ଦିଲ୍ଲୀ ଅବକାରୀ ନୀତି ମାମଲା, ଆସନ୍ତା କାଲି ସିସୋଦିଆଙ୍କୁ ପୁଣି ଜେରା କରିବ ସିବିଆଇ

59

କନକ ବ୍ୟୁରୋ : ଦିଲ୍ଲୀ ଅବକାର ନୀତି ମାମଲାରେ ପୁଣି ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ପାଇଁ ଅଡୁଆ ବଢିଲା । ସିବିଆଇ ତରଫରୁ ଆସନ୍ତା କାଲି ହାଜର ହେବାକୁ ସିସୋଦିଆଙ୍କୁ ନୋଟିସ ଜାରି କରାଯାଇଛି । ଏହି ନୋଟିସରେ ସୋମବାର ୧୧ ଟା ବେଳେ ହାଜର ହେବାକୁ କୁହାଯାଇଛି । ଏନେଇ ସିସୋଦିଆ କହିଛନ୍ତି କି ଚଢାଉ ବେଳେ ସିବିଆଇକୁ କିଛି ମିଳିନାହିଁ । ବାକି ନୋଟିସ ମୁତାବକ ମୁଁ କାଲି ସିବିଆଇ କାର୍ଯ୍ୟାଳୟରେ ହାଜର ହୋଇ ସମ୍ପୂର୍ଣ୍ଣ ସହଯୋଗ କରିବି ।

ଏନେଇ ସିସୋଦିଆ ଏକ ଟ୍ୱିଟ୍ କରିଛନ୍ତି । ଏଥିରେ ସେ ଲେଖିଛନ୍ତି ଯେ ସିବିଆଇ ମୋ ଘରେ ୧୪ ଘଂଟା ଚଢାଉ କରି କିଛି ପାଇ ନଥିଲା । ସେପଟେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏହା ଉପରେ ପ୍ରତିକ୍ରିୟା ରଖିଛନ୍ତି । ସେ ମନୀଷ ସିସୋଦିଆ ଓ ସତ୍ୟେନ୍ଦ୍ର ଜୈନଙ୍କୁ ଆଜିର ଦିନରେ ଭଗତ୍ ସିଂ ବୋଲି କହିଛନ୍ତି । ଏହା ଦ୍ୱିତୀୟ ସ୍ୱାଧୀନତା ଲଢେଇ ବୋଲି କେଜ୍ରିୱାଲ କହିଛନ୍ତି ।

କେଜ୍ରିୱାଲ ଏକ ଟ୍ୱିଟ କରି ଲେଖିଛନ୍ତି ଯେ, ଜେଲର କାଳ କୋଠରୀ ଓ ଫାସୀ ଦଉଡି ଭଗତ ସିଂଙ୍କୁ ଯେଭଳି ତାଙ୍କ ନୀତି ଆଦର୍ଶରୁ ବିଚ୍ୟୁତ୍ କରିପାରି ନଥିଲା ଠିକ୍ ସେହିଭଳି ସିସୋଦିଆ ଓ ସତ୍ୟେନ୍ଦ୍ର ଜୈନ ବି ତାଙ୍କ ଆଦର୍ଶରୁ ବିଚ୍ୟୁତ ହେବେ ନାହିଁ ।