ଦାନ୍ତେୱାଡ଼ା ମାଓ ଆକ୍ରମଣ ଘଟଣାରେ ସାମ୍ନାକୁ ଆସିଲା ଚାଂଚଲ୍ୟକର ତଥ୍ୟ । ଦୁଇ ମାସ ପୂର୍ବରୁ ମାଟିତଳେ ବିସ୍ଫୋରକ ପୋତିଥିଲେ ନକ୍ସଲ

122

କନକ ବ୍ୟୁରୋ : ଦାନ୍ତେୱାଡା ନକ୍ସଲ ଆକ୍ରମଣ ଘଟଣା ସାରା ଦେଶକୁ ସ୍ତବ୍ଧ କରି ଦେଇଛି । ନକ୍ସଲମାନେ ଆଇଡି ବିସ୍ଫୋରଣ କରି ଛତିଶଗଡ ଡିଆରଜି ଯବାନଙ୍କ ଗାଡିକୁ ଉଡାଇ ଦେଇଥିଲେ । ଘଟଣାରେ ୧୦ଜଣ ଡିଆରଜି ଯବାନ ସହିଦ ହୋଇଛନ୍ତି । ଏଥିସହ ଜଣେ ଡ୍ରାଇଭର ମଧ୍ୟ ମୃତ୍ୟୁ ବରଣ କରିଛନ୍ତି । ଘଟଣାର ତିନି ଦିନ ପରେ ଦାନ୍ତେୱାଡା ଆକ୍ରମଣକୁ ନେଇ ଚକିତ କଲାଭଳି ତଥ୍ୟ ସାମ୍ନାକୁ ଆସିଛି । ବସ୍ତର ଆଇଜି ପି ସୁନ୍ଦରାଜନ୍ ଏହି ସାଂଘାତିକ୍ ତଥ୍ୟ ପ୍ରଦାନ କରିଛନ୍ତି । ଏହି ସୂଚନା ଅନୁସାରେ ମାଓବାଦୀମାନେ ୨ ମାସ ତଳୁ ସେନା ଉପରେ ଆକ୍ରମଣ କରିବାର ଷଡଯନ୍ତ୍ର କରିଥିଲେ । ୨ ମାସ ତଳୁ ମାଟି ତଳେ ଗାତ କରାଯାଇ ୫୦ କେଜି ଆଇଡି ଖଂଜା ଯାଇଥିଲା । ଏପରିକି ବିସ୍ଫୋରକକୁ ତାର ଯାଇ ଯେଉଁ ଟ୍ରିଗରରେ ଲାଗିଥିଲା ତାହା ଉପରେ ଘାସ ଉଠିଯାଇଥିଲା । ସେଥିପାଇଁ ପୂର୍ବରୁ ଯାଂଚ ବେଳେ ନକ୍ସଲଙ୍କ ଷଡଯନ୍ତ୍ର ବିଷୟରେ କିଛି ସୂଚନା ମିଳି ନଥିଲା । ବୁଧବାର ମାଓ ଅପରେସନ୍ ସାରି ଫେରିବାବେଳେ ଛତିଶଗଡ, ଦାନ୍ତେୱାଡା ଆରନପୁରରେ ସେନା ଗାଡିକୁ ବିସ୍ଫୋରକ ଦ୍ୱାରା ଉଡାଇ ଦେଇଥିଲେ ନକ୍ସଲ । ଘଟଣା ପଛରେ ମାଷ୍ଟରମାଇଣ୍ଡ କୁଖ୍ୟାତ ମାଓ ନେତା ହିଡ୍ମାର ହାତ ରହିଥିବା ସୂଚନା ମିଳିଥିଲା ।