ବିଭିନ୍ନ ଦେଶରେ ବଢ଼ୁଛି କରୋନା ସଂକ୍ରମଣ। ଭାରତରେ ମାର୍ଚ୍ଚ ମାସରେ ଆସିବ କି ଚତୁର୍ଥ ଲହର? ସ୍ଥିତିର ମୁକାବିଲା ପାଇଁ ଓଡ଼ିଶା ସ୍ୱାସ୍ଥ୍ୟ ବିଭାଗର ପ୍ରସ୍ତୁତି।

92

କନକ ବ୍ୟୁରୋ: କରୋନାର ଚତୁର୍ଥ ଲହର ନେଇ ଆକଳନ ଏବଂ ସ୍ୱାସ୍ଥ୍ୟ ବିଭାଗର ପ୍ରସ୍ତୁତି ଭିତରେ ପ୍ରଶ୍ନ ଆସୁଛି- ଆସିବ କି ଚତୁର୍ଥ ଲହର? ଯଦି ଆସିବ, କେତେ ଭୟାବହ ହେବ ? ଯଦିଓ ଭାରତରେ ୪ର୍ଥ ଲହର ଆସିବା ନେଇ କୌଣସି ସ୍ପଷ୍ଟ ସୂଚନା ଆସିନାହିଁ, ତଥାପି ବିଭିନ୍ନ ଦେଶରେ ବଢ଼ୁଥିବା ସଂକ୍ରମଣ ଯୋଗୁଁ ଏହି ଆଶଙ୍କା ବଢ଼ୁଛି ।

ଏସବୁ ଭିତରେ ସ୍ୱାସ୍ଥ୍ୟ ବିଭାଗର ସ୍ୱତନ୍ତ୍ର ସଚିବ କହିଛନ୍ତି-ମାର୍ଚ୍ଚ ଦ୍ୱିତୀୟ କିମ୍ବା ତୃତୀୟ ସପ୍ତାହରେ କରୋନାର ଚତୁର୍ଥ ଲହର ଆସିପାରେ । ଏଭଳି ଆକଳନ ପରେ ପରେ ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ କହିଛନ୍ତି-ସଂକ୍ରମଣ ବଢ଼ିବ ନାହିଁ ବୋଲି କହିହେବ ନାହିଁ । ତେଣୁ ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ପଡ଼ିବ ।

ସଂକ୍ରମଣ ବଢ଼ିବାର ଆଶଙ୍କା ଭିତରେ ଓଡ଼ିଶାରେ ଆୟୋଜିତ ହେଉଛି ବିଶ୍ୱକପ ହକି । ଶହ ଶହ ବିଦେଶୀ ଖେଳାଳି ଓ ପର୍ଯ୍ୟଟକଙ୍କ ଉପସ୍ଥିତି ଓଡ଼ିଶା ପାଇଁ ସମସ୍ୟା ସୃଷ୍ଟି କରିବ ନାହିଁ ତ? ସମ୍ଭାବ୍ୟ ସ୍ଥିତିର ମୁକାବିଲା ପାଇଁ ସ୍ୱାସ୍ଥ୍ୟ ବିଭାଗ ପ୍ରସ୍ତୁତ ହେଉଥିବା ବେଳେ ସ୍ୱାସ୍ଥ୍ୟ ବିଶେଷଜ୍ଞ କହିଛନ୍ତି-ବିଦେଶୀ ଖେଳାଳି ଓ ପର୍ଯ୍ୟଟକଙ୍କ ଯୋଗୁଁ ରିକ୍ସ ରହିଛି । ତେଣୁ ସତର୍କ ରଖିବା ଜରୁରୀ । କୋଭିଡ ନିୟମ ମାନିଲେ ଏହାକୁ ରୋକାଯାଇପାରିବ ବୋଲି ଡାକ୍ତର କହିଛନ୍ତି ।

ଚତୁର୍ଥ ଲହର’ର ଆଶଙ୍କା ଭିତରେ ଆଶ୍ୱସ୍ତିର ଖବର ହେଉଛି- ଦେଶରେ କରୋନା ସଂକ୍ରମଣ କମିଛି । ଗତ ୨୪ ଘଂଟାରେ ଭାରତରେ ମାତ୍ର ୧୭୫ଟି ନୂଆ କରୋନା ମାମଲା ସାମ୍ନାକୁ ଆସିଛି । ସକ୍ରିୟ ସଂକ୍ରମଣ ସଂଖ୍ୟା ୨ ହଜାର ୫୭୦କୁ ଖସି ଆସିଛି । କିନ୍ତୁ ଚୀନ, ଆମେରିକା, ଜାପାନ ଓ ଦକ୍ଷିଣ କୋରିଆର ସଂକ୍ରମଣ ସଂଖ୍ୟା ବିଶ୍ୱ ପାଇଁ ଚିନ୍ତା ସୃଷ୍ଟି କରୁଛି ।