗୁରୁଦାୟିତ୍ୱ ଦେଇଛି ବିଜେଡି । ତେବେ ବିଜେପି କାହାକୁ ଦାୟିତ୍ୱ ଦେବ, ସେନେଇ ସ୍ପଷ୍ଟ ହୋଇନାହିଁ ।

ସେପଟେ କଂଗ୍ରେସର ବରିଷ୍ଠ ନେତା ଅନନ୍ତ ସେଠୀ ବାରମ୍ବାର ଧାମନଗର ଗସ୍ତ କରିବା କଂଗ୍ରେସ ରାଜନୀତିକୁ ସରଗରମ କରିଛି । ବିଜେପି ଦିବଙ୍ଗତ ବିଧାୟକ ବିଷ୍ଣୁ ସେଠୀଙ୍କ ପୁଅ ସୂର୍ଯ୍ୟବଂଶୀ ସୂରଜଙ୍କୁ ପ୍ରାର୍ଥୀ କରିବା ନେଇ ଚର୍ଚ୍ଚା ହେଉଥିବା ବେଳେ ବିଜେଡି ରାଜେନ୍ଦ୍ର ଦାସଙ୍କୁ ପ୍ରାର୍ଥୀ କରିବା ନେଇ ଚର୍ଚ୍ଚା ହେଉଛି । ବଡ଼ କଥା ହେଉଛି, ବିଜେପି ପୁଣିଥରେ ଆସନ ହାତେଉଛି କି ବିଜେଡି ବାଜି ମାରିବ, ତାହା ଆଗାମୀ ସମୟରେ ଜଣାପଡ଼ିବ ।