ଗୁଜରାଟରେ କଂଗ୍ରେସ ଓ ଆପ୍, ମିଳତ ଭାବେ କରିବେ ସରକାର ? ଜାଣନ୍ତୁ କଣ କହିଲେ ମନୀଷ ସିସୋଦିଆ ?

318

କନକ ବ୍ୟୁରୋ : ଦିଲ୍ଲୀ ନଗର ନିଗମ, ହିମାଚଳ ଓ ଗୁଜରାଟ ବିଧାନସଭା ନିିର୍ବାଚନ ନେଇ ଭୋଟ ଗ୍ରହଣ ପରେ ଏକଜିଟପୋଲକୁ ନେଇ ଚାରିଆଡେ ଚର୍ଚ୍ଚା । ଏକଜିଟ ପୋଲ ମୁତାବକ ୧୫ ବର୍ଷ ପରେ ଦିଲ୍ଲୀ ନଗରନିଗମ ବିଜେପି ହାତରୁ ଯାଉଛି ଓ ପ୍ରଥମଥର ପାଇଁ ସେଠାରେ ବହୁମତ ହାସଲ କରିବାକୁ ଯାଉଛି ଆମ୍ ଆଦମୀ ପାର୍ଟି । ଏନେଇ ଗଣମାଧ୍ୟମ ସହ ସାକ୍ଷାତକାର ବେଳେ ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଖୁସିବ୍ୟକ୍ତ କରିବା ସହ କହିଛନ୍ତି କି ଏଥିରୁ ସ୍ପଷ୍ଟ ଯେ, ଦିଲ୍ଲୀବାସୀ ବିଜେପିକୁ ପ୍ରତ୍ୟାଖାନ କରିଛନ୍ତି ।

ସେପଟେ ଗୁଜରାଟ ନିର୍ବାଚନରେ ଆମ୍ ଆଦମୀ ପାର୍ଟି ପୁରା ତାକତ ଲଗାଇ ଦେଇଥିଲେ ବି ଏକଜିଟପୋଲ ମୁତାବକ ସେଠାରେ ପୁଣି ବିଜେପି ସରକାର ଗଠନ କରିବାକୁ ଯାଉଛି । ଏନେଇ ସିସୋଦିଆ କହିଛନ୍ତି ଯେ, ଗୁଜରାଟରେ ଆମ୍ ଆଦମୀ ପାର୍ଟିର ଜବରଦସ୍ତ ଏଣ୍ଟ୍ରି ହୋଇଛି । ଗୋଟିଏ ୧୦ ବର୍ଷର ରାଜନୈତିକ ଦଳକୁ ୧୦-୧୫ ପ୍ରତିଶତ ଭୋଟ ମିଳିବା ଏକ ବଡକଥା । ଗୁଜରାଟକୁ ବିଜେପିର ଗଡ କୁହାଯାଉଥିବା ବେଳେ ଆମ୍ ଆଦମୀ ପାର୍ଟି ଯେଭଳି ବିଜେପିକୁ ଚ୍ୟାଲେଞ୍ଜ ଦେଇଛି ତାହା ଦଳ ପାଇଁ ବଡ କଥା ବୋଲି ସେ କହିଛନ୍ତି ।

ସେପଟେ ଗୁଜରାଟରେ କଂଗ୍ରେସ ସହ ମିଶି ମିଳିତ ସରକାର କରିବେ କି ବୋଲି ପ୍ରଶ୍ନର ଉତ୍ତରରେ ସିସୋଦିଆ କହିଛନ୍ତି କି, ଏପର୍ଯ୍ୟନ୍ତ ଯେତେ ସର୍ଭେ ରିପୋର୍ଟ ଆସିଛି ସେଥିରେ କଂଗ୍ରେସ ସରକାର ଗଠନ କରିବା ଭଳି କିଛି ସ୍ଥିତି ଦେଖାଯାଉନାହିଁ । ହେଲେ ତାହା ନିର୍ବାଚନ ଫଳାଫଳ ଆସିବା ପରେ ଜଣାପଡିବ । ମାତ୍ର ଗୁଜରାଟରେ ବିଜେପିକୁ ଆମ୍ ଆଦମୀ ପାର୍ଟି ଯେଭଳି ଟକ୍କର ଦେଲା ତାହା ଦଳ ପାଇଁ ଆଗାମୀ ଦିନରେ ଲାଭଦାୟକ ହେବ ।