ଯାଆଁଳ ନିଶା ନିବାରଣ କେନ୍ଦ୍ରର ନିଷ୍ଠୁର ଭିଡିଓକୁ ନେଇ ତନାଘନା । ଥାନାରେ ୩ ଅଟକ, ମୁଖ୍ୟ ଅଭିଯୁକ୍ତକୁ ଖୋଜୁଛି ପୁଲିସ

136

କନକ ବ୍ୟୁରୋ: ନିଶା କବଳରୁ ମୁକୁଳିବା ପାଇଁ ନିଶା ନିବାରଣ କେନ୍ଦ୍ର ଯାଇଥିବା ଅନ୍ତେବାସୀ ସେଠାରେ ଅକଥନୀୟ ଅତ୍ୟାଚାର ଶିକାର ହୋଇଛନ୍ତି । ଏହି ଘଟଣାରେ ପୋଲିସ ଛାନଭିନ ଜୋରଦାର କରିଛି । ଘଟଣାରେ ୩ଜଣଙ୍କୁ ଅଟକ ରଖାଯାଇଥିବା ବେଳେ ମାଡ ମାରୁଥିବା ମାଷ୍ଟର ମାଇଣ୍ଡକୁ ଖୋଜୁଛି ପୋଲିସ । ତେବେ ମୁଖ୍ୟ ଖଳନାୟକ ଫେରାର ହୋଇ ଯାଇଥିବା ବେଳେ ପୀଡ଼ିତ ଜଣଙ୍କ ଏତେ ଭୟଭୀତ ହୋଇ ପଡ଼ିଛନ୍ତି ଯେ ଏ ନେଇ ମୁହଁ ଖୋଲୁନାହାନ୍ତି କି ପୁଲିସ ନିକଟରେ ଅଭିଯୋଗ କରିନାହାନ୍ତି ।

ନିଶା ନିବାରଣ କେନ୍ଦ୍ରର ନିଷ୍ଠୁର ଭିଡିଓ ସାମନାକୁ ଆସିବା ପରେ ନିଶା ନିବାରଣ ନାଁରେ ଚାଲିଛି କଣ, ତାକୁ ନେଇ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ନିଶା କବଳରେ ପଡ଼ିବା ପରେ ପରିବାର ଲୋକ ଭାବୁଛନ୍ତି, ନିଶା ନିବାରଣ କେନ୍ଦ୍ରକୁ ଗଲେ ତାଙ୍କ ପିଲା ସୁଧୁରୁଯିବ, କିନ୍ତୁ ସ୍ଥିତି ଓଲଟା ହେଉଛି, ଅକଥନୀୟ ନିର୍ଯାତନା ଦିଆଯାଉଛି । ଭାଇରାଲ ହୋଇଥିବା ଭିଡିଓ, ଭୁବନେଶ୍ୱର ଉପକଣ୍ଠ ଯାଆଁଳାରେ ଚାଲିଥିବା ଏକ ନିଶା ନିବାରଣ କେନ୍ଦ୍ରର ସୂଚନା ମିଳିବା ପରେ ଏହି ଘଟଣା ସହ ସଂପୃକ୍ତ ୩ ଜଣ କର୍ମଚାରୀଙ୍କୁ ଇନଫୋ ଭ୍ୟାଲି ଥାନା ଅଟକ ରଖିଥିବା ସୂଚନା ମିଳିଛି । କିନ୍ତୁ ଏହା ପଛରେ ଥିବା ମୁଖ୍ୟ ଖଳନାୟକ ଫେରାର ହୋଇ ଯାଇଥିବା ବେଳେ ପୀଡ଼ିତ ଜଣଙ୍କ ଏତେ ଭୟଭୀତ ହୋଇ ପଡ଼ିଛନ୍ତି ଯେ ଏନେଇ ମୁହଁ ଖୋଲୁନାହାନ୍ତି କି ପୁଲିସ ନିକଟରେ ଅଭିଯୋଗ କରିନାହାନ୍ତି ।

ପୁଲିସ ମଧ୍ୟ ଏପର୍ଯ୍ୟନ୍ତ ମାମଲା ରୁଜୁ କରିନଥିବା ଜଣାପଡିଛି । ଏଭଳି ସମ୍ବେଦନଶୀଳ ଘଟଣାରେ ପୁଲିସ କାହିଁକି ତ୍ୱରିତ କାର୍ଯ୍ୟାନୁଷ୍ଠାନ ପାଇଁ ଆଗ୍ରହ ଦେଖାଉନାହିଁ, ତାହା ମଧ୍ୟ ବଡ଼ ପ୍ରଶ୍ନ । ସେପଟେ ଏହି ନିଶା ନିବାରଣ କେନ୍ଦ୍ରରେ ସମାଜସେବର ନାଁରେ ନିର୍ଯାତନା ଦିଆଯାଉଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି ।

ଆଉ ଏକ ନିଶା ନିବାରଣ କେନ୍ଦ୍ର ବିରୋଧରେ ଏପରି ଅଭିଯୋଗ ଆସିଛି, ତାହା ଶୁଣିଲେ ଯେକେହି ଆଶ୍ଚର୍ଯ୍ୟ ହୋଇଯିବେ । ପୁରୁଣା ଭୁବନେଶ୍ୱର ନିବାସୀ ବିଷ୍ଣୁ ଚରଣ ସାହୁ କହିଛନ୍ତି, ସମ୍ପତ୍ତି ହଡ଼ପ ପାଇଁ ନିଶାନିବାରଣ କେନ୍ଦ୍ରରେ ଭର୍ତ୍ତି କରିଥିଲେ ନିଜ ଭାଇ । ୧୧ ମାସ ଧରି ଅକଥନୀୟ ଅତ୍ୟାଚାର ସହିଥିଲେ । ଜମି ରେଜେଷ୍ଟ୍ରି କରିବା ପରେ ମୃତ୍ୟୁ ଯନ୍ତାରୁ ମୁକୁଳିଥିଲେ । ଏବେ ବି ନିର୍ଯାତନା କଥା ଭାବିଲେ, ତାଙ୍କ ଛାତି ଥରିଯାଉଛି ।

ନିଶା ନିବାରଣ କେନ୍ଦ୍ର ବିରୋଧରେ ବାରମ୍ବାର ଅଭିଯୋଗ ସତ୍ତ୍ୱେ ଏବେ ପ୍ରଶ୍ନ ଉଠୁଛି ନିଶା ନିବାରଣ କେନ୍ଦ୍ରରେ ଏଭଳି ନିର୍ଯାତନା ଦେବା ପାଇଁ ଅନୁମତି ଦେଇଛି କିଏ? କିଏ ନିଶା ନିବାରଣ କେନ୍ଦ୍ରଗୁଡିକର ତଦାରଖ କରୁଛି? ନିର୍ଯାତନା ଦେବା ସମୟରେ ଅଘଟଣ ହେଲେ, ଏଥିପାଇଁ କିଏ ଦାୟୀ ରହିବେ? କାହିଁକି କୋହଳ ହେଉଛି ପୁଲିସ?