ଦିଲ୍ଲୀ ହିଟ୍ ଆଣ୍ଡ ରନ୍ ମାମଲା : ବାନ୍ଧବୀ କହିଲେ ଛାତିଥରା କଥା, ଅପରାଧୀ କହୁଛନ୍ତି ଭିନ୍ନ କଥା

283

କନକ ବ୍ୟୁରୋ : ଦିଲ୍ଲୀ ହିଟ ଆଣ୍ଡ ରନ ମାମଲା । ସାରା ଦେଶକୁ ଦୋହଲାଇ ଦେଇଛି । ୨୦ବର୍ଷ ବୟସ୍କା ଅଂଜଳୀଙ୍କ ବିଭତ୍ସ ମୃତ୍ୟୁ ସମସ୍ତଙ୍କୁ ସ୍ତବ୍ଧ କରିଛି । କାରରେ ଅଂଜଳୀଙ୍କ ଗୋଡ ଫଶିଯିବା ଓ ୧୩ କିଲୋମିଟର ଘୋଷାଡ଼ ଘୋଷାଡ଼ି ଯିବା, ଶେଷରେ ହୋଇଥିବା ଛାତିଥରା ମୃତ୍ୟୁ ଘଟଣାକୁ ନେଇ ଏବେ ସବୁଠି ଚର୍ଚ୍ଚା । ପରିବାର ଲୋକଙ୍କ ଦାବି କରୁଛନ୍ତି ଯେ ଅଂଜଳୀଙ୍କ ସହ ଦୁଷ୍କର୍ମ ଓ ହତ୍ୟା ହୋଇଛି । ଅପରାଧୀ କହୁଛନ୍ତି ଯାହା ଘଟିଛି ସେସବୁ ଥିଲା ଏକ ଦୁର୍ଘଟଣା । ସେପଟେ ଅଂଜଳୀଙ୍କ ବାନ୍ଧବୀ ଆଣିଛନ୍ତି ନୂଆ ଅଭିଯୋଗ । କାର ଚାଳକ ଜାଣିଶୁଣି ଏଭଳି କାଣ୍ଡ ଘଟାଇଥିବା ଦାବି କରିଛନ୍ତି ନିଧି । ସେପଟେ ଦିଲ୍ଲୀ ମହିଳା କମିଶନ ଅଧ୍ୟକ୍ଷା ସ୍ୱାତି ମାଲିୱାଲ ନିଧିଙ୍କ ବୟାନ ଉପରେ ସହେନ୍ଦ ପ୍ରକାଶ କରିଛନ୍ତି ।

ଏହା ଭିତରେ ଏଫଏସଏଲ ଓ ପୋଷ୍ଟମର୍ଟମ ରିପୋର୍ଟ ସାମ୍ନାକୁ ଆସିଛି । ଏଫଏସଏଲ ରିପୋର୍ଟ ଅନୁଯାୟୀ

• କାରର ବାମପଟ ପ୍ରଥମ ଚକାରେ ଅଂଜଳୀଙ୍କ ଗୋଡ଼ ଫଶିଥିଲା । କାରର ସାମ୍ନା ଦୁଇ ଚକରେ ରକ୍ତଦାଗ ମିଳିଛି । କାର ଭିତରେ ଅଂଜଳୀ ଥିବା କୌଣସି ପ୍ରମାଣ ମିଳିନି ।
• ଅଭିଯୁକ୍ତ ଦୀପକ କାର ଚଳାଉଥିଲା । ବିଜେପି କର୍ମୀ ତଥା ଅନ୍ୟତମ ଅଭିଯୁକ୍ତ ଡ୍ରାଇଭର ନିକଟ ସିଟରେ ବସିଥିଲେ । ଅମିତ, ମିଥୁନ ଓ କ୍ରିଷ୍ଣା ପଛ ସିଟରେ ବସିଥିଲେ
• ଅଂଜଳୀଙ୍କ ସହ ଦୁର୍ଷ୍କମ ହୋଇନଥିବା ଶବ ବ୍ୟବଚ୍ଛେଦ ରିପୋର୍ଟରେ ସ୍ପଷ୍ଟ ହୋଇଛି ।
• କାର ଚକାତଳେ ଫଶିବା ପରେ ୧୩ କିଲୋମିଟ ଘୋଷାଡ଼ି ହୋଇଥିଲେ ଅଂଜଳୀ । ଏହା ଦ୍ୱାରା ତାଙ୍କ ଶରୀର ମାତ୍ରାଧିକ କ୍ଷତିଗ୍ରସ୍ତ ହୋଇଥିଲା ।

ବୁଧବାର ଅଂଜଳୀଙ୍କ ପରିବାରକୁ ଯାଇ ଭେଟିଛନ୍ତି ଦିଲ୍ଲୀ ସରକାରର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ । ମୃତକଙ୍କ ପରିବାର ପାଇଁ ଅନୁକମ୍ପାମୂଳକ ସାହାଯ୍ୟ ସହ ଜଣଙ୍କୁ ସରକାରୀ ଚାକିରି ଦେବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି କେଜ୍ରିୱାଲ ସରକାର । ଏଥିସହ ଦିଲ୍ଲୀ ପୁଲିସ ଓ ବିଜେପି ସରକାର ଉପରେ ଅଭିଯୋଗ ମଧ୍ୟ ଆଣିଛି ଆପ୍ । ସେପଟେ ବିଜେପି କହିଛି ଏଭଳି ସମ୍ବେଦନଶୀଳ ପ୍ରସଙ୍ଗକୁ ଅସ୍ତ୍ର କରି ରାଜନୀତି କରୁଛି ଆମ ଆଦମୀ ପାର୍ଟି । ଯାହା ନିନ୍ଦନୀୟ ଅଟେ ।

ମଙ୍ଗଳବାର କଡ଼ା ସୁରକ୍ଷା ଭିତରେ ଅନ୍ତିମ ସଂସ୍କାର ହୋଇଛି । ନ୍ୟାୟ ଦାବିରେ ଧାରଣା ଦେଇଛନ୍ତି ଅଂଜଳିଙ୍କ ପରିବାର । ସେପଟେ ଦିଲ୍ଲୀ ପୁଲିସ କହିଛି ଗିରଫ ୫ଜଣ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଇ ଜେରା କରାଯାଉଛି । ସେପଟେ ଘଟଣାକୁ ନେଇ ବିଜେପି ଓ ଆମ ଆଦମୀ ପାର୍ଟି ପରସ୍ପର ଉପରେ ଅଭିଯୋଗ ଆଣୁଛନ୍ତି । ମାମଲାକୁ ୩ଦିନ ବିତିଯାଇଥିଲେ ସୁଦ୍ଧା କୌଣସି ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିପାରିନି ।