ପାର୍ବଣ ପୂର୍ବରୁ ରାଜଧାନୀରେ ମାତିଲେ ଅପରାଧୀ: ସ୍କୁଟିରେ ଆସିଲେ ଚୋଟ ପରେ ଚୋଟ ପକାଇ ଚାଲିିଗଲେ

272

କନକ ବ୍ୟୁରୋ: ପାର୍ବଣ ସମୟରେ ଅସୁରକ୍ଷିତ ହୋଇପଡିଛି ରାଜଧାନୀ ଭୁବନେଶ୍ୱର । ପ୍ରତିଦିନ ସାମନାକୁ ଆସୁଛି ଅପରାଧର କାହାଣୀ । ସୋମବାର ଇନଫୋସିଟି ଥାନା ଅଂଚଳର ଏକ ଆପାର୍ଟାମେଂଟରେ ପଶି ଲୁଟେରାମାନେ କଳାକନା ବୁଲାଇଥିବାବେଳେ ଆଜି କଟକ-ପୁରୀ ବାଇପାସ ରୋଡରୁ ଆସିଛି ସିକ୍ୟୁରିଟି ଗାର୍ଡଙ୍କୁ ଖଣ୍ଡାରେ ଆକ୍ରମଣ ବେଳର ସିସିଟିଭି ଫୁଟେଜ୍ । ପୂଜା ସମୟରେ ଏଭଳି ଅପରାଧ କାହାଣୀ କମିଶନରେଟ୍ ପୁଲିସର ପାରିବାପଣିଆ ଉପରେ ପ୍ରଶ୍ନ ଉଠାଇଛି ।

ସିକ୍ୟୁରିଟି ଗାର୍ଡଙ୍କୁ ଚୋଟ ଉପରେ ଚୋଟ ମାରିଚାଲିଛନ୍ତି ୩ ଜଣ ଦୁର୍ବୃତ । ଯେେତେବେଳ ସିକ୍ୟୁରିଟି ଗାର୍ଡ ନିଜ ଡ୍ୟୁଟି କରୁଛନ୍ତି ସେହି ସମୟରେ ଏଭଳି ମରଣାନ୍ତକ ଆକ୍ରମଣ ହୋଇଛି । ଗୋଡାଇ ଗୋଡାଇ ଖଣ୍ଡାରେ ହାଣି ଲହୁଲୁହାଣ କରିଛନ୍ତି ଦର୍ବୃତ ।

ରକ୍ତ ରଂଜିତ ହୋଇଛି ରାଜଧାନୀର ରାଜରାସ୍ତା । କଟକ-ପୁରୀ ବାଇପାସ ରାସ୍ତାରେ ରାତି ଅଧରେ ଆତଙ୍କ ଖେଳାଇଛନ୍ତି ଖଣ୍ଡାଧାରୀ ଦୁର୍ବୃତ । ଏକ ସିକ୍ୟୁରିଟି ସଂସ୍ଥାରେ ସିକ୍ୟୁରିଟି ଗାର୍ଡ ଭାବେ କାମ କରୁଥିବା ଗୌରାଙ୍ଗ ଦାସଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଛି । ତିନି ଜଣ ଦୁର୍ବୃତ ଏକ ସ୍କୁଟିରେ ଆସି ଗୌରାଙ୍ଗଙ୍କ ଉପରେ ଅତି ନିର୍ମମ ଭାବେ ଚୋଟ ପରେ ଚୋଟ ପକାଇ ଫେରାର ହୋଇଯାଇଛନ୍ତି ।

ଭୁବନେଶ୍ୱର ମଙ୍ଗରାଜ ପଏଂଟରୁ ପୁରୀ ବାଇପାସ ରାସ୍ତାରେ ୨୪ ଘଂଟା ଲୋକେ ଓ ଗାଡି ଯିବାଆସିବା କରିଥାନ୍ତି । ରାତିରେ ପୁଲିସ ପାଟ୍ରୋଲିଂ ବି ହେଉଛି । ତାସତ୍ୱେ ପାର୍ବଣ ଋତୁରେ ଏଭଳି ରାତିଅଧିଆ ଆକ୍ରମଣ କମିଶନରେଟ୍ ପୁଲିସର ପାରିବାପଣିଆ ଉପରେ ପ୍ରଶ୍ନ ଉଠାଇଛି ।

ଆକ୍ରମଣ ଏତେ ଭୟଙ୍କର ଥିଲା ଯେ ଗୌରାଙ୍ଗଙ୍କୁ ଗୁରୁତର ଭାବେ କ୍ୟାପିଟାଲ ହସପିଟାଲ ନିଆଯାଇଥିଲା । ଦୁର୍ବୃତ ଗୌରାଙ୍ଗଙ୍କୁ ହାଣି ରାସ୍ତାରେ ପକାଇଦେଇଥିଲେ । ଆଉ ପିସିଆର ଷ୍ଟାଫ ତାଙ୍କୁ ଉଦ୍ଧାର କରି ହସପିଟାଲ ନେଇଥିଲା । ବଡଗଡ ଥାନା ପୁଲିସ ଏହି ଘଟଣାର ତଦନ୍ତ କରୁଛି । ପାର୍ବଣ ଋତୁ ପୂର୍ବରୁ ରାଜଧାନୀରେ ୨୪ ଘଂଟା ମଧ୍ୟରେ ସିରିଜ ଅପରାଧ ଲୋକଙ୍କ ବି ଟେନସନ ବଢାଇଦେଇଛି । ସୋମବାର ରାତିରେ ଇନଫୋସିଟି ଥାନା ଅଂଚଳରେ ଏକ ଆପାର୍ଟାମେଂଟରୁ ବଡ ଧରଣର ଲୁଟ ହୋଇଥିଲା । ୪ ଜଣ ମୁଖାପିନ୍ଧା ଚୋର ପାଚେରୀ ଡେଇଁ ୧ କୋଟିରୁ ଅଧିକ ଟଙ୍କାର ସୁନା ଓ ଟଙ୍କା ଲୁଟି ନେଇଥିଲେ । ୨୦୦ ମିଟର ଦୂରରେ ଥାନା ଥିଲେ ବି ପୁଲିସ କିଛି କରିପାରିନଥିଲା । ଏଥିରୁ ସ୍ପଷ୍ଟ ହୋଇଛି ପାର୍ବଣ ରୁତୁ ସମୟରେ ପଇଁତରା ସତ୍ୱେ ବି ପୁଲିସକୁ ଖାତିର କରୁନାହାନ୍ତି ଅପରାଧୀ ।