୪୬ଲକ୍ଷ ପରିବାରକୁ ଝଟକା, ରିହାତି ବିଜୁଳି ଯୋଜନାର ଫାଇଲ ଅଟକାଇଲେ ଦିଲ୍ଲୀ ଉପ ରାଜ୍ୟପାଳ

6,068

କନକ ବ୍ୟୁରୋ : ଦିଲ୍ଲୀର ୪୬ଲକ୍ଷ ପରିବାରକୁ ବଡ ଝଟକା ଲାଗିଛି । ଦୀର୍ଘ ୧୦ ବର୍ଷ ହେବ ଦିଲ୍ଲୀର ଏହି ୪୬ଲକ୍ଷ ପରିବାର ବିଜୁଳି ବିଲ୍ ଉପରେ ଯେଉଁ ରହହାତି ପାଉଥିଲେ ତାହା ଆସନ୍ତାକାଲି ଠାରୁ ବନ୍ଦ ହେବାକୁ ଯାଉଛି । ଏନେଇ ଦିଲ୍ଲୀ ସରକାରଙ୍କ ବିଜୁଳିମନ୍ତ୍ରୀ ଆତିଶି ମାରିଲିନା କହିଛନ୍ତି କି , ଶୁକ୍ରବାର ଠାରୁ ଦିଲ୍ଲୀର ୪୬ଲକ୍ଷ ପରିବାରକୁ ବିଜୁଳି ବିଲ୍ ଉପରେ ଯେଉଁ ରିହାତି ମିଳୁଥିଲା ତାହା ବନ୍ଦ ହୋଇଛି । ସେ ଦିଲ୍ଲୀ ଉପ ରାଜ୍ୟପାଳଙ୍କ ଉପରେ ଅଭିଯୋଗ ଆଣି କହିଛନ୍ତି କି, ବିଜୁଳି ରିହାତି ବୃଦ୍ଧି କରିବାକୁ ମନ୍ତ୍ରୀମଣ୍ଡଳ ଯେଉଁ ନିଷ୍ପତ୍ତି ନେଇଥିଲା ତାହା ଉପରେ ରୋକ୍ ଲଗାଇଛନ୍ତି ଦିଲ୍ଲୀ ଉପ ରାଜ୍ୟପାଳ । ସୂଚନା ଥାଉକି ଦିଲ୍ଲୀରେ ଏବେ ୪୮ ଲକ୍ଷ ପରିବାର ବିଜୁଳି ବିଲ ଉପରେ ରିହାତି ପାଇବାକୁ ଆବେଦନ କରିଛନ୍ତି ।

ସମାଚାର ଏଜେନ୍ସି ପିଟିଆଇ ମୁତାବକ ଦିଲ୍ଲୀ ସରକାର ଦିଲ୍ଲୀରେ ୪୬ ଲକ୍ଷ ପରିବାରକୁ ବିଜୁଳି ବିଲ ଉପରେ ରିହାତି ପ୍ରଦାନ କରୁଛନ୍ତି । ହେଲେ ଏହା ଆସନ୍ତାକାଲି ଠାରୁ ବନ୍ଦ ହୋଇଯିବ । ସୋମବାର ଠାରୁ ଲୋକଙ୍କୁ ବିନା ରିହାତିରେ ବିଜୁଳି ବିଲ୍ ପ୍ରଦାନ କରାଯିବ । ଆତିଶି କହିଛନ୍ତି କି, ଦିଲ୍ଲୀ ସରକାର ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ବିଜୁଳି ରିହାତି ଯୋଜନାକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି । ହେଲେ ଏହି ଫାଇଲ ଏବେ ଉପ ରାଜ୍ୟପାଳଙ୍କ କାର୍ଯ୍ୟାଳୟରେ ପଡି ରହିଛି । ଯେତବେଳ ପର୍ଯ୍ୟନ୍ତ ଏହି ଫାଇଲ ଉପରେ ରାଜ୍ୟପାଳ ଦସ୍ତଖତ କରିନାହାଁନ୍ତି ସେପର୍ଯ୍ୟନ୍ତ ଦିଲ୍ଲୀ ସରକାର ଉପଭୋକ୍ତାଙ୍କ ବିଜୁଳି ବିଲ୍ ଉପରେ ରିହାତି ପ୍ରଦାନ କରିପାରିବେ ନାହିଁ । ଏହାସହ ଆତିଶି ଅଭିଯୋଗ କରିଛନ୍ତି କି , ସଂପୃକ୍ତ ମାମଲାରେ ସେ ଉପ ରାଜ୍ୟପାଳଙ୍କ ସହ ଆଲୋଚନା କରିବାକୁ ୨ଥର ସମୟ ମାଗିଥିଲେ ବି ରାଜ୍ୟପାଳ ଆଲୋଚନା ପାଇଁ ସମୟ ଦେଇ ନାହାଁନ୍ତି ।

ସୂଚନା ଥାଉକି ଗତବର୍ଷ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଘୋଷଣା କରିଥିଲେ କି ଯେଉଁମାନେ ବିଜୁଳିବିଲ ଉପରେ ରିହାତି ଚାହୁଁଛନ୍ତି ସେମାନଙ୍କୁ ଆବେଦନ କରିବାକୁ ପଡିବ । ସରକାରଙ୍କ ସୂଚନା ମୁତାବକ ଏନେଇ ୪୮ଲକ୍ଷ ଘରୋଇ ଉପଭୋକ୍ତା ଆବେଦନ କରିଥିଲେ । ଏନେଇ ଦିଲ୍ଲୀ ସରକାର ଚଳିତ ବଜେଟ ଅଧିବେଶନରେ ରାଜ୍ୟରେ ଉପଭୋକ୍ତାମାନଙ୍କୁ ବିଜୁଳି ବିଲ୍ ଉପରେ ରିହାତି ଦେବାକୁ ୩୨୫୦କୋଟି ଟଙ୍କା ମଞ୍ଜୁର ମଧ୍ୟ କରିଛନ୍ତି ।