ଆଇନରେ ପରିଣତ ହେଲା ଦିଲ୍ଲୀ ସେବା ବିଲ । ଅଧ୍ୟାଦେଶରେ ମୋହର ମାରିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

299

କନକ ବ୍ୟୁରୋ : ଆଇନରେ ପରିଣତ ହେଲା ଦିଲ୍ଲୀ ସେବା ବିଲ୍ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବିଲକୁ ଅନୁମୋଦନ କରିଛନ୍ତି । କେନ୍ଦ୍ରସରକାର ଏନେଇ ଏକ ଅଧିସୂଚନା ଜାରି କରିଛନ୍ତି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଅଗଷ୍ଟ ୧ ତାରିଖରେ ସଂସଦରେ ଦିଲ୍ଲୀ ସରକାର ସଂଶୋଧନ ବିଲ ଆଗତ କରିଥିଲେ । ବିଜ୍ଞପ୍ତିରେ ଏହାକୁ କୁହାଯାଇଛି କି ଦିଲ୍ଲୀ ସରକାର ଅଧିନିୟମ ୨୦୨୩ ବୋଲି କୁହାଯିବ ।

ସୂଚନା ଥାଉକି ଦିଲ୍ଲୀରେ ପ୍ରଶାସନିକ ଅଧିକାରୀଙ୍କ ନିଯୁକ୍ତି ଓ ବଦଳିକୁ ନେଇ କିଛିଦିନ ହେବ କେନ୍ଦ୍ର ସରକାର ଓ ଦିଲ୍ଲୀ ସରକାରଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା । ଏହାକୁ ନେଇ ଦିଲ୍ଲୀ ସରକାର ସୁପ୍ରିମକୋର୍ଟ ଯାଇଥିଲେ । କୋର୍ଟ ଏହି ମାମଲାରେ ଦିଲ୍ଲୀ ସରକାରଙ୍କ ସପକ୍ଷରେ ରାୟ ଦେଇଥିଲେ । ଏହାପରେ ତୁରନ୍ତ କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କ ଆଦେଶ ଉପରେ ଅଧ୍ୟାଦେଶ ଆଣି ଏହାକୁ ସାମ୍ବିଧାନିକ ପୀଠକୁ ପଠାଇଥିଲେ । ଶେଷରେ ଏହି ବିଲ ସଂସଦରେ ପାରିତ ହୋଇ ଆଇନରେ ପରିଣତ ହୋଇଛି । ଏବେ ଦିଲ୍ଲୀର ପ୍ରଶାସନିକ ସେବା ବିଭାଗର ମୁଖ୍ୟ ଭାବେ ଉପ ରାଜ୍ୟପାଳ ସମସ୍ତ ନିଷ୍ପତ୍ତି ନେବାର କ୍ଷମତା ପାଇଛନ୍ତି ।