ରାହୁଲ ଦ୍ରାବିଡଙ୍କୁ କ୍ଷମା ମାଗିଲେ ବାଂଲାଦେଶର ବୋଲିଂ କୋଚ୍ । ପୁରୁଣା ଭୁଲ୍ ପାଇଁ ୨୫ ବର୍ଷ ପରେ କହିଲେ ‘ସରି’…

263

କନକ ବ୍ୟୁରୋ: ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡଙ୍କୁ କ୍ଷମା ମାଗିଲେ ବାଂଲାଦେଶର ବୋଲିଂ କୋଚ୍ । ବର୍ତ୍ତମାନ ବାଂଲାଦେଶ ଟିମର କୋଚ୍ ଥିବା ଦକ୍ଷିଣ ଆଫ୍ରିକୀୟ ଖେଳାଳି ଆଲାନ୍ ଡୋନାଲ୍ଡ, ଭାରତୀୟ କ୍ରିକେଟ ଟିମର ହେଡ୍ କୋଚ୍ ରାହୁଲ ଦ୍ରାବିଡଙ୍କୁ କ୍ଷମା ମାଗିଛନ୍ତି । ତେବେ ବିଶ୍ୱ କ୍ରିକେଟରେ ଜଣେ ଭୟଙ୍କର ଦ୍ରୁତବୋଲର ଭାବେ ବେଶ ଜଣାଶୁଣା ଆଲାନ୍ ଡୋନାଲ୍ଡ । ନିଜର ଦ୍ରୁତ ବୋଲିଂ ଏବଂ ସ୍ଲେଜିଂ କାରଣରୁ ସେ ତାଙ୍କ ସମୟରେ ବେଶ ଚର୍ଚ୍ଚାରେ ରହୁଥିଲେ । ହେଲେ ଗୋଟିଏ ଘଟଣା ପାଇଁ ପ୍ରାୟ ଦୁଇ ଦଶନ୍ଧୀ ପରେ ରାହୁଲଙ୍କୁ ସେ କ୍ଷମା ପ୍ରାର୍ଥନା କରିଛନ୍ତି ।

ଅସଲ କଥା ହେଉଛି, ୧୯୯୭ ମସିହାରେ ଭାରତ ଓ ଦକ୍ଷିଣ ଆଫ୍ରିକା ଭିତରେ ଏକ ଦିନିକିଆ ମ୍ୟାଚ୍ ଖେଳାଯାଉଥିଲା । ଏହି ମ୍ୟାଚରେ ଡୋନାଲ୍ଡଙ୍କ ଦ୍ରୁତ ବୋଲିଂ ଓ ସ୍ଲେଜିଂର ଶିକାର ହୋଇଥିଲେ ରାହୁଲ ଦ୍ରାବିଡ । ତେବେ ସେ ସମୟରେ ସଚ୍ଚିନ ଓ ରାହୁଲଙ୍କ ବ୍ୟାଟିଂ ଯୋଡିକୁ ଭାଙ୍ଗିବାକୁ ଦକ୍ଷିଣ ଆଫ୍ରିକାର ଖେଳାଳିମାନେ ଏପରି ରଣନୀତି ଆପଣାଇଥିଲେ । ହେଲେ ସ୍ଲେଜିଂ କରିବା ସମୟରେ ସୀମା ଟପିଯାଇଥିଲେ ଡୋନାଲ୍ଡ । ଯାହାର ଦୀର୍ଘ ବର୍ଷ ପରେ, ସେ ନିଜ ଭୁଲ ବୁଝି ଦ୍ରାବିଡଙ୍କୁ କ୍ଷମା ମାଗିଛନ୍ତି ।

ସୋନୀ ସ୍ପୋର୍ଟସର ଏକ ଇଣ୍ଟରଭ୍ୟୁରେ ଯୋଗ ଦେଇ ଡୋନାଲ୍ଡ କହିଛନ୍ତି, “ଡରବାନରେ ଏକ ଖରାପ ଘଟଣା ଘଟିଥିଲା, ରାହୁଲ ଦ୍ରାବିଡ ଆମକୁ ବହୁତ ହଇରାଣ କରୁଥିଲେ । ଏହି ସମୟରେ ମୁଁ ମୋ ସୀମା ଟପିଯାଇଥିଲି । ହେଲେ ଏବେ ରାହୁଲଙ୍କ ପାଇଁ ସମ୍ମାନ ବ୍ୟତୀତ ମୋ ପାଖରେ କିଛି ନାହିଁ । ମୁଁ ଏବେ ବାହାରକୁ ଯାଇ କେବଳ ରାହୁଲଙ୍କ ସହ ବସିବାକୁ ଚାହୁଁଛି, ତାଙ୍କୁ କ୍ଷମା ମାଗିବାକୁ ଚାହୁଁଛି । କଣ ବ୍ୟକ୍ତି ସେ, ବହୁତ ଭଲ ବ୍ୟକ୍ତି ସେ । ମୁଁ ଆପଣଙ୍କ ସହ ଗୋଟିଏ ରାତି କାଟିବାକୁ ଚାହୁଁଛି ।”

ଡୋନାଲ୍ଡଙ୍କ ଜବାବ ଦେଇ ରାହୁଲ କହିଛନ୍ତି, ନିଶ୍ଚୟ ସେ ଏଥିପାଇଁ ପ୍ରସ୍ତୁତ ଅଛନ୍ତି । ଖାସ୍ କରି ଯଦି ସେ ତାଙ୍କର ପୁରୁଣା ଭୁଲ ପାଇଁ ଏହା ଦେଉଛନ୍ତି । ସୂଚନାଯୋଗ୍ୟ ଯେ, ଉଭୟ ରାହୁଲ ଦ୍ରାବିଡ ଏବଂ ଆଲାନ୍ ଡୋନାଲ୍ଡ ଏବେ ବାଂଲାଦେଶରେ ଅଛନ୍ତି । ଦୁଇ କୋଚ ଏବେ ନିଜ ନିଜ ଟିମ୍ ସହ ଥିବାବେଳେ, ଦୁଇ ଦେଶ ଭିତରେ ପ୍ରଥମ ଟେଷ୍ଟ ମ୍ୟାଚ୍ ଖେଳାଯାଉଛି ।