ମନ୍ତ୍ରୀ ପଦ ଯିବା ପରେ ବିଧାନସଭାରେ ବଦଳିଲା ଦାମଙ୍କ ଆସନ : ପଛ ଧାଡିରେ ବସିଲେ ବିଜେଡିର ବରିଷ୍ଠ ବିଧାୟକ ଦାମୋଦର ରାଉତ

57

କନକ ବ୍ୟୁରୋ : ମନ୍ତ୍ରୀ ପଦ ଯିବା ପରେ ବିଧାନସଭାରେ ବଦଳିଲା ଦାମଙ୍କ ଆସନ । ମୁଖ୍ୟମନ୍ତ୍ରୀଙ୍କ ପାଖ ସିଟରେ ବସୁଥିବା ବିଜେଡିର ବରିଷ୍ଠ ନେତା ଦାମୋଦର ରାଉତଙ୍କୁ ପଛ ଧାଡିରେ ବସିଥିବା ଦେଖିବାକୁ ମିଳିଛି । ଆଜି ବିଧାନସଭା ବଜେଟ ଅଧିବେଶନରେ ଦାମଙ୍କୁ ଟ୍ରେଜେରି ବେଂଚର ଦ୍ୱିତୀୟ ଧାଡିରେ ବସିଥିବା ଦେଖିବାକୁ ମିଳିଛି ।

ବିଧାନସଭାର ଏହି ପରିବର୍ତ୍ତିତ ଚିତ୍ର ନବୀନ ଓ ଦାମଙ୍କ ମଧ୍ୟରେ ବଢୁଥିବା ଦୂରତାକୁ ସୂଚାଉଥିବା ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି । କାରଣ ବ୍ରାହ୍ମଣଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଦେବା ପରେ ମନ୍ତ୍ରୀ ପଦରୁ ବିଦା ହୋଇଥିଲେ ଦାମୋଦର ରାଉତ । ବିବାଦୀୟ ବୟାନ ଦେଇ ବାରମ୍ବାର ବିଜେଡିକୁ ଅଡୁଆରେ ପକାଉଥିବା ଦାମ ବାବୁଙ୍କ ପକ୍ଷ ଛେଦନ ପାଇଁ ମୁଖ୍ୟମନ୍ତ୍ରୀ ତାଙ୍କୁ ମନ୍ତ୍ରୀମଣ୍ଡଳରୁ ବିଦା କରିଥିଲେ ।

ବିଜେପୁରରୁ ବିଧାନସଭା । ଦିବଙ୍ଗଦ ବିଧାୟକ ସୁବଳ ସାହୁଙ୍କ ପତ୍ନୀ ରୀତା ସାହୁ ବିଜେଡି ଟିକେଟରେ ବିଜେପୁରରୁ ଜିତିବା ପରେ ପହଁଚିଛନ୍ତି ବିଧାନସଭାରେ । ବଜେଟ୍ ଅଧିବେଶନରେ ପ୍ରଥମ ଥର ପାଇଁ ତାଙ୍କୁ ବିଧାୟକ ୱେଲରେ ଦେଖିବାକୁ ମିଳିଛି । ଅନ୍ୟ ବିଜେଡି ବିଧାୟକଙ୍କ ଗହଣରେ ବସିଥିଲେ ଏହି ନବନିର୍ବାଚିତା ବିଧାୟିକା । ବିଜେପୁର ଉପନିର୍ବାଚନରେ ବିପୁଳ ଭୋଟରେ ବିଜୟୀ ହୋଇଥିଲେ ରୀତା ସାହୁ ।

ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେପିର ଅଶୋକ ପାଣିଗ୍ରାହୀଙ୍କ ଠାରୁ ପ୍ରାୟ ୪୦ ହଜାରରୁ ଅଧିକ ଭୋଟ୍ ପାଇଥିଲେ ରୀତା । ରୀତାଙ୍କ ସ୍ୱାମୀ ସୁବଳ ସାହୁ ତିନି ତିନ ଥର କଂଗ୍ରେସରୁ ବିଧାୟକ ହୋଇଥିଲେ । ହେଲେ ସୁବଳ ସାହୁଙ୍କ ପରଲୋକ ପରେ ଖାଲି ପଡ଼ିଥିଲା ବିଜେପୁର ବିଧାନସଭା ସିଟ୍ । ଆଜି ଯେତେବେଳେ ବିଧାନସଭାରେ ଦିବଙ୍ଗଦ ବିଧାୟକ ସୁବଳ ସାହୁଙ୍କୁ ଶ୍ରଦ୍ଧାଞ୍ଜଳି ଦେଉଥିଲେ ରାଜ୍ୟପାଳ ସେତେବେଳେ ଗୃହରେ ଉପସ୍ଥିତ ଥିଲେ ରୀତା ସାହୁ । ଆଉ ଏହା ଏକ ଭାବବିହ୍ୱଳ ପରିବେଶ ସୃଷ୍ଟି କରିଥିଲା ।