ରାଜ୍ୟରେ ଆରମ୍ଭ ହେବ ୫-ଜି ସେବା: ସେବା ଯୋଗାଇଦେବେ ଜିଓ, ଏୟାରଟେଲ୍

140

କନକ ବ୍ୟୁରୋ: ପୂରଣ ହେବାକୁ ଯାଉଛି ରାଜ୍ୟବାସୀଙ୍କ ୫-ଜି ସ୍ୱପ୍ନ । ଜାନୁୟାରୀ ମାସରେ ଓଡ଼ିଶାରେ ୫-ଜି ସେବା ଆରମ୍ଭ ହେବ ନିକଟରେ କହିଥିଲେ କେନ୍ଦ୍ର ଆଇଟିମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଗୁରୁବାର ଦିନ ଭୁବନେଶ୍ୱର, କଟକ ସମେତ କିଛି ସ୍ଥାନରେ ୫-ଜି ସେବା ଆରମ୍ଭ ହେବାକୁ ଯାଉଛି ।

ଦେଶରେ ଗତବର୍ଷ ଅକ୍ଟୋବର ପହିଲାରେ ୫- ଜି ସେବା ପରୀକ୍ଷାମୂଳକ ଭାବେ ଆରମ୍ଭ ହୋଇଥିବା ବେଳେ ଗୁରୁବାର ଦିନ ଓଡ଼ିଶାରେ ଆରମ୍ଭ ହେବ ପଂଚମ ଜେନେରେସେନ୍ ମୋବାଇଲ୍ ନେଟ୍ୱର୍କ । ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ଏହି ସେବାର ଲୋକାର୍ପଣ କରିବେ କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଫାଇଭ୍ ଜି ସେବା ଆରମ୍ଭ ହେଲେ ଟେଲିକମ୍ ଓ ଇଂଟରନେଟ୍ ଗ୍ରାହକମାନେ ଉନ୍ନତମାନର ସେବା ପାଇବେ । ମୋବାଇଲ୍ରେ ଫଟୋ ଓ ଭିଡିଓ ଆଖି ପିଛୁଳାକେ ଡାଉନଲୋଡ୍ କରିହେବ ।

୫-ଜି ସେବାରେ କଣ ମିଳିବ ଲାଭ?
୫-ଜି ସେବା: କ’ଣ ମିଳିବ ଲାଭ?
‘୫-ଜି’ର ସ୍ପିଡ୍ ଢେର ଅଧିକ ହେବ
କିଛି ସେକେଣ୍ଡ ଭିତରେ ଫଟୋ ଓ ଭିଡିଓ ଡାଉନ୍ଲୋଡ କିମ୍ବା ଅପ୍ଲୋଡ କରିହେବ
ଏକାଧିକ ଡିଭାଇସ୍କୁ ଇଂଟରନେଟ୍ ସହ ଯୋଡ଼ା ଯାଇପାରିବ
୫-ଜି ନେଟୱର୍କର ସ୍ପିଡ୍ ୧ ସେକେଣ୍ଡରେ ୨୦ ଜିବି ପର୍ଯ୍ୟନ୍ତ ହେବ
ହାଇସ୍ପିଡ୍ ଇଂଟରନେଟ୍ ଯୋଗୁ ଭିଡିଓ କଲ୍ କରିବା ଆହୁରି ସହଜ ହେବ
ଅନଲାଇନ ପାଠପଢ଼ା, ଅଫିସ କାମ ସୁରୁଖୁରୁରେ ହେବ

୫ ଜି ସେବା ଆରମ୍ଭ ହେଲେ କଲ୍ ଡ୍ରପ୍ ହେବ ନାହିଁ, ବଫରିଂ ହେବା ଇତିହାସ ହୋଇଯିବ । ୪-ଜି ଠାରୁ ବହୁ ଗୁଣ ଅଧିକ ସ୍ପିଡ୍ରେ ଚାଲିବ ଇଂଟରନେଟ୍ । ନଜର ପକାଇବା ୪-ଜି ଓ ୫-ଜି ମଧ୍ୟରେ ତୁଳନାତ୍ମକ ଚିତ୍ର ଉପରେ ।

୪-ଜି ବନାମ ୫-ଜି
୪-ଜି ତୁଳନାରେ ୫-ଜି ସ୍ପିଡ୍ ପ୍ରାୟ ୧୦ ଗୁଣ ଅଧିକ
୪-ଜି ଡାଉନଲୋଡ୍ ସ୍ପିଡ୍ ପ୍ରତି ସେକେଣ୍ଡରେ ସର୍ବାଧିକ ୧ଜିବି
୫-ଜି ଡାଉନଲୋଡ୍ ସ୍ପିଡ୍ ପ୍ରତି ସେକେଣ୍ଡରେ ସର୍ବାଧିକ ୨୦ଜିବି
ବଫରିଂ ଭଳି ସମସ୍ୟା ୫-ଜିରେ ରହିବ ନାହିଁ
ଏବେ ସମସ୍ତଙ୍କ ମନରେ ମନ ଉଠୁଛି ୫-ଜି ସେବା ଆରମ୍ ହେଲେ ୪-ଜି ସେବା ବନ୍ଦ ହୋଇଯିବ କି? କିନ୍ତୁ ବିଶେଷଜ୍ଞଙ୍କ କହିବା କଥା, ଆଗାମୀ ୧୦ ବର୍ଷ ପର୍ଯ୍ୟନ୍ତ ବନ୍ଦ ହେବନାହିଁ ୪-ଜି ସେବା । ଗୁରୁବାର ଦିନ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓଡ଼ିଶାରେ ଫାଇଭ୍ ଜି ସେବା ସହିତ ଗ୍ରାମାଂଚଳରେ ୧୦୦ଟି ୪-ଜି ଟେଲିକମ୍ ଟାୱାରର ଉଦ୍ଘାଟନ କରିବା କାର୍ଯ୍ୟକ୍ରମ ରହିଛି । ଏହା ସହ ପ୍ରଯୁକ୍ତି କମ୍ପାନୀ, ଷ୍ଟାର୍ଟଅପ୍ ସଂସ୍ଥା, ସିଡଟ୍ ଓ ଟେଲିକମ୍ ସେବା ପ୍ରଦାନକାରୀଙ୍କ ପକ୍ଷରୁ ଦୁଇ ଦିନିଆ ଡିଜିଟାଲ ଯୋଗାଯୋଗ ପ୍ରଦର୍ଶନୀ ଆରମ୍ଭ ହେବ ।