ଆଗାମୀ ୧୨ ଘଂଟାରେ ସୃଷ୍ଟି ହେବ ଲଘୁଚାପ କ୍ଷେତ୍ର ! ପ୍ରଭାବରେ ଏହି ସବୁ ଜିଲ୍ଲାରେ ପ୍ରବଳ ବର୍ଷିବ

863

କନକ ବ୍ୟୁରୋ : ଆଗାମୀ ୧୨ ଘଂଟା ମଧ୍ୟରେ ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହେବ ଲଘୁଚାପ କ୍ଷେତ୍ର । ପଶ୍ଚିମ, ଉତ୍ତର ପଶ୍ଚିମ ଦିଗକୁ ଗତି କରି ପରବର୍ତ୍ତୀ ୪୮ ଘଂଟାରେ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ରାଜ୍ୟରେ ୩ ତାରିଖରୁ ବର୍ଷା ନେଇ ପାଣିପାଗ ବିଭାଗର ସତର୍କ ସୂଚନା ଜାରି କରିଛି । ରାଜ୍ୟରେ ୩ରୁ ୫ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବ । ୩ ତାରିଖ ଦିନ ଗଜପତି, ଗଞ୍ଜାମ ଓ ପୁରୀ‌ରେ ପ୍ରବଳ ବର୍ଷାର ସମ୍ଭାବନା ଥିବାରୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

ଅବପାତ ପ୍ରଭାବରେ ୨ ତାରିଖରୁ ରାଜ୍ୟରେ ପାଗରେ ପରିବର୍ତ୍ତନ ଆସିବ । ୩ ତାରିଖରେ ବର୍ଷାର ପରିମାଣ ବଢ଼ିବ । ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ବର୍ଷାର ପରିମାଣ ସର୍ବାଧିକ ରହିବ । ଏହି ଦିନ ୩ ଜିଲ୍ଲାରେ ପ୍ରବଳ ବର୍ଷା ସହ ୮ଟି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ରହିଛି । ମାଲାକାନଗିରି, ରାୟଗଡ଼ା, କନ୍ଧମାଳ, କଳାହାଣ୍ଡି, ଢେଙ୍କାନାଳ, ଗଜପତି, ଗଞ୍ଜାମ ଓ ପୁରୀ ଆଦି ଜିଲ୍ଲାରେ ବର୍ଷା ହେବ ବୋଲି କେନ୍ଦ୍ର ପୂର୍ବାନୁମାନ କରିଛି ।

ତେବେ ସମ୍ଭାବ୍ୟ ବର୍ଷାକୁ ନେଇ ଏସଆରସି ଆଡଭାଇଜରୀ ଜାରି କରିଛନ୍ତି । ପାଚିଲା ଧାନ ଓ ଅମଳ ଧାନକୁ ସୁରକ୍ଷିତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ଏସଆରସି । ଧାନ ଅମଳ ସମୟରେ ବର୍ଷା ଆଶଙ୍କା ସମସ୍ତଙ୍କ ଚିନ୍ତା ବଢ଼ାଇ ଦେଇଛି । ବର୍ଷା ହେଲେ ବି ଯେମିତି କ୍ଷତି ପରିମାଣ କମ୍ ହେବ ସେଥିପାଇଁ ପଦକ୍ଷେପ ନେବାକୁ ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର । ଅମଳ ଧାନ ଯେମିତି କୌଣସି କ୍ଷ ତି ନହେବ ସେଥିପାଇଁ ଭଲ ଭାବେ ଘୋଡ଼ାଇ ରଖନ୍ତୁ । ଯେଉଁଠି ପାଚିଲା ଧାନ ଅମଳ ଯୋଗ୍ୟ ହୋଇଯାଇଛି

ତାକୁ ଅମଳ କରିବା ସହ ସୁରକ୍ଷିତ ସ୍ଥାନକୁ ନେବାକୁ କହିଛନ୍ତି ଏସଆରସି । ସେହିପରି ମଣ୍ଡିରେ ଥିବା ଧାନକୁ ସୁରକ୍ଷିତ ଭାବେ ରଖନ୍ତୁ ବୋଲି କହିଛନ୍ତି ଏସଆରସି । ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଲଘୁଚାପର ରୂପ ନେବ । ଏବଂ ୨ତାରିଖରେ ଅବପାତର ରୂପ ନେବ । ଅବପାତର ରୂପ ନେବା ପରେ ଏହାର ପ୍ରକୋପ କେତେ ହେବ ତାହା ସ୍ପଷ୍ଟ ହେବ । କିନ୍ତୁ ଲଘୁଚାପ ପ୍ରଭାବରେ ରାଜ୍ୟରେ ୩ ତାରିଖରୁ ବର୍ଷା ହେବାର ସମ୍ଭାବନା ରହିଛି । ଅମଳ ସମୟରେ ଆଇଏମଡିର ଏହି ଆକଳନ ଚିନ୍ତାର କାରଣ ହୋଇଛି ।