ନବରଙ୍ଗପୁର ଜିଲ୍ଲାରେ ରାସ୍ତା ନିର୍ମାଣରେ ଚଞ୍ଚକତା। ମୋରମ ବଦଳରେ ନାଲି ମାଟି ପକାଇ ୧୦ ଲକ୍ଷ ଟଙ୍କା ହଡପ।

50

କନକ ବ୍ୟୁରୋ: ରାଜ୍ୟ ସରକାର ସମସ୍ତ ଗାଁକୁ ରାସ୍ତା ଯୋଗାଇବା ବ୍ୟବସ୍ଥା କରିଛନ୍ତି  । ଏଥିପାଇଁ ସରକାରୀ ତହବିଲ୍ରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି । କିନ୍ତୁ କିଛି ଅସାଧୁ ଠିକାଦାରଙ୍କ ପାଇଁ ନବରଙ୍ଗପୁର ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଏହା ସଠିକ୍ ଢଙ୍ଗରେ ଫଳପ୍ରଦ ହୋଇପାରୁନାହିଁ । ପକ୍କା ରାସ୍ତା ନଥିବା ବେଳେ କଚ୍ଚା ରାସ୍ତା ନିର୍ମାଣରେ ଚଞ୍ଚକତା ଯୋଗୁଁ ସାଧାରଣ ଲୋକେ ଅସୁବିଧା ଭୋଗୁଛନ୍ତି  । ଦେଢ କିଲୋମିଟର ବ୍ୟାପି ଏହି ରାସ୍ତାରେ ନା ସାଇକେଲ ଯାଇପାରୁଛି ନା ବାଇକ କି ଅଟୋ । ସ୍ଥିତି ଏପରି ହେଇଛି ଯେ ଲୋକେ ଚାଲିଚାଲି ଯିବା ବି କଷ୍ଟକର ହୋଇପଡୁଛି ।

ଉମରକୋଟ ବ୍ଲକ କୁମ୍ବିଦୋଡା, ମୁଣ୍ଡିଗୁଡା ଏବଂ ଚଣାଗୋଦରା ଗାଁର ଲୋକେ ଏଭଳି ସମସ୍ୟାର ସମ୍ମୁଖୀନ ହୋଇଛନ୍ତି  । ଏହି ୩ଟି ଗାଁକୁ ରାସ୍ତା ନଥିବାରୁ ସରକାରଙ୍କ ପକ୍ଷରୁ ୧୦ ଲକ୍ଷ ଟଙ୍କା ବ୍ୟୟରେ ଏକ କଚ୍ଚା ରାସ୍ତା ନିର୍ମାଣ କରାଯାଇଛି । ତେବେ ରାସ୍ତାରେ ମୋରମ ବଦଳରେ ରଙ୍ଗ ମାଟି ପକାଇ ଦେଇଛି ଠିକାଦାର । ତେଣୁ ଏବେ ଏଭଳି ସ୍ଥିତି ସୃଷ୍ଟି ହୋଇଛି । ରାସ୍ତାରେ ଏବେ ଆଣ୍ଠୁଏ କାଦୁଅରେ ଲୋକେ ଯିବା ଆସିବା କରୁଛନ୍ତି । ଠିକାଦାର ନିମ୍ନମାନ ରାସ୍ତାକାମ କରିଥିବା ସ୍ଥାନୀୟ ସରପଂଚ ଅଭିଯୋଗ କରିଛନ୍ତି  ।