ପଠାନ ଫିଲ୍ମକୁ ବହିଷ୍କାର କର, ଯେଉଁ ହଲରେ ଏହି ଫିଲ୍ମ ପଡିବ ତାକୁ ଜାଳିଦିଅ । ଶାହାରୁଖଙ୍କ ଫିଲ୍ମକୁ ଏମିତି ବିରୋଧ କରିବାକୁ ଉସୁକାଇଲେ ଅଯୋଧ୍ୟା ମହନ୍ତ ରାଜୁ ଦାସ ।

502

କନକ ବ୍ୟୁରୋ : ଶାହାରୁଖ ଖାନଙ୍କ ଆଗାମୀ ଫିଲ୍ମ ପଠାନକୁ ବହିଷ୍କାର କରିବାକୁ ଅପିଲ କରିଛନ୍ତି ଅଯୋଧ୍ୟାର ମହନ୍ତ ରାଜୁ ଦାସ । ଏହାସହ ଦର୍ଶକଙ୍କୁ ଅପିଲ କରିଛନ୍ତି ଯେଉଁ ଥିଏଟରରେ ପଠାନ ଫିଲ୍ମ ସୋ ପଡୁଛି ସେହି ହଲକୁ ଜାଳି ଦିଆଯାଉ । ଶାହାରୁଖ ଖାନ୍ ଲଗାତାର ସନାତନ ଧର୍ମର ମଜାକ ଉଡାଉଛନ୍ତି । ହଲିଉଡ ଓ ବଲିଉଡ ଲଗାତାର ପ୍ରୟାସ କରୁଛନ୍ତି କିଭଳି ସନାତନ ଧର୍ମର ମଜାକ ଉଡାଯିବ । ହିନ୍ଦୁ ଦେବାଦେବୀଙ୍କୁ ଅପମାନିତ କରାଯିବ । ପଠାନ୍ ଫିଲ୍ମରେ ଦୀପିକା ଗେରୁଆ ରଙ୍ଗର ଅନ୍ତଃବସ୍ତ୍ର ପିନ୍ଧି ସାଧୁସନ୍ଥଙ୍କ ଭାବାବେଗକୁ ଆଘାତ ଦେଇଛନ୍ତି । ଆଉ ଏହା ସମ୍ପୂର୍ଣ୍ଣ ଦୁଃଖଦ ଘଟଣା ।

ରାଜୁ ଦାସ କହିଛନ୍ତି, ଫିଲ୍ମରେ ଗେରୁଆ ରଙ୍ଗର ଅନ୍ତଃବସ୍ତ୍ର ପିନ୍ଧାଇ ଅର୍ଦ୍ଧନଗ୍ନ ପ୍ରଦର୍ଶନ କରିବାର କଣ ଆବଶ୍ୟକତା ଥିଲା । ଏହା ଜାଣିଶୁଣି କରାଯାଇଛି । ସାଧୁସନ୍ଥଙ୍କ ଭାବାବେଗକୁ ଆଘାତ ଦେବାକୁ ଏମିତି ପ୍ରୟାସ କରାଯାଇଥିଲା । ତେଣୁ ଏମାନଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାର ଆବଶ୍ୟକତା ରହିଛି । କାରଣ ଏମାନଙ୍କ କ୍ଷେତ୍ରରେ ଯେସାକୁ ତେସା ନୀତି ଆପଣାଇବା କଥା । ଆସନ୍ତା ଜାନୁଆରୀ ୧୫ରେ ରିଲିଜ ହେବ ଫିଲ୍ମ ପଠାନ । କିନ୍ତୁ ଏହା ପୂର୍ବରୁ ବିବାଦକୁ ଆସିଲାଣି ପଠାନ୍ । ତେଣୁ ଏହି ଫିଲ୍ମକୁ ବୟକଟ କରିବାକୁ ଏବେଠୁ ଦାବି ଉଠିଲାଣି ।

ସେହିଭଳି ମଧ୍ୟପ୍ରଦେଶର ମନ୍ତ୍ରୀ ମଧ୍ୟ ଏହି ଫିଲ୍ମକୁ ନେଇ ଚେତାବନୀ ଦେବା ସହ କହିଛନ୍ତି, ଯଦି ଫିଲ୍ମରେ ଦୀପିକା ପିନ୍ଧିଥିବା କପଡା ଓ କିଛି ସିନ୍ କଟାନଯାଏ ତେବେ ଏହାକୁ ରାଜ୍ୟରେ ରିଲିଜ କରିବାକୁ ଦିଆଯିବ ନାହିଁ । ଗୀତରେ ଥିବା ଦୃଶ୍ୟ ଓ ବେଶଭୂଷାକୁ ଠିକ୍ କରାନଗଲେ ଫିଲ୍ମ ରିଲିଜ ପାଇଁ ମଧ୍ୟପ୍ରଦେଶରେ ଅନୁମତି ମିଳିବ ନାହିଁ । ତେଣୁ ଫିଲ୍ମମେକର୍ସ ଏହି ଗୀତ ବାବଦରେ ଚିନ୍ତା କରିବା ଉଚିତ୍ ବୋଲି ସେ କହିଛନ୍ତି ।