ହାପି ବାର୍ଥ ଡେ’ ଭାଇଜାନ୍ : ୫୬ ବର୍ଷରେ ପାଦ ଦେଲେ ସଲମାନ୍

114

କନକ ବ୍ୟୁରୋ : ୫୬ ବର୍ଷରେ ପାଦ ଦେଲେ ବଲିଉଡ ସୁପରଷ୍ଟାର ସଲମାନ୍ ଖାନ୍ । ୧୯୬୫ ମସିହା ଆଜିର ଦିନରେ ମଧ୍ୟପ୍ରଦେଶର ଇନ୍ଦୋର ସହରରେ ଜନ୍ମହୋଇଥିଲେ ସଲମାନ୍ । ବଲିଉଡରେ ସେ ଦବଙ୍ଗ, ସୁଲତାନ୍, ଭାଇଜାନ୍ ଭଳି ବିଭିନ୍ନ ନାଁରେ ବେଶ୍ ଲୋକପ୍ରିୟତା ସାଉଁଟିଛନ୍ତି । ୧୯୮୮ ମସିହା ଫିଲ୍ମ ‘ବିବି ହୋ ତୋ ଏସି’ ଜରିଆରେ ବଲିଉଡରେ ଡେବ୍ୟୁ କରିଥିଲେ ସଲମାନ । ପରେ ସେ ଏକାଧିକ ଫିଲ୍ମରେ ଦମଦାର ଅଭିନୟ କରି ଦର୍ଶକଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି । ଆକ୍ସନ ହେଉ ଅବା ରୋମାନ୍ସ ସବୁଠିରେ ନିଜର ଧୁଆଁଧାର ଅଭିନୟ ପ୍ରଦର୍ଶନ କରିଛନ୍ତି ଭାଇଜାନ୍ । ନିଜ ଅଭିନୟ ଜୀବନକାଳ ମଧ୍ୟରେ ସେ ବଲିଉଡକୁ ଭେଟିଦେଇଛନ୍ତି ଅନେକ ଗୁଡିଏ ସୁପରହିଟ୍ ଫିଲ୍ମ ।

ତାଙ୍କ ଅଭିନିତ ଫିଲ୍ମ ମଧ୍ୟରୁ ‘ମେନେ ପ୍ୟାର କିୟା, ‘ହମ୍ ଆପକେ ହେ କୌନ’, ‘ହମ୍ ସାଥ ସାଥ୍ ହେ’ ‘ପ୍ୟାର କିୟା ତୋ ଡରନା କ୍ୟା’ ‘ହମ୍ ଦିଲ୍ ଦେ ଚୁକେ ସନମ, ଦବଙ୍ଗ, ୱେଂଟେଡ, ସୁଲତାନ୍, ବଜରଙ୍ଗୀ-ଭାଇଜାନ୍ ଭଳି ଏକାଧିକ ଫିଲ୍ମ ବଲିଉଡରେ ହୋଇଛି ସୁପରହିଟ୍ । ନିକଟରେ ସଲମାନଙ୍କ ଅଭିନିତ ଫିଲ୍ମ ‘ଅନ୍ତିମ- ଦି ଫାଇନାଲ ଟ୍ରୁଥ୍’ ବକ୍ସ ଅଫିସରେ ଧମାଲ ମଚାଉଛି । ଅଭିନେତା ସାଙ୍ଗକୁୁ ଜଣେ ଦକ୍ଷ ଫିଲ୍ମ ପ୍ରଯୋଜକ ଭାବେ ବି ସେ ବେଶ୍ ଜଣାଶୁଣା । ଏବେ ୫୬ ବର୍ଷ ବୟସରରେ ଅବିବାହିତ ଥାଇ ଚର୍ଚ୍ଚାରେ ରହିଛନ୍ତି ସଲମାନ୍ । ଆଜି ଜନ୍ମଦିନରେ ଭାଇଜାନଙ୍କୁ ଶୁଭେଚ୍ଛା ଜଣାଇବା ପାଇଁ ତାଙ୍କ ପନୱେଲ୍ ସ୍ଥିତ ଫାର୍ମ ହାଉସରେ ଜମିଛି ପ୍ରଂଶସକଙ୍କ ଭିଡ । ଟୁଇଟର ଠୁ ଆରମ୍ଭ କରି ଇନଷ୍ଟାଗାମ୍ ଯାଏଁ, ଚାରିଆଡୁ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି ।