ତେଜସ୍ୱୀ ଯାଦବଙ୍କ ଜାମିନ୍ ଖାରଜ କରିବାକୁ ଦାବି । କୋର୍ଟରେ ପହଞ୍ଚିଲା ସିବିଆଇ

314

କନକ ବ୍ୟୁରୋ : ଆଇଆରସିଟିସି ଦୁର୍ନୀତି ମାମଲାରେ ଜାମିନରେ ଅଛନ୍ତି ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ଏବଂ ତାଙ୍କ ମା ତଥା ପୂର୍ବତନ ବିହାର ମୁଖ୍ୟମନ୍ତ୍ରୀ ରାବ୍ରି ଦେବୀ । ୨୦୧୮ରେ ସିବିଆଇ ଏହି ଦୁଇ ଆରଜେଡି ନେତାଙ୍କୁ ଜାମିନ୍ ଦେଇଥିଲା । ଏବେ କିନ୍ତୁ ବିହାରରେ ସରକାର ବଦଳିବା ପରେ ସିବିଆଇ ଏକ ରେଡ୍ କରିଥିଲା । ପରେ ପ୍ରେସମିଟ୍ କରି ବିହାର ଉପମୁଖ୍ୟମନ୍ତ୍ରୀ ତଦନ୍ତକାରୀ ଟିମକୁ ଧମକ ଦେଇଥିବା ଅଭିଯୋଗ ରହିଛି । ଯାହାକୁ ନେଇ ସିବିଆଇ ଏବେ ସ୍ୱତନ୍ତ୍ର କୋର୍ଟର ଦ୍ୱାରସ୍ଥ ହୋଇଛି । ଆଉ ଜାମିନ ଖାରଜ କରିବାକୁ ଦାବି କରିଛି । ଏବେ ଏହି ମାମଲାରେ ସିବିଆଇର ସ୍ୱତନ୍ତ୍ର ଅଦାଲତ ବିଚାରପତି ତେଜସ୍ୱୀ ଯାଦବଙ୍କୁ ଜବାବ ରଖିବାକୁ କହିଛନ୍ତି । ସେପ୍ଟେମ୍ବର ୨୮ସୁଦ୍ଧା ତେଜସ୍ୱୀ ଯାଦବ ଉତର ରଖିବେ ବୋଲି ସୂଚନା ରହିଛି ।

ତେଜସ୍ୱୀ ଯାଦବ କହିଥିଲେ, ସିବିଆଇ ଅଧିକାରୀଙ୍କ ମା’, ପିଲା ଛୁଆ ନାହାନ୍ତି କି? ତାଙ୍କର ପରିବାର ନାହିଁ କି? ସେମାନେ ସିବିଆଇ ଅଧିକାରୀ ହୋଇ ରହିବେ କି? ସେମାନେ ଅବସର ନେବେ ନାହିଁ କି? କେବଳ ସେହି ଦଳ କ୍ଷମତାରେ ରହିବ କି? ତଦନ୍ତ କରି କ’ଣ ବାର୍ତା ଦେବାକୁ ଚାହୁଁଛନ୍ତି? ସଚ୍ଚୋଟ ହୋଇ କାମ କରିବା ଦରକାର ।

ଆଇଆରସିଟିସି ନିଯୁକ୍ତି ଘୋଟାଲା ୨୦୦୬ରେ ସାମ୍ନାକ ୁ ଆସିଥିଲା । ସିବିଆଇ ଏବଂ ଇଡି ଏହାର ତଦନ୍ତ କରୁଛନ୍ତି । ମୋଟ୍ ୧୪ ଜଣଙ୍କ ନାଁରେ ଚାର୍ଜଶିଟ୍ ଦାଖଲ ହୋଇଛି । ଲାଲୁ ଯାଦବ, ରାବ୍ରି ଦେବୀ ଏବଂ ତେଜସ୍ୱୀ ଯାଦବଙ୍କ ନାଁ ଚାର୍ଜଶିଟରେ ରହିଛି । ରାଂଚି ଏବଂ ପୁରୀରେ ଥିବା ଆଇଆରସିଟିସିର ଦୁଇଟି ହୋଟେଲକୁ ପରିଚାଳନା କରିବାକୁ ଏକ ଘରୋଇ କମ୍ପାନୀକୁ ଲିଜ୍ ଦିଆଯାଇଥିଲା । ଯେଉଁଥିରେ ଅନିୟମିତତା ହୋଇଥିବା ଅଭିଯୋଗ ରହିଛି । ଏହି ମାମଲାରେ ଇଡି ଚାର୍ଜଶିଟ୍ ଦାଖଲ କରି ସାରିଛି ।