ଦିଲ୍ଲୀରେ ସବୁ ସ୍କୁଲ ଓ କଲେଜ ବନ୍ଦ : ଡିଡିଏମଏ ବୈଠକ ପରେ ମୁଖ୍ୟମନ୍ତ୍ରୀଙ୍କ ସୂଚନା

173

କନକ ବ୍ୟୁରୋ : ଦିଲ୍ଲୀରେ ସବୁ ସ୍କୁଲ ଓ କଲେଜ ବନ୍ଦ । ଆସନ୍ତା ରବିବାର ଯାଏଁ ଶିକ୍ଷାନୁଷ୍ଠାନ ବନ୍ଦ ରହିବ । ଡିଡିଏମଏ ବୈଠକ ପରେ ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି । ପ୍ରବଳ ବର୍ଷାରେ ଜଳମଗ୍ନ ହୋଇପଡ଼ିଛି ଦେଶର ରାଜଧାନୀ ଦିଲ୍ଲୀ । ଦିଲ୍ଲୀର ଯମୁନା ନଦୀର ଜଳସ୍ତର ୪୫ ବର୍ଷର ରେକର୍ଡ ଭାଙ୍ଗିଛି । ଦିଲ୍ଲୀରେ ଯମୁନା ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ଏହାର ବିପଦ ସଙ୍କେତ ୨୦୫ ଦଶମିକ ୩୩ ମିଟର ରହିଥିବା ବେଳେ ବର୍ତମାନ ଜଳସ୍ତର ୨୦୮ ଦଶମିକ ୪୧ ମିଟରରେ ପହଞ୍ଚିଛି । ୧୯୭୮ ମସିହାରେ ଯମୁନାର ଜଳସ୍ତର ସର୍ବାଧିକ ୨୦୭ ଦଶିମକ ୪୯ ମିଟର ପର୍ଯ୍ୟନ୍ତ ବଢିଥିଲା ।

ସେପଟେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ବନ୍ୟାଞ୍ଚଳ ପରିଦର୍ଶନ କରିଛନ୍ତି । ଏହାସହ ଜଳମଗ୍ନ ରାସ୍ତାରେ ନଯିବାକୁ ଲୋକଙ୍କୁ ସେ ଅପିଲ କରିଛନ୍ତି । ଜରୁରୀକାଳୀନ ସ୍ଥିତିରେ ପରସ୍ପରକୁ ସହଯୋଗ କରିବା ସହ ଉଦ୍ଧାର କାର୍ଯ୍ୟରେ ପ୍ରଶାସନକୁ ସହାୟତା କରିବାକୁ କହିଛନ୍ତି କେଜ୍ରିୱାଲ । ଅପରପକ୍ଷରେ ଜଳସ୍ତର ବଢୁଥିବାରୁ ଦିଲ୍ଲୀ ପ୍ରତି ବିପଦ ସୃଷ୍ଟି ହୋଇଛି । ଅନେକ ଅଂଚଳରେ ପାଣି ପଶିଯାଇଛି । ଯମୁନା ନଦୀ ବିପଦ ସଂକେତ ଉପରେ ଥିବାରୁ ରିଙ୍ଗ ରୋଡ୍ ପର୍ଯ୍ୟନ୍ତ ପାଣି ମାଡ଼ିଆସିଛି । କାଶ୍ମୀର ଗେଟ୍ ବସ୍ ଷ୍ଟାଣ୍ଡ, ରାଜଘାଟ, ଆଇଟିଓ, ପୁରୁଣା କିଲ୍ଲା ମଧ୍ୟ ଜଳମୟ ହୋଇଛି ।

ଲାଲ କିଲ୍ଲା ପଛପଟ ଅଞ୍ଚଳ ମଧ୍ୟ ଜଳମଗ୍ନ ହୋଇପଡ଼ିଛି । ଜଳସ୍ତର ବଢ଼ୁଥିବାରୁ ଦିଲ୍ଲୀ ଟ୍ରାଫିକ ପୋଲିସ ଆଡଭାଇଜରୀ ଜାରି କରିଛି । ଟ୍ରାଫିକ୍ ପୋଲିସ ଟ୍ୱିଟ୍ କରି କହିଛି, ଯମୁନା ନଦୀର ଜଳସ୍ତର ବଢ଼ୁଥିବାରୁ ତଳିଆ ଅଞ୍ଚଳ ଜଳମୟ ହୋଇପଡ଼ିଛି । ଯେଉଁଥିପାଇଁ କିଛି ରୁଟରେ ଯାତାୟତ ବାଧାପ୍ରାପ୍ତ ହୋଇଛି । ଆଉ ସେହି ଅଞ୍ଚଳରେ ଟ୍ରାଫିକ୍ ରୁଟ୍ ବଦଳାଇ ଦିଆଯାଇଛି । ଜଳସ୍ତର ବଢ଼ୁଥିବାରୁ ମେଟ୍ରୋ ଉପରେ ଏହାର ପ୍ରଭାବ ପଡ଼ିଛି । ସତର୍କତା ଦୃଷ୍ଟିରୁ ମେଟ୍ରୋ ଘଣ୍ଟାପ୍ରତି ୩୦ କିଲୋମିଟର ବେଗରେ ଅତିକ୍ରମ କରୁଛି ।