ଗ୍ୟାଙ୍ଗ କରି ପୁଲିସ କରୁଥିଲା କିଡନାପ୍ । ବ୍ୟବସାୟୀଙ୍କୁ ଅପହରଣ କରି ମାଗୁଥିଲେ ଟଙ୍କା, ୨ଗିରଫ, ଅନ୍ୟ ୨ଜଣ ଫେରାର

126

କନକ ବ୍ୟୁରୋ: ରକ୍ଷକ ସାଜୁଥିଲା ଭକ୍ଷକ । ଖୋଦ୍ ପୁଲିସ କରୁଥିଲା ଅପହରଣ । ପୋଲିସ ହାତରେ ଜଣେ ପୋଲିସ ଅଧିକାରୀ ଧରାପଡିବା ପରେ ଏହି ଘଟଣାର ପର୍ଦ୍ଦାଫାଶ ହୋଇଛି । କାନପୁରରେ ଘଟିଛି ଏଭଳି ଆଶ୍ଚର୍ଯ୍ୟକର ଘଟଣା । ଏହି ଘଟଣାରେ ଜଣେ ପୋଲିସ କନଷ୍ଟେବଳଙ୍କ ସମେତ ୨ ଜଣଙ୍କୁ ଶନିବାର ଗିରଫ କରାଯାଇଛି ।

ଗିରଫ ହୋଇଥିବା ୨ ଅଭିଯୁକ୍ତ ହେଉଛନ୍ତି ଫିଲ୍ ଖାନା ପୋଲିସ ଷ୍ଟେସନରେ ପୋଷ୍ଟିଙ୍ଗ ପାଇଥିବା ୩୭ ବର୍ଷୀୟ କନଷ୍ଟେବଳ ମୁକେଶ କୁମାର ଏବଂ ତା’ର ସହଯୋଗୀ ୪୦ ବର୍ଷିୟ ଶାଲୁ ନନ୍ଦ । ଗିରଫ ହୋଇଥିବା ଶାଲୁଙ୍କୁ ପ୍ରାୟ ୨ ବର୍ଷ ପୂର୍ବେ ସ୍ୱତନ୍ତ୍ର ପୋଲିସ ଅଧିକାରୀ (ଏସପିଓ) ଭାବରେ ମନୋନୀତ କରାଯାଇଥିଲା।

ଏହି ଘଟଣାରେ ଜଡିତ ଅନ୍ୟ ଦୁଇଜଣ – କୋଟୱାଲି ପୋଲିସ ଷ୍ଟେସନରେ ପୋଷ୍ଟ ହୋଇଥିବା ହେଡ କନଷ୍ଟେବଳ ଅମିତ କୁମାର ଏବଂ ତାଙ୍କ ସହଯୋଗୀ ମୋନୁ ଓରଫ ବକ୍ସର ଯେଉଁମାନେ ଫେରାର ଅଛନ୍ତି ବୋଲି କହିଛନ୍ତି ଡେପୁଟି କମିଶନର ଅଫ୍ ପୁଲିସ ପ୍ରମୋଦ କୁମାର ।

ସୂଚନା ମୁତାବକ, ଏହି ପୁଲିସ ମାନେ ଏକ ଗ୍ୟାଙ୍ଗ କରି ଲୋକଙ୍କୁ ଟାର୍ଗେଟ କରୁଥିଲେ । ନିକଟରେ ଜଣେ ବୟସ୍କ ବ୍ୟବସାୟୀଙ୍କୁ ଅପହରଣ କରିନେଇ ମୁକ୍ତ କରିବାକୁ ୩୫ ୦୦୦ ଟଙ୍କା ମାଗିଥିଲେ । ଏପଟେ ଅପହୃତ ବ୍ୟବସାୟୀଙ୍କ ପରିବାର ଲୋକେ ପୁଲିସରେ ଏଫଆଇଆର ଦେଇଥିଲେ । ପୁଲିସ କଲରର ଫୋନ୍ କଲ ଟ୍ରାକିଙ୍ଗ କରି ଅଭିଯୁକ୍ତଙ୍କ ପାଖରେ ପହଞ୍ଚିଥିଲା ।