ପର୍ଯ୍ୟଟକଙ୍କ ମନ ଟାଣୁଛି ଦଳଗଡ଼ି ଜଳପ୍ରପାତ: ହେଲେ ପ୍ରଶାସନିକ ଉଦାସୀନତା ଯୋଗୁଁ ପର୍ଯ୍ୟଟନସ୍ଥଳର ମାନ୍ୟତା ପାଇଁ ପାରୁନି ଦେବଗଡ଼ର ଜଳପ୍ରପାତ

147

କନକ ବ୍ୟୁରୋ: ଶିଳ୍ପ ବିହୀନ ଦେବଗଡ଼ ଜିଲ୍ଲାରେ ପ୍ରକୃତି ତାର ବସତି ସ୍ଥାପନ କରି ଏକାଧିକ ପର୍ଯ୍ୟଟନସ୍ଥଳୀ ସୃଷ୍ଟି କରିଛି । ହେଲେ ପ୍ରଶାସନିକ ଉଦାସୀନତା ଯୋଗୁଁ ଅନେକ ପର୍ଯ୍ୟଟନସ୍ଥଳି ବିକାଶ ହୋଇନପାରି ପର୍ଯ୍ୟଟକଙ୍କ ଦୃଷ୍ଟି ଆଢ଼ୁଆଳରେ ରହିଯାଉଥିବା ଦେଖିବାକୁ ମିଳିଛି । ଏଭଳି ଏକ ପର୍ଯ୍ୟଟନସ୍ଥଳୀ ଅବହେଳିତ ଅବସ୍ଥାରେ ପଡ଼ି ରହିଛି ଦେବଗଡ଼ ଜିଲ୍ଲା ସରୁଆଳି ପଂଚାୟତ ନିକଟରେ ଥିବା ଦରଗଡ଼ି ଜଳପ୍ରପାତ ।

ପ୍ରାକୃତିକ ଶୋଭାରେ ପରିପୂର୍ଣ୍ଣ ପ୍ରକୃତିର ଅନନ୍ୟ ଉପହାର ଦେବଗଡ଼ରେ ଥିବା ଦରଗଡ଼ି ଜଳପ୍ରପାତ । ପଥର ଛାତିକୁ ଚିରି ପ୍ରବାହିତ ସ୍ୱଛ ଜଳ ସୂର୍ଯ୍ୟକିରଣ ପ୍ରଭାବରେ ଇନ୍ଦୁଧନୁର ଭ୍ରମ ସୃଷ୍ଟି କରେ । ଏହି ଝରଣା ତଳେ ଥିବା ଜଳରାଶି ଗଭୀର ଗଣ୍ଡର ଭ୍ରମ ସୃଷ୍ଟି କରିଥାଏ । ସେହିପରି ପ୍ରବାହିତ ଜଳର ଶବ୍ଦ ଘଂଚ ଜଙ୍ଗଲ ମଧ୍ୟରେ ପ୍ରକୃତିର ସୌନ୍ଦଯ୍ୟକୁ ଦୁଇ ଗୁଣିତ କରିଥାଏ । ମଖାଳମାଟି ପାହାଡ଼ର ଉପର ମୁଣ୍ଡରେ ଥିବା ପ୍ରାକୃତିକ ଜଳ କୁଣ୍ଡର ପଥରକୁ କାଟି ପ୍ରବାହିତ ହେଉଥିବା ସ୍ୱଚ୍ଛ ଜଳରାଶି ଏକ ମନୋରମ ପର୍ଯ୍ୟଟନସ୍ଥଳି ।

ପ୍ରତ୍ୟେକ ବର୍ଷ ନଭେମ୍ବରରୁ ଫେବ୍ରୁୟାରୀ ମାସ ମଧ୍ୟରେ ରାଜ୍ୟର ବିଭିନ୍ନ ଜିଲ୍ଲା ତଥା ରାଜ୍ୟ ବାହାରୁ ବହୁ ପର୍ଯ୍ୟଟନ ସ୍ଥଳିକୁ ଆସିଥାନ୍ତି । ଗତ କିଛି ବର୍ଷ ତଳେ ପଂଚାୟତ ପକ୍ଷରୁ ଯିବା ଆସିବା ପାଇଁ ରାସ୍ତା ଓ ପର୍ଯ୍ୟଟକଙ୍କ ପାଇଁ କିଛି ପିଣ୍ଡି ନିର୍ମାଣ କରିଥିଲେ । ମାତ୍ର ଏହାର ରକ୍ଷଣାବେକ୍ଷଣ ଅଭାବରୁ ନଷ୍ଟ ହେବାକୁ ବସିଲାଣି । ସେହିପରି ଝରଣା ଉପରକୁ ଯିବା ପାଇଁ ପାହାଡ଼ ଉପରେ ସିମେଂଟ ପାହାଚ ନିର୍ମାଣ କରାଯାଇ ପର୍ଯ୍ୟଟକଙ୍କୁ ପ୍ରାକୃତିକ ଶୋଭାରାଶିକୁ ଉପଭୋଗ କରିବାକୁ ପ୍ରୟାସ କରାଯାଇଛି । ପର୍ଯ୍ୟଟନ ସ୍ଥଳିରେ ସଫେଇ ନିମନ୍ତେ କୌଣସି ବ୍ୟବସ୍ଥା କରାଯାଇ ନଥିବାରୁ ଅଳିଆ ଆବର୍ଜନ ପଡ଼ିରହୁଛି । ଜଳପ୍ରପାତକୁ ଯିବାକୁ ରାସ୍ତା ଭଲ ନଥିବାରୁ ଅନେକ ସମୟରେ ବହୁ ପର୍ଯ୍ୟଟକ ନାନା ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି । ଅନେକ ପର୍ଯ୍ୟଟକ ପ୍ରାକୃତିକ ଶୋଭାରାଜି ମଧ୍ୟରେ ରହିଥିବା ଦରଗଡ଼ି ପର୍ଯ୍ୟଟନ ସ୍ଥଳୀକୁ ବ୍ୟାପକ ପ୍ରଚାର ପ୍ରସାର ସହ ସେଠାକାର ପରିବେଶର ଉନ୍ନତି ପାଇଁ ଦାବି କରିଛନ୍ତି ପର୍ଯ୍ୟଟକ ।